

ସମ୍ବଲପୁର, ୨୦, ଜୁନ୍ (ହି.ସ.) - ବାର୍ଷିକ ବିପର୍ଯ୍ୟୟ ପ୍ରଶମନ ଅଭ୍ୟାସ ଅନ୍ତର୍ଗତ ସମ୍ଭାବ୍ୟ ବିପର୍ଯ୍ୟୟର ସଫଳ ମୁକାବିଲା ପାଇଁ ଗତ ୧୮ ତାରିଖ ଦିନ ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟ ପକ୍ଷରୁ ଏକ ଟେବୁଲ୍ ଟପ୍ ଏକ୍ସରସାଇଜ୍ ଆୟୋଜିତ ହୋଇଥିଲା ଏବଂ ୧୯ ତାରିଖ ଦିନ ଜିଲ୍ଲାର ସମସ୍ତ ବନ୍ୟା ଆଶ୍ରୟସ୍ଥଳୀରେ ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଥିଲା। ଏହି ମକ୍ ଡ୍ରିଲ୍ରେ ଏନ୍ଡିଆରଏଫ୍ ଟିମ୍, ଅଗ୍ନିଶମ ବିଭାଗ, ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ବନ୍ୟା ଆଶ୍ରୟସ୍ଥଳୀର ସଭାପତି ଓ ସମ୍ପାଦକମାନଙ୍କ ସହଯୋଗ ରହିଥିଲା। ଏନ୍ଡିଆରଏଫ୍ର ଇନ୍ସପେକ୍ଟର ଆର.ଏସ୍. ରାଣାଙ୍କ ନେତୃତ୍ୱରେ ବନ୍ୟା ପରିସ୍ଥିତିରେ ନିଜକୁ କିପରି ସୁରକ୍ଷିତ ରଖିବେ, ବଜ୍ରପାତରୁ ସୁରକ୍ଷା, ସର୍ପଦଂଶର ପ୍ରାଥମିକ ଚିକିତ୍ସା ଏବଂ ସିପିଆର୍ ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ସମଲେଶ୍ୱରୀ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀରେ ଏନ୍ଡିଆରଏଫ୍ ଟିମ୍ ଦଉଡ଼ି ବ୍ୟବହାର କରି କୌଣସି ବ୍ୟକ୍ତି ଯଦି ଗୃହ ଭିତରେ ଫସି ଯାଇଥାନ୍ତି, ତେବେ ତାଙ୍କୁ କିପରି ଉଦ୍ଧାର କରାଯାଇପାରିବ, ତାହାର ପ୍ରଦର୍ଶନ କରିଥିଲେ। ଏହି ବିପର୍ଯ୍ୟୟ ସଚେତନତା କାର୍ଯ୍ୟକ୍ରମରେ ମହିଳାମାନଙ୍କର ସକ୍ରିୟ ଅଂଶଗ୍ରହଣ ବିଶେଷ ଭାବେ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ ଭୋଇଙ୍କ ତତ୍ୱାବଧାନରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଯୋଗେଶପ୍ରିୟ ବଢାଇ ଏବଂ ଡିପିଓ (ଇମର୍ଜେନ୍ସି) ଗୀତାଞ୍ଜଳି ସା'ଙ୍କ ଦ୍ୱାରା ଆୟୋଜିତ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ