
ଭୁବନେଶ୍ୱର, ୨୭ ମଇ (ହି.ସ)- ପ୍ରଦେଶ ଛାତ୍ର କଂଗ୍ରେସ ନେତା ବିଭୂତି ଭୂଷଣ ମହାପାତ୍ରଙ୍କ ନେତୃତ୍ୱରେ ନିଟ ସ୍କାମ ପ୍ରତିବାଦରେ ଏକ ବିଶାଳ ମଶାଲ ଶୋଭାଯାତ୍ରା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ବିଜେପି ରାଜ୍ୟ କାର୍ଯ୍ୟାଳୟ ଅଭିମୁଖେ ଯାତ୍ରା କରୁଥିବା ବେଳେ ସେମାନଙ୍କୁ ବନଦୁର୍ଗା ମନ୍ଦିର ଠାରେ ପୋଲିସ ଅଟକାଇଥିଲା। ପୋଲିସ ଓ ଛାତ୍ର କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ଧସ୍ତାଧ୍ୱସ୍ତି ହୋଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତଳିକା ଦାହ କରାଯାଇଥିଲା। ଏହି ଅବସରରେ ପ୍ରଦେଶ ଛାତ୍ର କଂଗ୍ରେସ ନେତା ବିଭୂତି ମହାପାତ୍ର କହିଛନ୍ତି ଯେ ନିଟ ୟୁଜି ପରୀକ୍ଷାକୁ ବାତିଲ କରିବା ଦ୍ୱାରା ୨୨ ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହେଲେ। ନରେନ୍ଦ୍ର ମୋଦିଙ୍କ ଶାସନରେ ଗତ ୧୦ ବର୍ଷରେ ୯୦ ଟି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ହୋଇଥିଲା ବେଳେ ମୋଦି ସରକାର ଚେତିଲେ ନାହିଁ। ଏହି ପ୍ରଶ୍ନପତ୍ର ପ୍ରଘଟରେ ୬.୫ କୋଟି ଛାତ୍ରଛାତ୍ରୀ ପ୍ରତକ୍ଷ୍ୟ ଓ ପ୍ରରୋକ୍ଷରେ ପ୍ରଭାବିତ ହୋଇଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମୟରେ ପୂର୍ବରୁ ନିଟ ପ୍ରଶ୍ନପତ୍ର ପ୍ରଘଟ ହେଲା ମାତ୍ର ଏହାର ପ୍ରତିକାର କଲେ ନାହିଁ।
ରାଷ୍ଟ୍ରୀୟ ଏନଏସୟୁଆଇର ଅଧ୍ୟକ୍ଷ ବିନୋଦ ଜଖରଙ୍କ ନେତୃତ୍ୱ ଏବଂ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ପ୍ରେରଣାରେ ନିଟ ଦୁର୍ନୀତି ପ୍ରତିବାଦରେ ଛାତ୍ର କଂଗ୍ରେସ ତାର ଆନ୍ଦୋଳନ ଜାରି ରଖିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଏହି ମଶାଲ ଶୋଭାଯାତ୍ରାକୁ ପିସିସି ସଭାପତି ଭକ୍ତ ଚରଣ ଦାସ ଉଦ୍ଘାଟନ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା