

ସୁବର୍ଣ୍ଣପୁର, ୨୦ ଜୁନ୍(ହି.ସ.) – ମାତା ପାର୍ବତୀଙ୍କ ପାଣିଗ୍ରହଣ ପରେ ଆଜି ପ୍ରତ୍ୟାବର୍ତନ ଶୋଭାଯାତ୍ରାରେ ବାବା ଚନ୍ଦ୍ରଶେଖର ଓ ମାତା ପାର୍ବତୀଙ୍କ ଯୁଗଳ ମୂର୍ତି ପ୍ରଥମେ କୈଳାଶ ନଗରୀ ଶ୍ରୀ ବୃନ୍ଦାବନ ବିହାରୀ ମନ୍ଦିର ନିକଟସ୍ଥ ବର ପିତା ମାତା ଯୋଗୀନ୍ଦ୍ର ମିଶ୍ର, କିଶୋରୀ ମିଶ୍ରଙ୍କ ଘରେ ପହଂଚିଛନ୍ତି। ଆଜି ଏଠି ଭକ୍ତ ଶ୍ରଦ୍ଧାଳୁଙ୍କୁ ଦିନ ରାତି ଦର୍ଶନ ଦେବାପରେ ପରେ ଆସନ୍ତା କାଲି ସ୍ୱମନ୍ଦିରକୁ ପ୍ରଭୁ ବିଜେ କରିବେ। ଶୀତଳଷଷ୍ଠୀ ଯାତ୍ରା ପାଇଁ କୋଷାଗାରରୁ ବାହାରିଥିଲେ ୧୦୮ ତୋଳାର ମୁଖ୍ୟ ଆକର୍ଷଣ ସୁନାର ନାଗ ମୁର୍ତୀ। ୧୮ତାରିଖ ସଂଧ୍ୟାରେ ଅଷ୍ଟଶମ୍ଭୁ, ଅଷ୍ଟ ବିଷ୍ଣୁଙ୍କ ସହ ନଗର ପରିକ୍ରମା କରି ବରଯାତ୍ରୀ ବେଶରେ ସ୍ଥାନୀୟ ସତସଙ୍ଗ ବିହାର ସ୍ଥିତ ହିମାଦ୍ରୀ ନଗର ଠାରେ ପହଂଚିଥିଲେ ସେଠାରେ କନ୍ୟାପିତା ବଂଟୁ ଅଗ୍ରୱାଲ ସପତ୍ନୀକ ଦେବାଧିଦେବ ମହାଦେବ ଓ ବରଯାତ୍ରୀ ବେଶରେ ଥିବା ଅଷ୍ଟ ବିଷ୍ଣୁ ଓ ଅଷ୍ଟ ଶମ୍ଭୁଙ୍କୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ବାବା ଚନ୍ଦ୍ରଶେଖରଙ୍କୁ ବରଣ କରି ସୁସଜ୍ଜିତ ମଣ୍ଡପକୁ ବିଜେ କରାଇଥିଲେ ତାପରେ ମଧ୍ୟରାତ୍ରିରେ ବୈଦିକ ରୀତିନୀତିରେ ବାବା ଚନ୍ଦ୍ରଶେଖର ମାତା ଅନ୍ନପୂର୍ଣ୍ଣାଙ୍କ ସହ ପାଣିଗ୍ରହଣ କରି ବିବାହ ସଂପନ୍ନ ହୋଇଥିଲା। ଶୀତଳଷଷ୍ଠୀ ପରିଚାଳନା କମିଟି ଓ ଦେବୋତର ବିଭାଗ ତରଫରୁ ଶୀତଳଷଷ୍ଠୀ ଯାତ୍ରାର ସମସ୍ତ ପ୍ରସ୍ତୁତି ସଠିକ ଢଙ୍ଗରେ ଆୟୋଜନ ହୋଇଥିବାବେଳେ ଆଜି ମଧ୍ୟରାତ୍ରିରୁ ଦେବଦମ୍ପତିଙ୍କ ପ୍ରତ୍ୟାବର୍ତନ ଶୋଭାଯାତ୍ରା ଏକ ବିରାଟ ପଟୁଆରରେ ସହର ପରିକ୍ରମା କରି ଥିଲା। ମହଣ ମହଣ ରୂପାରେ ନିର୍ମିତ ମହାପ୍ରଭୁଙ୍କ ସୂସଜ୍ଜିତ ପାଲିଙ୍କି ସୁନା ନାଗ ମୁର୍ତୀ ସହିତ ସହରର ଅଷ୍ଟଶମ୍ଭୁ ଅଷ୍ଟ ବିଷ୍ଣୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ପାଖ ପଡ଼ୋଶୀ ଜିଲ୍ଲାର ଭକ୍ତ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଥିଲା। ଶାନ୍ତି ଶୃଙ୍ଖଳା ଓ ସୁରକ୍ଷା ପାଇଁ ଜିଲ୍ଲା ପୋଲିସ ପ୍ରସାଶନ ଓ ଦେବୋତର ବିଭାଗ ପକ୍ଷରୁ କଡା ବ୍ୟବସ୍ଥା କରାଯାଇଥିଲା। ଦର୍ଶକ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟ କ୍ରମକୁ ଉପଭୋଗ କରିଥିଲେ। ଥନାପତିପଡା ସ୍ଥିତ ଚନ୍ଦ୍ରଶେଖର ମନ୍ଦିରରେ ମହାପ୍ରଭୁ ପହଂଚିଲା ପରେ ପୂଜା ଅର୍ଚ୍ଚନା ଓ ମହାଆଳତୀ କାରାଯିବ। ଆଜି ଶୋଭାଯାତ୍ରା ସମୟରେ ମଝିପଡା ଠାରେ ରାମ ଧୂନ୍ କ୍ଲବ୍ ପକ୍ଷରୁ ଓ ବିଜୁ ପଟ୍ଟନାୟକ ଛକରେ ଡ୍ରଗିଷ୍ଟ ଏଣ୍ଡ କେମିଷ୍ଟ ସଂଘ ପକ୍ଷରୁ ଦହି ସରବତ ଯୋଗାଣ, ମେହେର ପରିବାର ପକ୍ଷରୁ ଉପମା ଜଳ ପାନ ଓ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଥଣ୍ଡା ପାନୀୟ ଦହି ପାଣି ଇତ୍ୟାଦି ଭକ୍ତ କଳାକାରଙ୍କୁ ଯୋଗାଇ ଦିଆଯାଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ