
ଝାରସୁଗୁଡା ଜ଼ିଲ୍ଲା ପ୍ରଶାସନ ପକ୍ଷ ରୁ ଆନ୍ତର୍ଜାତୀୟ ରେଡକ୍ରସ ଦିବସ ପାଳିତ : “ମାନବତାରେ ଏକତା” ବଜାୟ ରଖିବାକୁ ଆହ୍ୱାନ
ଝାରସୁଗୁଡା , 09 ମେ (ହି.ସ.) ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ରେଡକ୍ରସ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଜିଲ୍ଲା ଖଣିଜ ପାଣ୍ଠି ପ୍ରେକ୍ଷାଗୃହରେ ଆନ୍ତର୍ଜାତୀୟ ରେଡକ୍ରସ ଦିବସ ଉଦଯାପିତ ହୋଇଯାଇଛି। ଚଳିତ ବର୍ଷର ମୂଳ ବିଷୟବସ୍ତୁ ଥିଲା — “ମାନବତାରେ ଏକତା”।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ବ୍ରଜବନ୍ଧୁ ଭୋଇ ଯୋଗଦେଇ ରେଡକ୍ରସର ସେବାମୂଳକ କାର୍ଯ୍ୟ, ତ୍ୟାଗ ଓ କରୁଣାର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ମାନସିକତାରେ ପରିବର୍ତ୍ତନ ଆଣି ନିସ୍ୱାର୍ଥପର ସେବା ମନୋଭାବ ଗଢ଼ି ତୋଳିବା ସହ ସମାଜର ପ୍ରତ୍ୟେକ ଲୋକଙ୍କ ପ୍ରତି ସହାୟତାର ହାତ ବଢ଼ାଇବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ lଏହି ଅବସରରେ ସେ ରେଡକ୍ରସର ଇତିହାସ, ମାନବ ସେବା ଓ ସମାଜ ପ୍ରତି ଏହାର ଅବଦାନ ସମ୍ପର୍କରେ ମଧ୍ୟ ଆଲୋଚନା କରି ଉଦାହରଣ ମାଧ୍ୟମ ରେ ସମସ୍ତଙ୍କୁ ସେବାମୂଳକ କାର୍ଯ୍ୟରେ ସାମିଲ ହେବା ପାଇଁ ଆହ୍ୱାନ କରିଥିଲେ।
ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ନନ୍ଦ ଯୋଗଦେଇ ନିସ୍ୱାର୍ଥପର ସେବାଭାବ ଗଢ଼ି ତୋଳିବା ସହ ମନରେ ଦୟା ଓ କରୁଣା ଜାଗୃତ କରି ସମସ୍ତଙ୍କୁ ସହଯୋଗ କରିବାକୁ ଆହ୍ୱାନ ଜଣାଇଥିଲେ।
ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା ଯୋଗଦେଇ ନିଜ ସ୍ତରରେ ସମାଜସେବା କାର୍ଯ୍ୟ କରିବା ସହ ସାଧାରଣ ଲୋକଙ୍କ ଅଭିଯୋଗ ଓ ସମସ୍ୟାର ସମାଧାନରେ ସହଯୋଗୀ ହେବା ପାଇଁ ଆହ୍ୱାନ କରିଥିଲେ।
ସହକାରୀ ଜିଲ୍ଲାପାଳ, (ରେଡକ୍ରସ ଶାଖା ) ମୃତ୍ୟୁଞ୍ଜୟ ଶବର ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଦିବସର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଧନ୍ୟବାଦ ଜ୍ଞାପନ କରିଥିଲେ।
ଏହି ଅବସରରେ ରେଡକ୍ରସ ସଂଗଠନର ଇତିହାସ ଓ କାର୍ଯ୍ୟଧାରା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ୧୮୬୩ ମସିହାରେ ସ୍ଥାପିତ ଏହି ସଂଗଠନ ବିପଦ ସମୟରେ ମାନବ ସେବା, ରକ୍ତଦାନ, ସ୍ୱାସ୍ଥ୍ୟ ସଚେତନତା ଓ ଦୁର୍ବଳ ଲୋକଙ୍କ ସହାୟତାରେ ସଦାସର୍ବଦା ଅଗ୍ରଣୀ ଭୂମିକା ଗ୍ରହଣ କରିଆସୁଛି ବୋଲି ଉପସ୍ଥିତ ସଦସ୍ୟ ଓ ସଦସ୍ୟାମାନେ ମତବ୍ୟକ୍ତ କରିଥିଲେ।
ରେଡକ୍ରସର ମୂଳ ଲକ୍ଷ୍ୟ ହେଉଛି ମାନବତାର ସେବା ଓ ଦୁଃଖିତ ଲୋକଙ୍କୁ ସହାୟତା ପ୍ରଦାନ କରିବା। ଏହାର ମୂଳ ନୀତି — ମାନବତା, ନିଷ୍ପକ୍ଷତା, ନିରପେକ୍ଷତା, ସ୍ୱାଧୀନତା, ସ୍ୱେଚ୍ଛାସେବା, ଏକତା ଓ ସାର୍ବଭୌମତା ବିଷୟରେ ସମସ୍ତଙ୍କୁ ଅବଗତ କରାଯାଇଥିଲା। ଏଥିସହ ସମସ୍ତଙ୍କୁ ସମାଜସେବା ଓ ରକ୍ତଦାନ ପ୍ରତି ଆଗ୍ରହୀ ହେବା ପାଇଁ ଆହ୍ୱାନ କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ