କାନପୁର ସାଳନ୍ଦୀ ନଦୀରେ ପକ୍କା ସୁରକ୍ଷା ବନ୍ଧ ନିର୍ମାଣ କେବେ!
ଭଦ୍ରକ, ୨୦ ଜୁନ୍ (ହି.ସ.) - ସାଳନ୍ଦୀ ନଦୀ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ହଦଗଡରୁ ବାହାରି ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଦେଇ ପ୍ରବାହିତ ହେଉଛି । ବାଲିମାଟି ଖୋଳିନେବା,ବର୍ଷା ଋତୁରେ ବଢି ପାଣିରେ କୂଳଖାଇ ନଦୀର ଗତିପଥ ବଦଳିବା ଯୋଗୁ ତଟବର୍ତୀ ଗାଁ ଗୁଡିକ ପ୍ରତି ଏବେ ବିପଦ ଦେଖାଦେଇଛି । ବିଶେଷ
KANPUR SALANDI NADI SURAKHYA BANDHA


ଭଦ୍ରକ, ୨୦ ଜୁନ୍ (ହି.ସ.) - ସାଳନ୍ଦୀ ନଦୀ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ହଦଗଡରୁ ବାହାରି ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଦେଇ ପ୍ରବାହିତ ହେଉଛି । ବାଲିମାଟି ଖୋଳିନେବା,ବର୍ଷା ଋତୁରେ ବଢି ପାଣିରେ କୂଳଖାଇ ନଦୀର ଗତିପଥ ବଦଳିବା ଯୋଗୁ ତଟବର୍ତୀ ଗାଁ ଗୁଡିକ ପ୍ରତି ଏବେ ବିପଦ ଦେଖାଦେଇଛି । ବିଶେଷ ଭାବେ ହାଟଡିହି ବ୍ଲକ ସୋସୋ ପଚାଂୟତ କାନପୁର ଗ୍ରାମର ଏକାଧିକ ଘର ସାଳନ୍ଦୀ ନଦୀ ଗର୍ଭରେ ଲୀନ ହେବାର ଆଶାଙ୍କା ପ୍ରକାଶ ପାଇଛି । ଏହି ଗ୍ରାମର ୧୨ ନମ୍ବର ୱାର୍ଡରେ ଥିବା ପ୍ରହଲ୍ଲାଦ ବେହେରା, ସଞ୍ଜୟ ବେହେରା, ଧର୍ମପଦ ବେହେରା, ବିଜୟ ସାମଲ, କମଳା ରାଉତଙ୍କ ପକ୍କା ଘର ପଛ ଭାଗ ଦବି ଫାଟି ଯାଇଛି । ଗ୍ରାମର ହରିହର ବେହେରା, ଧର୍ମପଦ ବେହେରା, ପ୍ରବୀର ବେହେରା, ଜଗନ୍ନାଥ ଜେନା, ବିଜୟ ସାମଲ, ଚକ୍ରଧର ଖମାରୀ, ଜୟ ନାୟକଙ୍କ ପାଇଖାନା ଘର ନଦୀ ଗର୍ଭରେ ଭୁଷୁଡି ପଡିଛି । ଏହି ଘଟଣା ପରେ ଗ୍ରାମରେ ଆତଙ୍କ ଦେଖାଦେଇଛି । ଗ୍ରାମବାସୀଙ୍କ ଦୀର୍ଘ ଦାବି ପରେ ଆନନ୍ଦପୁର ଉପ-ଜିଲ୍ଲାପାଳ ନିଳମାଧବ ସୁନା, ଆନନ୍ଦପୁର ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରତାପ କୁମାର ଦାସ, ଅଧିକ୍ଷଣ ଯନ୍ତ୍ରୀ ଭାଗିରଥୀ ପାତ୍ର କ୍ଷେତ୍ରିୟ ତଦନ୍ତ କରିବା ପରେ କ୍ଷତିଗ୍ରସ୍ତ ଗୃହ ଗୁଡିକର ଆଗକୁ ସୁରକ୍ଷା ପାଇଁ ମାଟି ପକାଇ ପଦକ୍ଷେପ ନେବାକୁ ଗ୍ରାମବାସୀଙ୍କୁ ଆଶ୍ୱାସନା ଦେଇଥିଲେ । ଇତିମଧ୍ୟରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପୂର୍ବକ ସାଳନ୍ଦୀ ବିକାଶ ପରିଷଦର ପ୍ରଚେଷ୍ଟାରେ ମାଟି ପକା କାର୍ଯ୍ୟ ସରିଛି । ତେବେ ଆଗକୁ ବର୍ଷା ଋତୁ ଆସୁଥିବାରୁ ମାଟି ଧୋଇଯିବାର ଆଶଙ୍କା ପ୍ରକାଶ ପାଇଛି । ଏହା ଧୋଇଗଲେ ସରକାରୀ ଅର୍ଥର ପ୍ରଭୁତ କ୍ଷତି ଘଟିବ । ତେଣୁ ସ୍ଥାୟୀ ପକ୍କା ବନ୍ଧ ନିର୍ମାଣ ପାଇଁ ସାଳନ୍ଦୀ ବିକାଶ ପରିଷଦର ସମ୍ପାଦକ ବିଶ୍ୱରଞ୍ଜନ ବେହେରା, ବିଜୟ ଜେନା, ଗଙ୍ଗାଧର ରାଉତ, ଚୈତନ୍ୟ ମହାପାତ୍ର, ସନ୍ତୋଷ ଜେନା, ପଦ୍ମନାଭ ବେହେରା, ସଦାଶିବ ଖମାରୀ, ଶତ୍ରୁଘ୍ନ ରାଉତ ପ୍ରମୁଖ ଦୃଢ ଦାବୀ କରିଛନ୍ତି । ପ୍ରକାଶଥାଉକି ଏଠାରେ ଥିବା ଅଧିକ୍ଷଣ ଯନ୍ତ୍ରୀଙ୍କ ଅନ୍ୟତ୍ର ବଦଳି ହୋଇଥିବା ବେଳେ ଦାୟିତ୍ୱରେ ଥିବା ବର୍ତମାନର ଭଦ୍ରକ ଅଧିକ୍ଷଣଯନ୍ତ୍ରୀ ହିତେଶ କୁମାର ସାହୁ ଉପରୋକ୍ତ ସମସ୍ୟା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଗ୍ରାମବାସୀ ମାନେ ଦୃଢ ଦାବୀ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande