
ସୁବର୍ଣ୍ଣପୁର, ୨୦ ଜୁନ୍ (ହି.ସ.)- ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଅଧ୍ୟକ୍ଷା ଦୀପ୍ତିରେଖା ନନ୍ଦଙ୍କ ଘର ଉପରକୁ ଗୁଳିମାଡ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଦିପ୍ତୀରେଖାଙ୍କ ସିଙ୍ଗିଯୁବା ଗ୍ରାମ ସ୍ଥିତ ଘର ଉପରକୁ ଦୁର୍ବୃତମାନେ ୨୫ ରାଉଣ୍ଡ ଗୁଳି ଚଳାଇଥିଲେ । ଘଟଣା ପରେ ଦୁର୍ବୃତମାନେ ସେଠାରୁ ଫେରାର୍ ହୋଇଯାଇଥିବା ବେଳେ ଅଭିଯୁକ୍ତଙ୍କୁ ଧରିବାକୁ ଛାନଭିନ୍ ଜାରି ରଖିଛି ପୁଲିସ ।
ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୨ଟା ସମୟରେ ବିନିକା ବ୍ଲକ ଅଧ୍ୟକ୍ଷା ଦିପ୍ତୀରେଖା ନନ୍ଦଙ୍କ ସିଙ୍ଗିଯୁବା ଗ୍ରାମ ସ୍ଥିତ ଘର ଉପରକୁ ୨୫ ରାଉଣ୍ଡ ଗୁଳିମାଡ ହୋଇଥିଲା । ଫଳରେ ଘର ସାମ୍ନାରେ ଥିବା ଦୀପ୍ତିରେଖାଙ୍କ ଦୁଇଟି କାର୍ କ୍ଷତିଗ୍ରସ୍ତ ହୋଇଛି । ତେବେ ଏହି ଗୁଳିମାଡ଼ରେ ପରିବାର ଲୋକ କାହାରି କିଛି କ୍ଷତି ହୋଇନାହିଁ । ଦୁର୍ବୃତଙ୍କ ଗୁଳିମାଡରୁ ଅଳ୍ପକେ ବର୍ତି ଯାଇଛନ୍ତି ପରିବାରବର୍ଗ । ଦୁଇଟି କାରର କିଛି ସ୍ଥାନରେ ଗୁଳି ବାଜିଛି । ଫାୟାରିଂ ହୋଇଥିବା ଗୁଳିର ଖୋକା ଗୁଡ଼ିକ ଘର ପରିସରରେ ପଡିରହିଛି । ଏକ କାର୍ ରେ ଦୁର୍ବୃତ ମାନେ ଆସି ଗୁଳି ଫୁଟାଇଥିବା ଜଣାପଡିଛି । ହେଲେ ଏମାନେ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଏହି ଗୁଳିମାଡ଼ କରିଛନ୍ତି ତାହା ଜଣାପଡିନାହିଁ । ଗୁଳିମାଡ଼ ହୋଇଥିବା ବ୍ଲକ ଅଧ୍ୟକ୍ଷା ଦିପ୍ତୀରେଖା ନନ୍ଦଙ୍କ ସ୍ୱାମୀ ଅଶୋକ ନନ୍ଦ ବର୍ତମାନର ଜିଲ୍ଲା ଯୁବ ବିଜେଡି ସଭାପତି ରହିଛନ୍ତି ।
ଖବର ପାଇ ସୁବର୍ଣ୍ଣପୁର ଏସପି ନାରାୟଣ ନାୟକ ଏବଂ ପୁଲିସ ଟିମ୍ ଘଟଣାସ୍ଥଳରେ ପହଂଚି ଆଖ ପାଖ ଅଂଚଳରେ ଲାଗିଥିବା ବିଭିନ୍ନ ସିସିଟିଭି ଫୁଟେଜକୁ ଯାଂଚ୍ କରିବା ସହ ଏନେଇ ଅଧିକ ତଦନ୍ତ ଚଳାଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ