ଚୋରା କାଠ ବୋଝେଇ ମାର୍ଶଲ ଦୁର୍ଘଟଣାଗ୍ରସ୍ତ : ଗାଡ଼ି ସହ ବିପୁଳ କାଠ ଜବତ
Stolen wood seized in Kolabira
ଚୋରା କାଠ ବୋଝେଇ ମାର୍ଶଲ ଦୁର୍ଘଟଣାଗ୍ରସ୍ତ : ଗାଡ଼ି ସହ ବିପୁଳ କାଠ ଜବତ


ଝାରସୁଗୁଡ଼ା, 28 ମେ (ହି.ସ.)

ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ–୪୯ ର ମାଳିଡିହି ଗ୍ରାମ ନିକଟ ନୂଆଁଡିହି ଅଞ୍ଚଳରେ ଗୁରୁବାର ଭୋର ସମୟରେ ଚୋରା କାଠ ବୋଝେଇ ଏକ ମାର୍ଶଲ ଗାଡ଼ି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା କଦମ୍ବ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ଗାଡ଼ିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିବା ବେଳେ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ପହଞ୍ଚି ଦେଖିଥିଲେ ଯେ, ଓଆର–୧୫–ଏଫ–୭୭୭୭ ନମ୍ବର ବିଶିଷ୍ଟ ମାର୍ଶଲ ଗାଡ଼ି ଭିତରେ ବହୁ ପରିମାଣର ଚଉକାଠ ଓ କାଠ ପଟା ରହିଥିଲା। ଖବର ପାଇ କୋଲାବିରା ପୋଲିସ ସହ କୋଲାବିରା ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।

କୋଲାବିରା ଫରେଷ୍ଟ ରେଞ୍ଜର ଓ ଫରେଷ୍ଟର ରମାକାନ୍ତ ନାୟକଙ୍କ ନେତୃତ୍ୱରେ ବନ ବିଭାଗ ଦୁର୍ଘଟଣାଗ୍ରସ୍ତ ଗାଡ଼ି ସହ ୧୭ ଖଣ୍ଡ ଚଉକାଠ ଏବଂ ୩ ଖଣ୍ଡ କାଠ ପଟା ଜବତ କରିଛି। ପରେ ଜବତ ଗାଡ଼ି ଓ କାଠକୁ କୋଲାବିରା ବନ ବିଭାଗ କାର୍ଯ୍ୟାଳୟକୁ ଆଣାଯାଇଛି।

ସୂଚନା ଅନୁଯାୟୀ, ଗାଡ଼ିଟି କୁଚିଣ୍ଡା ଅଞ୍ଚଳରୁ ଝାରସୁଗୁଡ଼ା ଆଡ଼କୁ ଯାଉଥିଲା। ଗାଡ଼ିର ମାଲିକ କିଏ ଏବଂ କାଠ କେଉଁଠାକୁ ଚାଲାଣ ହେଉଥିଲା, ସେନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି।

ଉଲ୍ଲେଖଯୋଗ୍ୟ ଯେ, କୁଚିଣ୍ଡା, ବଣେଇ ଓ ଦେବଗଡ଼ ଅଞ୍ଚଳରୁ ପ୍ରତିଦିନ ରାତିରେ ବିଭିନ୍ନ ଗାଡ଼ି ଯୋଗେ ଝାରସୁଗୁଡ଼ା ଅଞ୍ଚଳକୁ ଚୋରା କାଠ ଚାଲାଣ ହେଉଥିବା ନେଇ ପୂର୍ବରୁ ଅନେକ ଅଭିଯୋଗ ହୋଇଆସୁଛି। ପୋଲିସ ଓ ବନ ବିଭାଗ ପକ୍ଷରୁ ପେଟ୍ରୋଲିଂ କଡ଼ାକଡ଼ି କରାଗଲେ ଏପରି ଚୋରା କାଠ ଚାଲାଣକୁ ରୋକାଯାଇପାରିବ ବୋଲି ସ୍ଥାନୀୟ ଲୋକମାନେ ମତ ପ୍ରକାଶ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande