ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ କୋରାପୁଟରେ କଡ଼ା ସୁରକ୍ଷା ବ୍ୟବସ୍ଥା
ଜୟପୁର, ୨୦ ଜୁନ୍ (ହି.ସ.)- ଆସନ୍ତାକାଲି ଦେଶବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପୂର୍ବ ପ୍ରସ୍ତୁତି ଶେଷ କରାଯାଇଛି। ପରୀକ୍ଷା ସୁଚାରୁ ଓ ସ୍ୱଚ୍ଛ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ଜିଲ୍ଲାର ଦୁଇଟି ପରୀକ୍ଷା କେନ୍ଦ୍ର
ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ କୋରାପୁଟରେ କଡ଼ା ସୁରକ୍ଷା ବ୍ୟବସ୍ଥା


ଜୟପୁର, ୨୦ ଜୁନ୍ (ହି.ସ.)- ଆସନ୍ତାକାଲି ଦେଶବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପୂର୍ବ ପ୍ରସ୍ତୁତି ଶେଷ କରାଯାଇଛି। ପରୀକ୍ଷା ସୁଚାରୁ ଓ ସ୍ୱଚ୍ଛ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ଜିଲ୍ଲାର ଦୁଇଟି ପରୀକ୍ଷା କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ସିସିଟିଭି ନଜରଦାରୀ କରାଯାଇଛି।

କୋରାପୁଟ ଜିଲ୍ଲାରେ ଚଳିତ ପରୀକ୍ଷା ପାଇଁ ଦୁଇଟି କେନ୍ଦ୍ର ନିର୍ଦ୍ଧାରିତ ହୋଇଛି। ସେଗୁଡ଼ିକ ହେଲା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ, ସୁନାବେଡା ଓ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁର। ବିକ୍ରମ ଦେବ ବିଶ୍ଵବିଦ୍ୟାଳୟରେ ୨୪୦ ଏବଂ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ, ସୁନାବେଡାରେ ୭୧୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପରୀକ୍ଷାର୍ଥୀମାନଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଓ ମାଗଣା ବସ ସେବାର ବ୍ୟବସ୍ଥା କରାଯାଇଛି।

ପରୀକ୍ଷା ପୂର୍ବରୁ ଆଜି କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଉଭୟ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ପ୍ରସ୍ତୁତିର ସମୀକ୍ଷା କରିଥିଲେ। ପରୀକ୍ଷା କେନ୍ଦ୍ରରେ ପ୍ରବେଶ ସମୟ ସକାଳ ୧୧ଟାରୁ ଅପରାହ୍ନ ୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ରହିଛି। ପରୀକ୍ଷାର୍ଥୀମାନେ କେବଳ ଆଡମିଟ୍ କାର୍ଡ, ଆବଶ୍ୟକ ପରିଚୟପତ୍ର ଓ ସ୍ୱଚ୍ଛ ପାଣି ବୋତଲ ନେଇ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିପାରିବେ। ଏହାସହ କଡ଼ା ଯାଞ୍ଚ ବ୍ୟବସ୍ଥା ମଧ୍ୟ କରାଯାଇଛି।

ଜିଲ୍ଲାପାଳ ଶ୍ରୀ ମହାଜନ କହିଛନ୍ତି ଯେ, ପରୀକ୍ଷାର ସ୍ୱଚ୍ଛତା ଓ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ପରୀକ୍ଷାର୍ଥୀମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ କେନ୍ଦ୍ରରେ ପହଞ୍ଚିବାକୁ ପରାମର୍ଶ ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande