
ଭୁବନେଶ୍ୱର, ୨୦ ଜୁନ୍ (ହି.ସ) - ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁରରେ ୨ ଜଣ ସ୍ୱେଚ୍ଛାସେବୀ ଛାତ୍ରୀଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିବା ସହ ଛାତ୍ରୀଙ୍କୁ ସମବେଦନା ଜଣାଇଛନ୍ତି। ନାରୀ ନିର୍ଯାତନା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପାଇଁ ଓଡ଼ିଶା ସାରା ବିଶ୍ୱରେ ନିନ୍ଦିତ ହେଉଥିବା ବେଳେ ସରକାର କେଉଁ ମୁହଁରେ 'ବିକାଶର ଧାରା ଓଡ଼ିଶା ସାରା' କହି ଉତ୍ସବରେ ମାତିଛନ୍ତି କହି ସମାଲୋଚନା କରିଛନ୍ତି ନବୀନ । ଏଭଳି ଘଟଣାରେ ସରକାର ତୁରନ୍ତ କଠୋରରୁ କଠୋର ପଦକ୍ଷେପ ଗ୍ରହଣ କରି ରାଜ୍ୟରେ ମା' ଭଉଣୀଙ୍କ ସୁରକ୍ଷା ଓ ଆଇନଶୃଙ୍ଖଳା ସୁନିଶ୍ଚିତ କରନ୍ତୁ ବୋଲି ନବୀନ ଦାବି କରିଛନ୍ତି।
ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ନବୀନ ଲେଖିଛନ୍ତି ରାୟଗଡ଼ାର କଲ୍ୟାଣସିଂହପୁରରେ ଦିଲ୍ଲୀର ଛାତ୍ରୀଙ୍କ ସହ ଘଟିଥିବା ଜଘନ୍ୟ, ବର୍ବରୋଚିତ କାଣ୍ଡ ସମଗ୍ର ଓଡ଼ିଶାକୁ ବିଚଳିତ, ଲଜ୍ଜିତ ଓ ଚିନ୍ତିତ କରିଛି। ଏପରି ଦୁଃସ୍ଥିତିର ସାମ୍ନା କରିଥିବା ଛାତ୍ରୀଙ୍କୁ ମୋର ଗଭୀର ସମବେଦନା ଜଣାଉଛି।
ସର୍ବସମ୍ମୁଖରେ ଛାତ୍ରୀଙ୍କ ସହ ସଂଘବଦ୍ଧ ଭାବେ ଘଟିଥିବା ବିଭତ୍ସ, ନାରକୀୟ କାଣ୍ଡ ମାନବିକତା ଏବଂ ଆମ ଅସ୍ମିତା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରି ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ସରକାର ତୁରନ୍ତ ତତ୍ପରତାର ସହ କାର୍ଯ୍ୟାନୁଷ୍ଠାନ ନେବା ଦରକାର। କାହିଁକି ଓଡ଼ିଶାର ଛବି କଳୁଷିତ ହେବାକୁ ଛାଡ଼ି ଦିଆଯାଇଛି? ଏ ସରକାର, ଏ ପୋଲିସ ପ୍ରଶାସନ ଏତେ ଅସହାୟ କ'ଣ ପାଇଁ? ସମସ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା କ'ଣ ଏ ସରକାରଙ୍କ ଉତ୍ତରଦାୟିତ୍ୱ ନୁହେଁ କି? ସମ୍ବେଦନଶୀଳ ଘଟଣାରେ ସରକାରଙ୍କ ସ୍ଥାଣୁତା ଓ ଅସମ୍ଭବ ନୀରବତା ଏପରି ବିଭତ୍ସ କାଣ୍ଡ ଘଟିବାକୁ ପ୍ରଶ୍ରୟ ଦେଉନାହିଁ କି?
ନାରୀ ନିର୍ଯାତନା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପାଇଁ ଓଡ଼ିଶା ସାରା ବିଶ୍ୱରେ ନିନ୍ଦିତ ହେଉଥିବା ବେଳେ ସରକାର କେଉଁ ମୁହଁରେ 'ବିକାଶର ଧାରା ଓଡ଼ିଶା ସାରା' କହି ଉତ୍ସବରେ ମାତିଛନ୍ତି? ସରକାର ତୁରନ୍ତ କଠୋରରୁ କଠୋର ପଦକ୍ଷେପ ଗ୍ରହଣ କରି ରାଜ୍ୟରେ ମା' ଭଉଣୀଙ୍କ ସୁରକ୍ଷା ଓ ଆଇନଶୃଙ୍ଖଳା ସୁନିଶ୍ଚିତ କରନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା