
ଭୁବନେଶ୍ୱର, ୯ ମଇ (ହି.ସ.)- ମଇ ୯ ତାରିଖ ସକାଳ ଠାରୁ ୧୪ ତାରିଖ ସକାଳ ସୁଦ୍ଧା ଝଡ଼, ବଜ୍ରପାତ ଓ ପବନର ସମ୍ଭାବନା ନେଇ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ ।
ଝଡ଼, ବଜ୍ରପାତ ଓ ପବନର ସମ୍ଭାବନା ନେଇ ଆଗାମୀ ୨୪ ଘଂଟା ପାଇଁ ରାଜ୍ୟର ୫ ଜିଲ୍ଲା(ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ)କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଅନ୍ୟ ୨୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକରେ ପବନର ବେଗ ଘଂଟା ପ୍ରତି ୫୦ରୁ ୬୦ କି.ମି. ଏବଂ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକରେ ପବନର ବେଗ ଘଂଟା ପ୍ରତି ୪୦ରୁ ୫୦ କି.ମି. ରହିପାରେ ।
ସେହିପରି ଝଡ଼, ବଜ୍ରପାତ ଓ ପବନର ସମ୍ଭାବନା ନେଇ ୧୦ ତାରିଖ ସକାଳ ଠାରୁ ୧୧ ତାରିଖ ସକାଳ ସୁଦ୍ଧା ୩୦ ଜିଲ୍ଲା, ୧୧ ତାରିଖ ସକାଳ ଠାରୁ ୧୨ ତାରିଖ ସକାଳ ସୁଦ୍ଧା ୧୭ ଜିଲ୍ଲା, ୧୨ ତାରିଖ ସକାଳ ଠାରୁ ୧୩ ତାରିଖ ସକାଳ ସୁଦ୍ଧା ୧୬ ଜିଲ୍ଲା, ୧୩ ତାରିଖ ସକାଳ ଠାରୁ ୧୪ ତାରିଖ ସକାଳ ସୁଦ୍ଧା ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ସେହିପରି ୧୪ ତାରିଖ ସକାଳ ଠାରୁ ୧୬ ତାରିଖ ସକାଳ ପର୍ଯ୍ୟନ୍ତ କୌଣସି ଚେତାବନୀ ନାହିଁ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶନିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ