
ଚମ୍ପୁଆ, ୨୦ ଜୁନ୍ (ହି.ସ.)- ଚମ୍ପୁଆ ଉପଖଣ୍ଡସ୍ଥ ଯୋଡ଼ା ବ୍ଳକ ଅନ୍ତର୍ଗତ ବଡ଼ କାଳିମାଟି ପଞ୍ଚାୟତରେ ଏକ ପ୍ରମୁଖ ରାସ୍ତା ଏବେ ମରଣଯନ୍ତା ପାଲଟିଛି। କାଳିମାଟି ଛକ ଠାରୁ ଜଗନ୍ନାଥ ମନ୍ଦିର ଦେଇ ଯାଇଥିବା ଦବୁନା ନିଉ କଲୋନୀ ଓ ହାଣ୍ଡି ଭଙ୍ଗା ରାସ୍ତାର ଉଭୟ ପାର୍ଶ୍ବରେ ଅନାବନା ଗଛଲତା ମାଡିଯାଇଛି। ଫଳରେ ସମ୍ପୂର୍ଣ୍ଣ ରାସ୍ତା ସଙ୍କୁଚିତ ହୋଇ ପଡ଼ିଥିବା ବେଳେ ଦୈନନ୍ଦିନ ଯାତାୟାତରେ ଘୋର ସମସ୍ୟା ଉପୁଜୁଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘ ବର୍ଷ ହେବ ଏହି ରାସ୍ତାର ମରାମତି କରାଯାଇ ନାହିଁ। ସାରା ରାସ୍ତା ଏବେ ବଡ଼ ବଡ଼ ଖାଲଖମାରେ ପରିପୂର୍ଣ୍ଣ ହୋଇ ରହିଛି। ବିଶେଷ କରି ସାଇକେଲ, ମୋଟରସାଇକେଲ ଓ ଅଟୋ ଚାଳକମାନେ ଏହି ରାସ୍ତାରେ ଯିବାଆସିବା କରିବା ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ପ୍ରତି ମୁହୂର୍ତ୍ତରେ ଦୁର୍ଘଟଣାର ଆଶଙ୍କା ଲାଗି ରହିଛି। ଏହି ରାସ୍ତା ଦେଇ ଦବୁନା ସେକ୍ରାଡିହି ଓଏମସି ଖଣି କମ୍ପାନୀର ଶତାଧିକ କର୍ମଚାରୀ ଓ ଗାଡ଼ି ସବୁବେଳେ ଯିବାଆସିବା କରୁଛନ୍ତି। ଖଣି ଅଞ୍ଚଳରୁ କମ୍ପାନୀ କୋଟି କୋଟି ଟଙ୍କାର ଲାଭ ନେଉଥିଲେ ସୁଦ୍ଧା, ସାଧାରଣ ଜନତା ବ୍ୟବହାର କରୁଥିବା ଏହି ରାସ୍ତାର ଉନ୍ନତି ପାଇଁ ମୁଠାଏ ମୋରମ ମଧ୍ୟ ପକାଉ ନାହିଁ। କମ୍ପାନୀର ଏଭଳି ସାମାଜିକ ଦାୟିତ୍ୱହୀନତାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଅନ୍ୟପକ୍ଷରେ ବର୍ତ୍ତମାନ ବର୍ଷା ଦିନ ଆରମ୍ଭ ହୋଇଯାଇଥିବାରୁ ସମସ୍ୟା ଦ୍ୱିଗୁଣିତ ହୋଇଛି। ରାସ୍ତା କଡ଼ରେ ଘଞ୍ଚ ଜଙ୍ଗଲ ଓ ଅନାବନା ଗଛ ଲତା ମାଡ଼ି ଯାଇଥିବାରୁ, ସେଥିମଧ୍ୟରୁ ବିଷଧର ସରୀସୃପ ଏବଂ ବନ୍ୟଜନ୍ତୁ ବାହାରି ପଥିକମାନଙ୍କୁ ଆକ୍ରମଣ କରିବାର ଭୟ ରହିଛି। ବିଶେଷ କରି ସନ୍ଧ୍ୟା ହେଲେ ଏହି ରାସ୍ତାରେ ଯିବା ଆଦୌ ନିରାପଦ ନୁହେଁ। ତେଣୁ ଓଏମସି କର୍ତ୍ତୃପକ୍ଷ କିମ୍ବା ସ୍ଥାନୀୟ ପ୍ରଶାସନ ତୁରନ୍ତ ଏହି ରାସ୍ତାର ଗଛଲତା ସଫା କରିବା ସହିତ ପିଚୁ କିମ୍ବା ମୋରମ ପକାଇ ରାସ୍ତା ମରାମତି କରିବାକୁ ସାଧାରଣରେ ଦାବୀ ହେଉଛି।
ହିନ୍ଦୁସ୍ଥାନ ସମାଚାର / Trinath Mahanta