
ଝାରସୁଗୁଡ଼ା, ୨୦ ଜୁନ୍ (ହି.ସ.) - ଝାରସୁଗୁଡା ଜିଲ୍ଲାର ମରାକୁଟା ପଂଚାୟତର ସମାଜସେବୀ ତଥା ପୂର୍ବତନ ସରପଂଚଙ୍କ ସ୍ୱାମୀ ବିରଂଚି ମେହେରଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି। ଶନିବାର ସକାଳେ ସଦର ଥାନା ପୋଲିସ କବରସ୍ଥାନ ପଡ଼ାରେ ଚଢ଼ାଉ କରି ଏହି ଅଭିଯୁକ୍ତମାନଙ୍କୁ ଧରିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଶୁକ୍ରବାର ପୂର୍ବାହ୍ନରେ ବିଜୁ ଏକ୍ସପ୍ରେସ-ୱେର ସାରସମାଲ ନିକଟରେ ବିରଂଚି ମେହେରଙ୍କୁ ୫ରୁ ୭ ଜଣ ମୁହଁପୋଛା ଦୁର୍ବୃତ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଆକ୍ରମଣକାରୀମାନେ ତାଙ୍କୁ ଗୁରୁତର ଭାବେ ଆହତ କରିବା ସହ ସ୍କୁଟି ଭାଙ୍ଗିଦେଇଥିଲେ ଏବଂ ପ୍ରାୟ ୩୦ ହଜାର ଟଙ୍କା ଲୁଟି ନେଇଥିଲେ। ଗୁରୁତର ଆହତ ମେହେରଙ୍କୁ ବୁର୍ଲା ଚିକିତ୍ସାଳୟରେ ଭର୍ତି କରାଯାଇଥିବାବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏମ୍ଏସ୍ପି ଧର୍ମଘଟ ପରେ ଟ୍ରାନ୍ସପୋର୍ଟରମାନଙ୍କ ବଟ୍ଟି ଆଦାୟ ସମ୍ପର୍କିତ ଅଭିଯୋଗର ପର୍ଦ୍ଦାଫାଶ କରିବା ପରଠାରୁ ବିରଂଚି ମେହେର ବିଭିନ୍ନ ସମୟରେ ଧମକ ପାଉଥିଲେ।
ଘଟଣାକୁ ନେଇ ମରାକୁଟା ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଶୁକ୍ରବାର ସନ୍ଧ୍ୟାରେ ଗ୍ରାମବାସୀମାନେ ସଦର ଥାନା ଘେରାଉ କରି ଦୋଷୀଙ୍କୁ ତୁରନ୍ତ ଗିରଫ ଦାବି କରିଥିଲେ। ପରେ ପୋଲିସ ତଦନ୍ତ ଜୋରଦାର କରି ୬ ଜଣଙ୍କୁ ଗିରଫ କରିଛି।
ଗିରଫ ଅଭିଯୁକ୍ତମାନେ ହେଲେ ବିଦ୍ୟାଧର ଗଣ୍ଡ, କରନ କାନ୍ତା, ବିଜୟ ସେନ୍ଦ୍ରିଆ, ମନୀଷ ସେନ୍ଦ୍ରିଆ, ମନ୍ନୁ ସେନ୍ଦ୍ରିଆ ଓ ଭାବେଶ ଗଣ୍ଡ। ସଦର ଥାନାରେ ମାମଲା ନମ୍ବର ୨୯୮/୨୦୨୬ ରୁଜୁ ହୋଇଥିବାବେଳେ ବିଏନଏସର ବିଭିନ୍ନ ସଙ୍ଗୀନ ଧାରାରେ ଅଭିଯୋଗ ଆଣି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ