ଗୁଲୁଗୁଳି ଗରମ ମଧ୍ୟରେ ୨୨ରୁ ସ୍କୁଲ ଖୋଲିବାକୁ ନେଇ ଅଭିଭାବକଙ୍କ ଚିନ୍ତା, ସକାଳୁଆ କ୍ଲାସ ପାଇଁ ଦାବୀ
Parents demand for morning school
ଗୁଲୁଗୁଳି ଗରମ ମଧ୍ୟରେ ୨୨ରୁ ସ୍କୁଲ ଖୋଲିବାକୁ ନେଇ ଅଭିଭାବକଙ୍କ ଚିନ୍ତା, ସକାଳୁଆ କ୍ଲାସ ପାଇଁ ଦାବୀ


ଝାରସୁଗୁଡ଼ା, ୨୦ ଜୁନ୍ (ହି.ସ.)- ରାଜ୍ୟର ଅନ୍ୟତମ ଉତ୍ତପ୍ତ ଜିଲ୍ଲା ଭାବେ ପରିଚିତ ଝାରସୁଗୁଡ଼ାରେ ଏବେ ମଧ୍ୟ ଗୁଲୁଗୁଳି ଗରମ ଜନଜୀବନକୁ ଅସ୍ତବ୍ୟସ୍ତ କରିରଖିଛି। ଗତ କିଛି ଦିନ ଧରି ମେଘୁଆ ପାଗ ଯୋଗୁଁ ତାପମାତ୍ରାରେ ସାମାନ୍ୟ ହ୍ରାସ ଦେଖାଦେଇଥିଲେ ମଧ୍ୟ ଆର୍ଦ୍ରତାଜନିତ ଅସହ୍ୟ ଗରମରୁ ଲୋକେ ଆଶ୍ୱସ୍ତି ପାଇପାରୁନାହାନ୍ତି। ଗ୍ରୀଷ୍ମ ଅବକାଶ ପରେ ଗତ ୧୮ ତାରିଖରେ ସ୍କୁଲ ଓ କଲେଜ ଖୋଲିବାକୁ ଥିବାବେଳେ ପ୍ରବଳ ଗରମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଖରାଛୁଟିକୁ ଆହୁରି ତିନି ଦିନ ବୃଦ୍ଧି କରିଥିଲେ। ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା ୨୨ ତାରିଖ ସୋମବାର ଠାରୁ ସ୍କୁଲ ଖୋଲିବାକୁ ଯାଉଛି। ତେବେ ବର୍ତ୍ତମାନ ସୁଦ୍ଧା ଗରମ ଓ ଗୁଲୁଗୁଳି କମିନଥିବାରୁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଅଭିଭାବକମାନଙ୍କ ଚିନ୍ତା ବଢ଼ିଯାଇଛି। ଦିନବେଳା ବାହାରେ ଯାତାୟାତ କରିବା କଷ୍ଟକର ହେଉଥିବା ବେଳେ ବିଦ୍ୟୁତ୍ ବିଭ୍ରାଟ ସମୟରେ ଘର ଭିତରେ ରହିବା ମଧ୍ୟ ଦୁର୍ବିସହ ହୋଇପଡୁଛି। ଏପରି ପରିସ୍ଥିତିରେ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲ ସମୟ ମଧ୍ୟରେ ଛାତ୍ରଛାତ୍ରୀମାନେ କିପରି ପାଠପଢ଼ା କରିବେ, ସେନେଇ ଅଭିଭାବକମାନେ ଉଦ୍ବେଗ ପ୍ରକାଶ କରିଛନ୍ତି। ତେଣୁ ଗରମର ପ୍ରକୋପ କମିବା ପର୍ଯ୍ୟନ୍ତ ଖରାଛୁଟିର ଅବଧି ବଢ଼ାଇବା କିମ୍ବା ସକାଳୁଆ ସ୍କୁଲ ବ୍ୟବସ୍ଥା ଲାଗୁ କରିବାକୁ ଅଭିଭାବକମାନେ ଦାବୀ ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande