
ଝାରସୁଗୁଡ଼ା, ୨୦ ଜୁନ୍ (ହି.ସ.) - ଜିଲ୍ଲାସ୍ତରୀୟ ପିଏମ୍-କିସାନ ଉତ୍ସବ–୨୦୨୬ ଅବସରରେ ଆଜି ଆଭାସୀ ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର କୋଟି କୋଟି ଚାଷୀଙ୍କ ପାଇଁ ପିଏମ୍-କିସାନ ଯୋଜନାର ପରବର୍ତୀ କିସ୍ତି ରାଶି ହସ୍ତାନ୍ତର କରିଛନ୍ତି। ଏହି ଅବସରରେ ଓଡ଼ିଶାର ୩୪.୬ ଲକ୍ଷରୁ ଅଧିକ ଚାଷୀ ଭାଇ ଓ ଭଉଣୀମାନଙ୍କ ଖାତାକୁ ୨୩ତମ କିସ୍ତି ବାବଦରେ ମୋଟ ୬୯୩ କୋଟି ଟଙ୍କା ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ମାଧ୍ୟମରେ ପ୍ରଦାନ କରାଯାଇଛି। ଏହି ସହାୟତା ରାଶି ଚାଷୀମାନଙ୍କ କୃଷି କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ସହିତ ସେମାନଙ୍କ ଆର୍ôଥକ ସଶକ୍ତିକରଣରେ ବିଶେଷ ସହାୟକ ହେବ।
ପିଏମ୍-କିସାନ ଯୋଜନା ଅଧୀନରେ ଯୋଗ୍ୟ ଚାଷୀମାନଙ୍କୁ ବର୍ଷକୁ ୬,୦୦୦ ଟଙ୍କା ତିନୋଟି ସମାନ କିସ୍ତିରେ ପ୍ରଦାନ କରାଯାଉଛି। ଏହାଦ୍ୱାରା ଚାଷୀମାନେ କୃଷି ଉପକରଣ କ୍ରୟ, ବିହନ, ସାର ଏବଂ ଅନ୍ୟାନ୍ୟ କୃଷି କାର୍ଯ୍ୟ ପାଇଁ ଆବଶ୍ୟକ ଆର୍ôଥକ ସହାୟତା ପାଉଛନ୍ତି। ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ଜିଲ୍ଲା, ବ୍ଲକ୍ ଓ ପଂଚାୟତ ସ୍ତରରେ ପ୍ରଧାନମନ୍ତ୍ରୀଙ୍କ ଏହି କାର?୍ୟ୍ୟକ୍ରମର ସିଧା ପ୍ରସାରଣ ଦେଖିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଜିଲ୍ଲାର ଚାଷୀମାନେ ଅତ୍ୟନ୍ତ ଉତ୍ସାହର ସହିତ ଏଥିରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ଶୁଣିଥିଲେ।
ଝାରସୁଗୁଡ଼ା ଜିଲ୍ଲା ସ୍ତରୀୟ ପିଏମ୍ କିସାନ ଉତ୍ସବ ଦିବସରେ ମୁଖ୍ୟ ଅତିଥି ଭାବେ ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ଯୋଗ ଦେଇଥିଲେ। ସେହିପରି ସମ୍ମାନୀତ ଅତିଥି ଭାବେ ମାନ୍ୟବର ମନ୍ତ୍ରୀଙ୍କ ପ୍ରତିନିଧି ରଘୁନନ୍ଦନ ପଣ୍ଡା, ମାନ୍ୟବର ସାଂସଦଙ୍କ ପ୍ରତିନିଧି ଶ୍ଳୋକ ଶର୍ମା ଏବଂ ଝାରସୁଗୁଡ଼ା ସାଧାରଣ ସମ୍ପାଦକ ପ୍ରେମସେନ ରାଏ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ନନ୍ଦ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ଼. ସୁସ୍ମିତା ପଣ୍ଡା କାର୍ଯ୍ୟକ୍ରମକୁ ସଫଳତାର ସହ ସଂଯୋଜନା କରିଥିବା ବେଳେ ଶେଷରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ଼. ସମୀର ରଞ୍ଜନ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ସୂଚନାଯୋଗ୍ୟ ଯେ, ଏହି ୨୩ତମ କିସ୍ତି ବାବଦରେ ଝାରସୁଗୁଡ଼ା ଜିଲ୍ଲାର ସର୍ବମୋଟ ୩୪,୦୮୬ ଜଣ ଚାଷୀ ଉପକୃତ ହୋଇଛନ୍ତି ଏବଂ ସେମାନଙ୍କ ବ୍ୟାଙ୍କ ଖାତାକୁ ସର୍ବମୋଟ ୬ କୋଟି ୮୧ ଲକ୍ଷ ୭୨ ହଜାର ଟଙ୍କା ପ୍ରଦାନ କରାଯାଇଛି। ବ୍ଲକୱାରୀ ସୂଚନା ଅନୁଯାୟୀ, ଝାରସୁଗୁଡ଼ା ବ୍ଲକର ୪,୬୩୫ ଜଣ, କିର୍ମୀରା ବ୍ଲକର ୫,୫୩୯ ଜଣ, କୋଲାବିରା ବ୍ଲକର ୫,୮୫୬ ଜଣ, ଲାଇକେରା ବ୍ଲକର ୬,୯୫୯ ଜଣ ଏବଂ ଲଖନପୁର ବ୍ଲକର ୧୧,୦୯୭ ଜଣ ଚାଷୀ ଏହି ଯୋଜନାରେ ଲାଭବାନ ହୋଇଛନ୍ତି। ଏହିପରି ସର୍ବମୋଟ ୬କୋଟି ୮୧ ଲକ୍ଷ ୭୨ ହଜାର ହିତାଧିକାରୀଙ୍କ ବ୍ୟାଙ୍କ ଖାତା କୁ ଆସିଛି କ୍ଷ ଏହି ଅବସରରେ ବିଭିନ୍ନ ବ୍ଲକ ଓ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ ଚାଷୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ