
ରାଷ୍ଟ୍ରପତି ମୁର୍ମୁଙ୍କ ଗାଁ ପାହାଡ଼ପୁରକୁ ‘ସୂର୍ଯ୍ୟ ଗ୍ରାମ’ ଭାବେ ବିକଶିତ କରିବାର ଘୋଷଣା
- ୪୭,୬୦୦ କୋଟି ଟଙ୍କାର ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ
ରାଇରଙ୍ଗପୁର/ଭୁବନେଶ୍ୱର, ୨୦ ଜୁନ୍ (ହି.ସ.) - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, କଂଗ୍ରେସ ଶାସନ କାଳରେ ପଛୁଆପଣର ପ୍ରତୀକ ଭାବେ ଚିହ୍ନିତ ପୂର୍ବ ଭାରତ ଏବେ ଦେଶର ପ୍ରଗତି ଓ ବିକାଶର ପ୍ରବେଶଦ୍ୱାର ହେଉଛି। ସେ କହିଛନ୍ତି ଯେ, ଓଡ଼ିଶାରେ ଭାଜପା ସରକାର ରାଜ୍ୟର ସମ୍ପଦକୁ ସମ୍ଭାବନାରେ ପରିଣତ କରୁଛନ୍ତି ଏବଂ ‘ଉତ୍କର୍ଷ ଓଡ଼ିଶା’ ପ୍ରୟାସ ଅଧୀନରେ ରାଜ୍ୟକୁ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଛି। ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ଯେ, ଆଗାମୀ ବର୍ଷଗୁଡ଼ିକରେ ଓଡ଼ିଶା ଦେଶର ଆର୍ôଥକ ପ୍ରଗତି ଏବଂ ବିକଶିତ ଭାରତ ଗଠନରେ ଅଗ୍ରଣୀ ଭୂମିକା ନିର୍ବାହ କରିବ ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ସମାରୋହରେ ୪୭,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ଡା. ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଏବଂ ପ୍ରଭାତୀ ପରିଡା, ମନ୍ତ୍ରୀ ଗଣେଶରାମ ସିଂହଖୁଣ୍ଟିଆ, ଡା. କୃଷ୍ଣଚନ୍ଦ୍ର ମହାପାତ୍ର, ସାଂସଦ ନବ ଚରଣ ମାଝୀ, ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ସାଂସଦ ବୈଜୟନ୍ତ ପଣ୍ଡା ସହିତ ଅନେକ ଜନପ୍ରତିନିଧି ଓ ଗଣମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣର ଆରମ୍ଭରେ ରାଷ୍ଟ୍ରପତି ମୁର୍ମୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ସେ କହିଥିଲେ ଯେ, ମୟୂରଭଞ୍ଜର ଝିଅ ଆଜି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଧିଷ୍ଠିତ ହୋଇଛନ୍ତି, ଯାହା ସମଗ୍ର ଓଡ଼ିଶା ଏବଂ ଦେଶ ପାଇଁ ଗର୍ବର ବିଷୟ।
ମୋଦୀ କହିଥିଲେ ଯେ, ସେ ରାଷ୍ଟ୍ରପତିଙ୍କ ଗାଁ ପାହାଡ଼ପୁରକୁ ଯାଇ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାର ସୁଯୋଗ ପାଇଥିଲେ। ସେ ରାଷ୍ଟ୍ରପତିଙ୍କ ଦ୍ୱାରା ସ୍ଥାପିତ ବିଦ୍ୟାଳୟକୁ ମଧ୍ୟ ଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ସଂବାଦ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପିଲାମାନେ ରାଷ୍ଟ୍ରପତିଙ୍କୁ ତାଙ୍କ ପାଇଁ “ମା’” ବୋଲି କହିଥିଲେ, ଯାହା ତାଙ୍କ ପ୍ରତି ଲୋକମାନଙ୍କର ଗଭୀର ସ୍ନେହ ଏବଂ ଆତ୍ମୀୟତାର ପ୍ରତୀକ।
ପ୍ରଧାନମନ୍ତ୍ରୀ ଏହି ଅବସରରେ ରାଷ୍ଟ୍ରପତି ମୁର୍ମୁଙ୍କ ଗାଁ ପାହାଡ଼ପୁରକୁ ‘ସୂର୍ଯ୍ୟ ଗ୍ରାମ’ ଭାବେ ବିକଶିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ। ସେ କହିଥିଲେ ଯେ, ଏହି ପ୍ରକଳ୍ପ ଅଧୀନରେ ଗାଁକୁ ସୌର ଶକ୍ତି ଆଧାରିତ ଆତ୍ମନିର୍ଭର ମଡେଲ୍ ଗ୍ରାମ ଭାବେ ବିକଶିତ କରାଯିବ। ଏହା ମାଧ୍ୟମରେ ସ୍ୱଚ୍ଛ ଶକ୍ତିକୁ ପ୍ରୋତ୍ସାହନ ମିଳିବ, ଗ୍ରାମବାସୀଙ୍କୁ ବିଭିନ୍ନ ସୁବିଧା ଉପଲବ୍ଧ ହେବ ଏବଂ ସ୍ଥାନୀୟ ସ୍ତରରେ ରୋଜଗାର ଓ ଉଦ୍ୟମୀତାର ସୁଯୋଗ ବୃଦ୍ଧି ପାଇବ। ସେ ବିଶ୍ୱାସ ପ୍ରକାଶ କରିଥିଲେ ଯେ, ଆଗାମୀ ବର୍ଷଗୁଡ଼ିକରେ ପାହାଡ଼ପୁର ଦେଶ ପାଇଁ ସୌର ଶକ୍ତିର ଏକ ଆଦର୍ଶ ମଡେଲ୍ ହେବ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ସ୍ପଷ୍ଟ ଦୃଷ୍ଟିକୋଣ ହେଉଛି—ପୂର୍ବ ଭାରତର ବିକାଶ ବିନା ବିକଶିତ ଭାରତର ସ୍ୱପ୍ନ ସାକାର ହୋଇପାରିବ ନାହିଁ। ଏହି ଚିନ୍ତାଧାରା ସହିତ ‘ପୂର୍ବୋଦୟ’ ନୀତି ଅନୁସାରେ କାର୍ଯ୍ୟ ହେଉଛି। କଂଗ୍ରେସ ଶାସନ କାଳରେ ପୂର୍ବ ଭାରତକୁ ପଛୁଆପଣର ପ୍ରତିଶବ୍ଦ କରି ଦିଆଯାଇଥିଲା , କିନ୍ତୁ ଏବେ ଏହା ବିକାଶ ଏବଂ ନିବେଶର ନୂତନ କେନ୍ଦ୍ର ଭାବେ ଉଭା ହେଉଛି।
ସେ କହିଥିଲେ ଯେ, ୨୦୩୬ ମସିହାରେ ଓଡ଼ିଶା ରାଜ୍ୟ ଗଠନର ୧୦୦ ବର୍ଷ ପୂରଣ ହେବ ଏବଂ ୨୦୪୭ ମସିହାରେ ଭାରତର ସ୍ୱାଧୀନତାର ୧୦୦ ବର୍ଷ ପୂରଣ ହେବ। ଏହି ପରିପ୍ରେକ୍ଷି ରେ ଓଡ଼ିଶା ଏବଂ ଭାରତ ଉଭୟଙ୍କ ବିକାଶ ଲକ୍ଷ୍ୟ ଏକାପରି ଭାବେ ଜଡିତ। ଯଦି ଓଡ଼ିଶା ଶକ୍ତିଶାଳୀ ହେବ, ତେବେ ଭାରତ ମଧ୍ୟ ଶକ୍ତିଶାଳୀ ହେବ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ଉନ୍ନତିର ନୂତନ ଅଧ୍ୟାୟ ଲେଖୁଛି। ରାଜ୍ୟରେ ନିବେଶ ପାଇଁ ପରିବେଶ ଅଧିକ ସୁଦୃଢ଼ ହୋଇଛି ଏବଂ ବିଭିନ୍ନ କ୍ଷେତ୍ରରେ ନିରନ୍ତର ପୁଞ୍ଜି ନିବେଶ ଆସୁଛି। ସେ ସୂଚନା ଦେଇଥିଲେ ଯେ, ‘ଉତ୍କର୍ଷ ଓଡ଼ିଶା’ ପ୍ରୟାସ ଅଧୀନରେ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଛି, ଯାହା ଶିଳ୍ପ ବିକାଶ, ରୋଜଗାର ସୃଷ୍ଟି ଏବଂ ଆର୍ôଥକ ପ୍ରଗତିକୁ ନୂତନ ଦିଗ ଦେବ।ସେ କହିଥିଲେ ଯେ, କେବଳ ଉର୍ଜା କ୍ଷେତ୍ରରେ ମାତ୍ର ପ୍ରାୟ ୬ ହଜାର କୋଟି ଟଙ୍କାର ନିବେଶ ଆସିଛି, ଯାହା ରାଜ୍ୟର ଶକ୍ତି କ୍ଷମତାକୁ ସୁଦୃଢ଼ କରିବ ଏବଂ ଶିଳ୍ପଗୁଡ଼ିକୁ ନୂତନ ଗତି ଦେବ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ତାଙ୍କ ଗସ୍ତ ସମୟରେ ଯେଉଁ ପ୍ରକଳ୍ପଗୁଡ଼ିକର ଉଦଘାଟନ ଏବଂ ଶିଳାନ୍ୟାସ କରାଯାଇଛି, ସେଗୁଡ଼ିକରେ ପ୍ରାୟ ୪୭ ହଜାର କୋଟି ଟଙ୍କା ବ୍ୟୟ ହେବ। ଏହି ପ୍ରକଳ୍ପଗୁଡ଼ିକ ଭିତ୍ତିଭୂମିକୁ ସୁଦୃଢ଼ କରିବ, ଶିଳ୍ପ ବିସ୍ତାର କରିବ, ଉର୍ଜା ଉତ୍ପାଦନ କ୍ଷମତା ବଢ଼ାଇବ ଏବଂ ଯୁବବର୍ଗଙ୍କ ପାଇଁ ନୂତନ ରୋଜଗାର ସୁଯୋଗ ସୃଷ୍ଟି କରିବ। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉତ୍ତମ ସମନ୍ୱୟ ଦ୍ୱାରା ଉନ୍ନୟନ ଯୋଜନାଗୁଡ଼ିକର ଲାଭ ସିଧାସଳଖ ଭାବେ ଲୋକମାନଙ୍କ ପର୍ଯ୍ୟନ୍ତ ପହଞ୍ଚୁଛି ଏବଂ ଓଡ଼ିଶା ଦେଶର ସବୁଠାରୁ ଦ୍ରୁତ ଅଗ୍ରଗତିଶୀଳ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ପାଉଛି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଡବଲ୍ ଇଞ୍ଜିନ୍ ସରକାରର ନୀତିର ଲାଭ ସମାଜର ସମସ୍ତ ବର୍ଗ ପର୍ଯ୍ୟନ୍ତ ପହଞ୍ଚୁଛି। ମହିଳା ସଶକ୍ତିକରଣ ପାଇଁ ‘ସୁଭଦ୍ରା ଯୋଜନା’ ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ‘ଆୟୁଷ୍ମାନ ଭାରତ ଯୋଜନା’ର ଲାଭ ଏବେ ରାଜ୍ୟବାସୀ ପାଇପାରୁଛନ୍ତି।ସେ ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ଓଡ଼ିଶାର ସଫଳତାକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ସରକାରକୁ ଅଭିନନ୍ଦନ ଜଣାଇଛନ୍ତି। ସେହି ସହିତ ଆଦିବାସୀ ସମୁଦାୟର ସମଗ୍ର ବିକାଶ ପାଇଁ କେନ୍ଦ୍ର ସରକାର ‘ପିଏମ୍ ଜନମନ ଯୋଜନା’ ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ମୌଳିକ ସୁବିଧା ବିସ୍ତାର କରୁଛି ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ ସାନ୍ତାଳୀ ଭାଷା ଓ ସଂସ୍କୃତିର ମହାନ ପ୍ରବର୍ତ୍ତକ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ମଧ୍ୟ ଶ୍ରଦ୍ଧାପୂର୍ବକ ସ୍ମରଣ କରି ‘ଓଲ୍ ଚିକି’ ଲିପିର ବିକାଶକୁ ଭାରତୀୟ ସାଂସ୍କୃତିକ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି ଉଲ୍ଲେଖ କରିଛନ୍ତି।
ମୋଦୀ ମୟୂରଭଞ୍ଜ ଜିଲ୍ଲା ପାଇଁ ଆଉ ଏକ ନବୋଦୟ ବିଦ୍ୟାଳୟ ସ୍ଥାପନାକୁ ଅନୁମୋଦନ ଦେବାର ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହା ଫଳରେ ଅଞ୍ଚଳର ଛାତ୍ରଛାତ୍ରୀମାନେ ଉଚ୍ଚ ଗୁଣମାନର ଶିକ୍ଷାର ଅଧିକ ସୁଯୋଗ ପାଇବେ।
ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣର ଶେଷରେ ୨୧ ଜୁନ୍ ଅନ୍ତର୍ଜାତୀୟ ଯୋଗ ଦିବସର ଉଲ୍ଲେଖ କରି କହିଛନ୍ତି ଯେ ଯୋଗ ଓଡ଼ିଶାର ସାଂସ୍କୃତିକ ପରମ୍ପରାର ଅଂଶ। ସେ ସାରା ଦେଶ ଓ ବିଶ୍ୱର ଲୋକଙ୍କୁ ଅଧିକ ସଂଖ୍ୟାରେ ଯୋଗ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଆହ୍ୱାନ କରିଛନ୍ତି।
.................
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା