
ହରିଚନ୍ଦନପୁର, ୨୮ ମଇ (ହି.ସ.)- ଲୋକଙ୍କ ଡବଲ ଇଞ୍ଜିନ ସରକାରରେ ଅପରାଧୀଙ୍କ ସ୍ଥାନ ନାହିଁ । ଓଡ଼ିଶାର ଶାସନଭାର ଆମ କେନ୍ଦୁଝର ମାଟିର ପୁଅ ମୋହନ ଚରଣ ମାଝୀ ନେବା ପରେ ଦୀର୍ଘଦିନ ଧରି ଲୁଚି ରହିଥିବା ବଡ଼ ବଡ଼ ଦୁର୍ନୀତିର ଗନ୍ତାଘର ସବୁ ଖୋଲି ଖୋଲି ଯାଉଛି, ଯାହାକି ବର୍ତ୍ତମାନ ଓଡ଼ିଶାର ସବୁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ତତ୍ପରତା ସହ ଆଗେଇ ନେଇ ପ୍ରଥମେ କାଠ ମାଫିଆ, ଗୋରୁ ମାଫିଆ ଓ ପରେ ବାଲି ମାଫିଆଙ୍କ ହାଲତ ଖରାପ୍ କରିସାରିଲେଣି । କିଛି କାରାଗାର ଭିତରେ ତ କିଛି ଧନଶୂନ ଅବସ୍ଥାରେ ଦିନ କାଟୁଥିବା ବେଳେ ଆଉ କିଛି ମାଫିଆଙ୍କ ତଳ କର୍ମଚାରୀ ଧନ୍ଦା ପରିବର୍ତ୍ତନ କରି ଉଚିତ୍ ଧନ୍ଦାରେ ଜୀବନ ବିତାଇବା ବାଟ ବାଛି ନେଲେଣି । ହେଲେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଠାରେ ଏହାର ବହୁତ ବ୍ୟତିକ୍ରମ ଆଖି ଆଗରେ ଦେଖିବାକୁ ମିଳୁଛି । ଏଠାରେ ଟଙ୍କା ହିଁ ସବୁକିଛି ବୋଲି ହାଟରୁ ଆରମ୍ଭ ହୋଇ ଚା ଖଟି ଓ ପାନ ଦୋକାନରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି ।
ସୂଚନା ମୁତାବକ, କିଛି ପ୍ରଭାବଶାଳୀ ଅସାଧୁ ମାଫିଆ ହାତଗୁଞ୍ଜା ଓ ମାସିକିଆ ମୋଟା ଅଙ୍କର ପ୍ରଲୋଭନ ଦେଖାଇ ରାଜସ୍ବକୁ ଲୁଟିବାକୁ ବସିଛନ୍ତି । ଯାହାର ଉଦାହରଣ ବର୍ତ୍ତମାନ ଧିରେ ଧିରେ ଲୋକଲୋଚନକୁ ଆସିବାକୁ ଲାଗିଲାଣି। ଏଥିପ୍ରତି ଆମ ମୋହନ ଭାଇ ସରାକାରଙ୍କ ଦୃଷ୍ଟି ନିହାତି ପଡ଼ିବାର ଆବଶ୍ୟକ ରହିଛି ବୋଲି ସାଧାରଣରେ ଦାବି ହୋଇଛି ।
ଖବର ଥାଉକି, କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକ ଏକ ଆଦିବାସୀ ବହୁଳ ଅଞ୍ଚଳ ଭାବେ ବେଶ୍ ପରିଚିତ । ଏଠାରେ ଲୋକଙ୍କୁ ନୂତନ ସରକାରଙ୍କ ସବୁ ସୁବିଧା ଥାଇ ମଧ୍ୟ ଲୋକମାନେ କେତେକ ଦୁର୍ନୀତି ଖୋର ସରକାରୀ ବାବୁଙ୍କ ପାଇଁ କିଛି ଭୁଲ ନଥାଇ ମଧ୍ୟ ବଡ଼ ବଡ଼ ଅସୁବିଧାର ସମ୍ମୁଖୀନ ହେଉଥିବା ନଜିର ରହିଛି । ଏଠାକାର ବାଲି ମାଫିଆମାନେ ନିଜର ପାରିବା ପଣିଆ ଦେଖାଇବା ସହ ସାପ୍ତାହିକ ମୋଟା ଅଙ୍କର ଡିଲ୍ ଫିକ୍ସ୍ କରି ବାହାର ବେଆଇନ ବାଲି ବୋଝେଇ ଗାଡ଼ି ଗୁଡ଼ିକୁ ପୋଲିସ ହାତରେ ଅତ୍ୟଧିକ ଜୋରିମାନା ଲଗାଇ ଦୀର୍ଘଦିନ ଧରି ଅଟକ ରଖୁଛନ୍ତି । ସଲାସୁତୁରା କରି ଉକ୍ତ ମାଫିଆମାନେ ଲୋକଙ୍କ ଠାରୁ ମନମୁଖି ଅଧିକ ଟଙ୍କା ନେଇ ନିଜର ବେଆଇନ୍ ବାଲି ବୋଝେଇ ଗାଡ଼ି ଗୁଡିକୁ ମନଇଚ୍ଛା ଦିନଦ୍ବିପହର ଥାନା ନିକଟରେ ବିକ୍ରି କରିବା ପାଇଁ ଭୟ କରୁନଥିବା ଜନସାଧାରଣରେ ଅଭିଯୋଗ ହୋଇଛି । ସେତିକି ନୁହେଁ ସ୍ଥାନୀୟ ମୂଷଳ ନଦୀରୁ କିଛି ମାଫିଆ ହାତ ସଫାକରି ବେଧଡକ ବେଆଇନ୍ ଭାବେ ମେସିନ୍ ଲଗାଇ ପୁରାରାତି ବାଲି ଚୋରା ଚାଲାଣ କରୁଛନ୍ତି । ପୋଲିସ ବିଭାଗରେ ଅଭିଯୋଗ କଲେ, ଗୁପ୍ତ ସୂଚନା ଦ୍ବାରା ମାଫିଆ, ଗାଡ଼ି ଓ ମେସିନ୍ ଘଟଣାସ୍ଥଳରୁ ହଟିବା ପରେ ପୋଲିସ ପହଞ୍ଚୁଥିବା ସାଧାରଣରେ ପୂର୍ବରୁ ବାରମ୍ବାର ଅଭିଯୋଗ ରହିଛି । ଏମାନେ ଦିନ ଦ୍ବିପହରରେ ଖୋଲମଖୋଲା ମନମୁଖି ଭାବେ ରାଜସ୍ବ ଲୁଟି ନିଜେ ମାଲେମାଲ୍ ହେବା ସହ ପୋଲିସକୁ ମାଲେମାଲ୍ କରୁଥିବା ଚର୍ଚ୍ଚା ଜୋର୍ ଧରିଛି । ଏମିତି ମାଫିଆ ରାଜ ଚାଲିଥିବା ପର୍ଯ୍ୟନ୍ତ, ଏ ଅଞ୍ଚଳର ଗରିବ ଖଟିଖିଆ ଆଦିବାସୀ ଲୋକ କେବେବି କୌଣସି ଉନ୍ନତି କରିପାରିବେ ନାହିଁ। ସେମାନେ ପାଉଥିବା ସରକାରୀ ଘର ଯୋଜନାରେ ହେଉ କି ନିଜେ ଖଣ୍ଡେ ବାସଗୃହ ନିର୍ମାଣ କରିପାରିବ ନାହିଁ । ଯଦି ହେଉଛି ଭଲ ଭାବରେ ହେଉ ମାଫିଆ ହଟିବା ନିହାତି ଆବଶ୍ୟକ ରହିଛି, ତେଣିକି ସିଏ ପ୍ରଭାବଶାଳୀ ବ୍ୟକ୍ତି ହୁଅନ୍ତୁ କିମ୍ବା ଶାସକ ଦଳର ବୋଲାଉଥିବା ବଡ଼ କର୍ମୀ ହୁଅନ୍ତୁ । ସମସ୍ତଙ୍କ ପାଇଁ ଗୋଟିଏ ନିୟମ କାନୁନ ରହିବା ନିହାତି ଦରକାର ବୋଲି ଏ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ । ଏହାସତ୍ବେ ଲୋକଙ୍କ କହିବା ଅନୁଯାୟୀ, ଏଠାକାର ସାପ୍ତାହିକ ହାଟରୁ ଗୋରୁ ମାଫିଆଙ୍କ ଠାରୁ ମୋଟା ଅଙ୍କର ହାତଗୁଞ୍ଜା ନେଇ ସବୁ ଠିକ୍ । ଏଥିସହ ଏହି ରାସ୍ତା ଦେଇ ଅନ୍ୟ ଜିଲ୍ଲା ହାଟରୁ ପାଦଚଲା ଶହଶହ ଗୋରୁ ପଲ ଯାଉଥିବା ମାଫିଆଙ୍କ ଠାରୁ ମାସିକିଆ ନିର୍ଦ୍ଧାରିତ ମୋଟା ଅଙ୍କ ପାଇ ପୋଲିସ୍ ମାଲେମାଲ୍ ହେଉଥିବା ଦୃଶ୍ୟ କାହାରିକୁ ଅଛପା ନାହିଁ। ଏମିତି ବି ଅନେକ ଗୁମର ରହିଛି ଯାହାକି ଆଗାମୀ ଅଧ୍ୟାୟରେ ଲୋକ ଲୋଚନକୁ ଆସିବା ପାଇଁ ପ୍ରସ୍ତୁତ ହେଉଛି । ଏଥିପ୍ରତି ଆମ ସରକାର ଓ କେନ୍ଦୁଝର ଜିଲ୍ଲାପାଳ ଦୃଷ୍ଟି ଦେଇ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏଠାକାର ଜନ ସାଧାରଣରେ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରେମାନନ୍ଦ