
ଭୁବନେଶ୍ୱର , ୨୩ ଜୁନ୍ (ହି.ସ.)- ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଥିବା ଓଡ଼ିଶାର ସମସ୍ତ ବ୍ୟକ୍ତିତ୍ୱଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ମୟୂରଭଞ୍ଜର ଶ୍ରୀ ଚରଣ ହେମ୍ବ୍ରମ, କଳା କ୍ଷେତ୍ରରେ ଗଞ୍ଜାମର ଗୁରୁ ସୀମାଂଚଳ ପାତ୍ର ଏବଂ କଟକ ତିଗିରିଆର ବିଶିଷ୍ଟ ବାନ୍ଧଶିଳ୍ପୀ ଶ୍ରୀ ଶରତ କୁମାର ପାତ୍ରଙ୍କ ସାଧନା ସମଗ୍ର ରାଜ୍ୟ ପାଇଁ ଅତ୍ୟନ୍ତ ଗୌରବର ବିଷୟ। ଆପଣମାନଙ୍କର ଏହି ନିଷ୍ଠାପର ନିଦର୍ଶନ ଆମ ସମୃଦ୍ଧ କଳା, ଭାଷା ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବା ସହ ଓଡ଼ିଶାର ଅସ୍ମିତାକୁ ଅଧିକ ମହିମାମଣ୍ଡିତ କରିଛି।
ତୃଣମୂଳ ସ୍ତରର ପ୍ରକୃତ ସାଧକମାନଙ୍କୁ ଚିହ୍ନଟ କରି 'ପିପୁଲ୍ସ ପଦ୍ମ' ମାଧ୍ୟମରେ ସେମାନଙ୍କ ଶ୍ରମ ଓ ସାଧନାକୁ ରାଷ୍ଟ୍ରୀୟ ସ୍ତରରେ ସମ୍ମାନିତ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଏବଂ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜୀଙ୍କୁ ଓଡ଼ିଶାବାସୀଙ୍କ ତରଫରୁ କୃତଜ୍ଞତା ଜଣାଉଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତ ପୁରସ୍କାର ବିଜେତାଙ୍କ ସୁସ୍ଥ, ନିରାମୟ ଓ ଦୀର୍ଘାୟୁ ଜୀବନ କାମନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା