

ବଲାଙ୍ଗୀର, ୦୮ ମଇ(ହି.ସ.) – କୁଡସିଂହା ଅଂଚଳର ଗୋପାଳ ସାହୁ ଆଜି ଅତ୍ୟନ୍ତ ଦୁଃଖଦ ଓ ଅସହାୟ ପରିସ୍ଥିତି ମଧ୍ୟରେ ଜୀବନ କାଟୁଛନ୍ତି। ଚିକିତ୍ସାଜନିତ ସମସ୍ୟା କାରଣରୁ ପ୍ରଥମେ ପ୍ରାୟ ଦୁଇବର୍ଷ ପୂର୍ବେ ତାଙ୍କର ଗୋଟିଏ ଗୋଡ଼ କାଟିବାକୁ ପଡ଼ିଥିଲା ପରେ ଶାରୀରିକ ଅବସ୍ଥା ଅଧିକ ଜଟିଳ ହେବାରୁ ସମ୍ପ୍ରତି ତାଙ୍କର ଆଉ ଗୋଟିଏ ଗୋଡ଼ ମଧ୍ୟ କାଟିବାକୁ ପଡ଼ିଛି। ପରିବାରର ଏକମାତ୍ର ଉପାର୍ଜନକାରୀ ଥିବା ଶ୍ରୀ ସାହୁ ବର୍ତମାନ ସମ୍ପୂର୍ଣ୍ଣ ଭାବେ ଶଯ୍ୟାଶାୟୀ ଅବସ୍ଥାରେ ଅଛନ୍ତି। ଦୁଇଟି ଗୋଡ଼ ହରାଇବା ପରେ ତାଙ୍କ ପରିବାରର ଆର୍ôଥକ ସ୍ଥିତି ଭାଙ୍ଗିପଡ଼ିଛି। ଦୈନନ୍ଦିନ ଖାଦ୍ୟ ଓ ଔଷଧ ଖର୍ଚ୍ଚ ଯୋଗାଡ଼ କରିବା ମଧ୍ୟ ପରିବାର ପାଇଁ କଷ୍ଟକର ହୋଇପଡ଼ିଛି। ପରିବାର ଚଳାଇବା ପାଇଁ ତାଙ୍କ ସ୍ତ୍ରୀ ଦିନମଜୁରିଆ ଭାବେ କାମ କରି ପରିବାରକୁ ସମ୍ଭାଳୁଥିବା ଜଣାଇପଡ଼ିଛି। ଏହି ଦୁଃଖଦ ପରିସ୍ଥିତି ବିଷୟରେ ଜାଣିବା ପରେ ମାହେଶ୍ୱରୀ ପକ୍ଷରୁ ସହଯୋଗ ରାଶି ତାଙ୍କ ଘରକୁ ପହଂଚି ପ୍ରଦାନ କରାଯାଇଛି। ସଂଗଠନର ସଭାପତି ଶୋଭନ କୁମାର ଅଗ୍ରୱାଲ, ସଦସ୍ୟ ସୁରଜ କୁମାର ପଟେଲ, ପଦ୍ମାଳୟା ବାରିକ, ମନୋରଂଜନ ଝାଙ୍କର, ଲୋକନାଥ ପଧାନ, ହିରନ୍ ମଲ୍ଲିକ, ଜୁଲିଏନା ରିଟଚେ ତାଙ୍କ ସହ ସାକ୍ଷାତ କରି ଆଗାମୀ ଚିକିତ୍ସା, ଔଷଦ, ଫିଜିଓଥେରାପି ଓ ପୁନର୍ବାସ ପାଇଁ ସମସ୍ତଙ୍କୁ ସହଯୋଗର ହାତ ବଢ଼ାଇବାକୁ ଅନୁରୋଧ କରିଛନ୍ତି। ମାହେଶ୍ୱରୀ ସଂଗଠନର ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ କହିଛନ୍ତି ଯେ, ସମାଜର ଅସହାୟ ଓ ଆବଶ୍ୟକତାରେ ଥିବା ଲୋକଙ୍କ ପାଖରେ ଠିଆ ହେବା ହିଁ ସଂଗଠନର ମୂଳ ଉଦ୍ଦେଶ୍ୟ ଓ ଆଗାମୀ ଦିନରେ ମଧ୍ୟ ଏଭଳି ମାନବିକ କାର୍ଯ୍ୟ ଜାରି ରହିବ ଏବଂ ଯଥା ସମ୍ଭବ ଶ୍ରୀ ସାହୁଙ୍କୁ ସହଯୋଗ କରନ୍ତୁ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ