
Bhubaneswar, 20 ଜୁନ୍ (ହି.ସ.)
ଜାତୀୟ ଶିକ୍ଷାନୀତି-୨୦୨୦ ଆଧାରରେ ପ୍ରସ୍ତୁତ ଅବୈଜ୍ଞାନିକ ପାଠ୍ୟକ୍ରମ ଓ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ସଂପୂର୍ଣ୍ଣ ପ୍ରତ୍ୟାହାର କରି ନୂତନ ପାଠ୍ୟପୁସ୍ତକ ଛାତ୍ରଛାତ୍ରୀମାନଙ୍କୁ ବିତରଣ କରିବା, ଗଣ ଶିକ୍ଷା ମନ୍ତ୍ରୀ ସମେତ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରକାଶନରେ ସମ୍ପୃକ୍ତ ସମସ୍ତ ଅଧିକାରୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା, ଶିକ୍ଷା ଧ୍ଵଂସକାରୀ ଜାତୀୟ ଶିକ୍ଷାନୀତି ୨୦୨୦କୁ ସମ୍ପୂର୍ଣ୍ଣ ବାତିଲ କରିବା ଦାବିରେ ଆଜି ଏଆଇଡିଏସଓ ପକ୍ଷରୁ ଲୋୟର ପିଏମଜି ଠାରେ ଛାତ୍ର ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଭଳି ଏକ ଆଦିବାସୀ ଅଧ୍ୟୁଷିତ ରାଜ୍ୟରେ ଉତ୍ତମ ସରକାରୀ ଶିକ୍ଷା ଅତ୍ୟନ୍ତ ଜରୁରୀ ଥିବା ସତ୍ତ୍ୱେ ଗତ ସରକାର ପ୍ରାୟ ସାତ ହଜାରରୁ ଉର୍ଦ୍ଧ୍ଵ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିଥିଲେ ଏବଂ ବର୍ତ୍ତମାନର ଡବଲ ଇଞ୍ଜିନ ସରକାର ତାହା ଖୋଲିବା ତ ଦୁରର କଥା ବରଂ ବନ୍ଦ ହେବା ପ୍ରକ୍ରିୟା ଚାଲିଛି। ଅନ୍ୟପଟରେ ରାଜ୍ୟରେ ହଜାର ହଜାର ଶିକ୍ଷକ, ଶିକ୍ଷା କର୍ମଚାରୀ ପଦବୀ ଖାଲି ପଡ଼ିଛି। ରାଜ୍ୟର ପ୍ରାଥମିକ ଶିକ୍ଷା ସମ୍ପୂର୍ଣ୍ଣ ଭୁଷୁଡି ପଡିବା ଅବସ୍ଥାରେ। ତେଣୁ ଆଜି ରାଜ୍ୟର ଜନଗଣ ସରକାରୀ ଅନୁଷ୍ଠାନ ପ୍ରତି ଆସ୍ଥା ହରେଇବାରେ ଲାଗିଛନ୍ତି। ସରକାରୀ ଶିକ୍ଷାର ଏହିପରି ପରିସ୍ଥିତିରେ ଜାତୀୟ ଶିକ୍ଷାନୀତି - ୨୦୨୦ ଆଧାରରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମ ପରିବର୍ତ୍ତନ କରି ନୂତନ ପୁସ୍ତକ ପ୍ରସ୍ତୁତ କରିବା ଏବଂ ସେହିସବୁ ପାଠ୍ୟ ପୁସ୍ତକରେ ପ୍ରାୟ ୧୭୦୦ଟି ଭୁଲ ପରିଲକ୍ଷିତ ହେବା ସରକାରୀ ଶିକ୍ଷା ବ୍ୟବସ୍ଥା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଟିକେ ନିରିଖେଇ ଦେଖିଲେ ଆହୁରି ଅଧିକ ସଂଖ୍ୟକ ଭୁଲ ମଧ୍ୟ ବାହାରିବ। ମୂଳତଃ ପାଠ୍ୟକ୍ରମରେ ଅନେକ ଅବୈଜ୍ଞାନିକ, ଅଯୌକ୍ତିକ ତଥା ମନଗଢ଼ା କାହାଣୀକୁ ଭର୍ତ୍ତି କରାଯାଇ ପାଠ୍ୟକ୍ରମର ଏକ ମୌଳିକ ଭିତ୍ତିଗତ ପରିବର୍ତ୍ତନ କରାଯାଇଛି । ଏହାଦ୍ୱାରା ଛାତ୍ରଛାତ୍ରୀମାନେ କେବଳ ତଥ୍ୟଗତ ଭାବେ ଭୁଲ ଶିକ୍ଷା ପାଇବେ ନାହିଁ ଆହୁରି ମଧ୍ୟ ବିକୃତ ଶିକ୍ଷା ପାଇବେ, ଯଦ୍ୱାରାକି ସେମାନଙ୍କର ଚିନ୍ତା କରିବାର କ୍ଷମତା ମଧ୍ୟ ଭୟଙ୍କର ଭାବେ ବାଧାପ୍ରାପ୍ତ ହେବ। ଫଳରେ ଏହିପରି ଅବୈଜ୍ଞାନିକ ତଥା ଭୁଲ ଶିକ୍ଷା ଗ୍ରହଣ କରି ରାଜ୍ୟର ଲକ୍ଷ ଲକ୍ଷ କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଯେ ଅନ୍ଧକାରମୟ ହେବ କେବଳ ସେତିକି ନୁହେଁ ଆହୁରି ମଧ୍ୟ ସେମାନେ ଅନ୍ଧତା, କୂପମଣ୍ଡୁକତାର ଶୀକାର ହେବେ ଏବଂ ଏହା ସରକାରୀ ଶିକ୍ଷାକୁ ଧ୍ଵଂସ କରି ଶିକ୍ଷାର ଘରୋଇକରଣ, ବେପାରୀକରଣର ରାସ୍ତା ସୁଗମ କରିବାରେ ସହାୟକ ହେବ ବୋଲି ଛାତ୍ର ବିକ୍ଷୋଭ ସ୍ଥଳରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଛାତ୍ର ନେତାମାନେ କହିଛନ୍ତି । ଆଜିର ଛାତ୍ର ବିକ୍ଷୋଭରେ ଏଆଇଡିଏସଓ ରାଜ୍ୟ ସଭାପତି ସୋମନାଥ ବେହେରା , ସମ୍ପାଦକ ସିଦ୍ଧାର୍ଥ ରଥ , ଉପ-ସଭାପତି ନିରୂପମା ବେହେରା , ଭାଗ୍ୟରବୀ ଦାସ , ଅଫିସ ସମ୍ପାଦକ ନସିମ ସରକାର , କୋଷାଧ୍ୟକ୍ଷା ସପ୍ତର୍ଷିନି ରାଉଳ, ସମ୍ପାଦକ ମଣ୍ଡଳୀ ସଭ୍ୟ ପରମାନନ୍ଦ ସାହୁ , ବିନୋଦ ସେଠୀ , ସଂଯୁକ୍ତା ସାହୁ , ନାରାୟଣ ନାୟକ, ନାରାୟଣ ସାହୁ ଏବଂ ରାଜ୍ୟ କମିଟି ସଦସ୍ୟ କିସାନ ସାହୁ , ଅବିନାଶ ପ୍ରଧାନ, ଶିବାନୀ ସାହୁ, ଜ୍ୟୋତ୍ସ୍ନାରାଣୀ ଦାସ ପ୍ରମୂଖ ନେତୃତ୍ୱ ନେଇଥିଲେ । ବିକ୍ଷୋଭ ସ୍ଥଳରୁ ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସରକାର ଅବିଳମ୍ବେ ଅବୈଜ୍ଞାନିକ ପାଠ୍ୟକ୍ରମ ଓ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ସଂପୂର୍ଣ୍ଣ ପ୍ରତ୍ୟାହାର କରି ନୂତନ ପାଠ୍ୟପୁସ୍ତକ ଛାତ୍ରଛାତ୍ରୀମାନଙ୍କୁ ବିତରଣ ନ କଲେ ଦୃଢ଼ ଛାତ୍ର ଆନ୍ଦୋଳନ ସଂଗଠିତ କରାଯିବ ବୋଲି ଏଆଇଡିଏସଓ ପକ୍ଷରୁ ଚେତାବନୀ ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା