
ଜୟପୁର, ୨୦ ଜୁନ୍ (ହି.ସ.)- ଜୟପୁର ଓ କୋରାପୁଟ ଜିଲ୍ଲାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଆହୁରି ଉନ୍ନତ ଓ ଆଧୁନିକ କରିବା ଦିଗରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ କରକମଳରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜୟପୁର ଠାରେ ଅତ୍ୟାଧୁନିକ ଡ୍ରାଏ କେମିଷ୍ଟ୍ରି ମେସିନ୍ ର ଶୁଭ ଉଦ୍ଘାଟନ ହୋଇଯାଇଛି।ଏହି ଅତ୍ୟାଧୁନିକ ମେସିନ୍ ମାଧ୍ୟମରେ ଗୋଟିଏ ନମୁନା ସଂଗ୍ରହରୁ ପ୍ରାୟ ୧୭,୦୦ରୁ ଅଧିକ ପ୍ରକାରର ପରୀକ୍ଷା କରାଯାଇପାରିବ। ଏହା ଦ୍ୱାରା ରୋଗ ନିରୂପଣ ପ୍ରକ୍ରିୟା ଅଧିକ ଦ୍ରୁତ, ନିର୍ଭୁଲ ଓ ସୁବିଧାଜନକ ହେବ। ପରୀକ୍ଷା ପରେ ମାତ୍ର ୫ ରୁ ୧୦ ମିନିଟ୍ ମଧ୍ୟରେ ରୋଗୀଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରକୁ ଏସଏମଏସ ମାଧ୍ୟମରେ ରିପୋର୍ଟ ପଠାଯିବ, ଯାହା ରୋଗୀମାନଙ୍କ ସମୟ ସଞ୍ଚୟ ସହ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନରେ ସହାୟକ ହେବ।ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ସିଡିଏମଓ କୋରାପୁଟ, ବିଧାୟକ ପ୍ରତିନିଧି, ଜିଲ୍ଲାର ବରିଷ୍ଠ ଡାକ୍ତରବୃନ୍ଦ, ସେବିକା ଓ ଚିକିତ୍ସାଳୟର କର୍ମଚାରୀମାନେ ଉପସ୍ଥିତ ରହିଥିଲେ।ବିଧାୟକ ଶ୍ରୀ ବାହିନୀପତି କହିଥିଲେ ଯେ, ଜନସାଧାରଣଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ତାଙ୍କର ପ୍ରାଥମିକତା ରହିଛି। ଜୟପୁର ଏବଂ କୋରାପୁଟ ଜିଲ୍ଲାର ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ଦିଗରେ ଏହି ମେସିନ୍ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସେ ମତପ୍ରକାଶ କରିଥିଲେ।ସୁସ୍ଥ ଜନତା, ସମୃଦ୍ଧ ସମାଜ ଏହି ଲକ୍ଷ୍ୟକୁ ସାମ୍ନାରେ ରଖି ଜନକଲ୍ୟାଣମୂଳକ କାର୍ଯ୍ୟ ଆଗାମୀ ଦିନରେ ମଧ୍ୟ ଜାରି ରହିବ।
ହିନ୍ଦୁସ୍ଥାନ ସମାଚାର / ପିକେପି