

ଭୁବନ, ୨୦ ଜୁନ୍ (ହି.ସ.)- ପବିତ୍ର ଶୀତଳ ଷଷ୍ଠୀରେ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ କରାଇ ଶୈବଭକ୍ତ ମାନେ ପୁଣ୍ୟ ଅର୍ଜନ କରୁଥିବା ବେଳେ ଜନୈକା ନିରାଶ୍ରୟ ଯୁବତୀକୁ କନ୍ୟା ଦାନ କରି ମାନବିକତା ଓ ମହାନତା ଦେଖାଇଛନ୍ତି ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ ( ବି) ସରପଞ୍ଚ ଶ୍ରୀମତୀ ବୀଣାପାଣି ସାହୁ। ଏହି ଘଟଣା ଜଣାପଡ଼ିବା ପରେ ସରପଞ୍ଚ ଶ୍ରୀମତୀ ସାହୁଙ୍କ ନିକଟକୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।
ପ୍ରାପ୍ତ ସୂଚାନୁଯାୟୀ, ଭୁବନ ଥାନା ଅନ୍ତର୍ଗତ ଯମୁନାକୋଟ ଗ୍ରାମର ଅଦେତ୍ୟ ସାହୁଙ୍କ ପୁଅ ଅଭିମନ୍ୟୁଙ୍କ ସହିତ ବାରୁଆଁ ଗ୍ରାମର ଜନୈକା ଯୁବତୀଙ୍କ ଇନଷ୍ଟାଗ୍ରାମରୁ ଆରମ୍ଭ ହୋଇଥିବା ପ୍ରେମ ଧୀରେ ଧୀରେ ଆଗକୁ ବଢ଼ି ଚାଲିଲା । ଫୋନ କଲ୍, ଚାଟିଙ୍ଗ ଓ ଭିଡିଓ କଲିଙ୍ଗ ପରେ ଉଭୟଙ୍କର ୨୦୨୪ ମସିହା ମହା ଶିବରାତ୍ରି ଜଗରରେ ଭୁବନର ପ୍ରସିଦ୍ଧ ଶୈବପୀଠ ବୁଦ୍ଧେଶ୍ୱର ମନ୍ଦିରରେ ପ୍ରଥମ ଦେଖା ସାକ୍ଷାତ ହୋଇଥିଲା । ପରେ ଯୁବକ ଜଣକ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବାଟ ତାରିଣୀ ମନ୍ଦିରରେ ସିନ୍ଦୂର ପିନ୍ଧାଇ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ଯୁବତୀ ଜଣକ ଗର୍ଭବତୀ ହେବା ପରେ ଯୁବକ ବଳ ପୂର୍ବକ ତାଙ୍କ ଗର୍ଭନଷ୍ଟ କରାଇ ଆଉ ଧରାଛୁଆଁ ଦେଇନଥିଲେ। ଯୁବତୀଙ୍କ ଫୋନ୍ ନମ୍ବର ବ୍ଲକ କରିଦେଇ ଅନ୍ୟତ୍ର ବିବାହ ପାଇଁ ପ୍ରସ୍ତୁତି ଚଳାଇଥିବା ଜାଣିବା ପରେ ଯୁବତୀ ନ୍ୟାୟ ପାଇଁ ଭୁବନ ଥାନାରେ ଅଭିଯୋଗ କରିଥିଲେ। ଯୁବତୀଙ୍କ ଅଭିଯୋଗ ଆଧାରରେ ଭୁବନ ପୋଲିସ ସମ୍ପୃକ୍ତ ଧୋକାବାଜ ପ୍ରେମିକକୁ ଗିରଫ କରି ଜେଲ ହାଜତକୁ ପଠାଇ ଦେଇଥିଲେ । ଏସବୁ ଘଟଣା ଯୁବତୀଙ୍କ ଘରେ ଜାଣିବା ପରେ ପରିବାର ବର୍ଗ ଝିଅକୁ ପର କରିଦେଇଥିଲେ । ବାଧ୍ୟ ହୋଇ ଯୁବତୀ ଜଣକ ତାଙ୍କ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେବା ସହ ବାରୁଆଁ ଅଞ୍ଚଳର ଦରଦୀ ମଣିଷଙ୍କ ବନ୍ଧୁ ଭାବେ ପରିଚିତ ସରପଞ୍ଚ ଶ୍ରୀମତୀ ବୀଣାପାଣି ସାହୁଙ୍କୁ ଭେଟି ନିଜ ଦୁଃଖ କାହାଣୀ କହି ସହଯୋଗ ଲୋଡ଼ିଥିଲେ । ସରପଞ୍ଚ ଶ୍ରୀମତୀ ସାହୁ ପୁଅ ଘର ଲୋକଙ୍କ ସହ ଆଲୋଚନା କରି ଗତ ଶୁକ୍ରବାର ଦିନ କାମାକ୍ଷା ନଗର ସ୍ଥିତ ରାମେଶ୍ୱର ମନ୍ଦିରରେ ବିବାହ କରାଇଥିଲେ। ଶସ୍ତ୍ରିକ ବିନୟ କୁମାର ସାହୁ ଓ ବୀଣାପାଣି ସାହୁ ଝିଅର ବାପା, ମା ସାଜି କନ୍ୟାଦାନ କରି ମହାପୁଣ୍ୟ ଅର୍ଜନ କରିଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ଓ ବୁଦ୍ଧିଜୀବୀ ମହଲରେ ସରପଞ୍ଚଙ୍କ ମହାନତାକୁ ନେଇ ଉଚ୍ଚ ପ୍ରଶଂସା କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ