
କେନ୍ଦ୍ରାପଡ଼ା, ୨୦ ଜୁନ୍(ହି.ସ.) – ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ବଳଦେବ ଜୀୟୁଙ୍କ ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ରଥ ନିର୍ମାଣ କମିଟି ସହିତ ଶୁକ୍ରବାର ଦିନ ମନ୍ଦିରର ଯାତ୍ରୀନିବାସ ସଭାଗୃହରେ ଟ୍ରଷ୍ଟ ବୋର୍ଡର ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା ସଭାପତିତ୍ୱ କରିଥିଲେ। ଉକ୍ତ ବୈଠକରେ ଜିଲ୍ଲାପାଳ ରଘୁରାମ ଆର ଆୟର ଉପସ୍ଥିତ ରହି ରଥ ନିର୍ମାଣର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ବୈଠକରେ ପୁରୀ ଶ୍ରୀ ଜଗନ୍ନାଥଙ୍କ ରଥର ମୁଖ୍ୟ ଭୋଇ ମହାରଣା ଆସି ରଥ ନିର୍ମାଣକୁ ଅନୁଧ୍ୟାନ କରିବା ପାଇଁ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକୁ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରିବାକୁ ସ୍ଥିର କରାଗଲା। ଏଥିସହିତ ଭୂବନେଶ୍ୱରର ଆଇ.ଆଇ.ଟି ଇଞ୍ଜିନିୟର ମାନସ ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଆସି ରଥ ନିର୍ମାଣର ଅନୁଧ୍ୟାନ କରିବେ ବୋଲି ସମ୍ମତି ପ୍ରକାଶ କରିଛନ୍ତି ବୋଲି ଟ୍ରଷ୍ଟ ବୋର୍ଡର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି। ଜିଲ୍ଲାପାଳ ଶ୍ରୀ ଆୟର ସୂଚନା ଦେଇଥିଲେ ଯେ ପୁରୀ ଶ୍ରୀ ମନ୍ଦିର ପ୍ରଶାସନ ତରଫରୁ ଶ୍ରୀ ବଳଭଦ୍ର ମହାପ୍ରଭୁଙ୍କ ତାଳଧ୍ୱଜ ରଥର ଏକ ଚକ ଅଣାଯାଇ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସୁରକ୍ଷିତ ଭାବରେ ରଖାଯିବ। ରଥ ଦାଣ୍ଡ ପାଶ୍ୱର୍ରେ କଲଭର୍ଟ ଓ ଡ୍ରେନ କାର୍ଯ୍ୟ ତୁରନ୍ତ ସାରିବା ପାଇଁ ରାସ୍ତା ଓ କୋଠାବାଡି ବିଭାଗକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ଜିୟୁଙ୍କ ଚନ୍ଦନ ପୋଖରୀ ପଙ୍କ ଉଦ୍ଧାର, ସଫେଇ ଓ ଚନ୍ଦନ ତାଲା ମନ୍ଦିରର ଆବଶ୍ୟକୀୟ ମରାମତି କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଗତ ଜୁନ ୧୮ତାରିଖରେ ଟ୍ରଷ୍ଟ ବୋର୍ଡର ସଭାପତି ଅତିରିକ୍ତ ଜିଲ୍ଲାପାଳ ଓ ସଭ୍ୟମାନେ ଚନ୍ଦନ ପୋଖରୀ ପରିଦର୍ଶନ କରି କାର୍ଯ୍ୟର ତଦାରଖ କରିଥିଲେ ଓ ସେ ସମ୍ପର୍କରେ ବୈଠକରେ ଆଲୋଚଲା କରାଯାଇଥିଲା। ଏହି କାର୍ଯ୍ୟ ଯଥା ଶୀଘ୍ର ସରିବା ପାଇଁ ଟ୍ରଷ୍ଟ ବୋର୍ଡକୁ ପରାମର୍ଶ ଦେଇଥିଲେ। ମନ୍ଦିରର ସେବାୟତଙ୍କ ପକ୍ଷରୁ ଅନୁରୋଧ କରାଯାଇଥିବା ନିତୀକାନ୍ତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଉକ୍ତ ବୈଠକରେ ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, କେନ୍ଦ୍ରାପଡା ତହସିଲଦାର କୁଇନ ଜେନା, କେନ୍ଦ୍ରାପଡା ପୌର ନିର୍ବାହୀ ଅଧିକାରୀ ତ୍ରିନାଥ ବେହେରା, ପୁର୍ତବିଭାଗର ଇଞ୍ଜିନିୟରମାନେ, ଟ୍ରଷ୍ଟ ବୋର୍ଡ ସଭ୍ୟ ପଣ୍ଡିତ ହୃଶୀକେଷ ରଥ, ପୂର୍ବତନ ପୌରାଧ୍ୟକ୍ଷ ଧିରେନ କୁମାର ସାହୁ, ସେବକ ଟ୍ରଷ୍ଟି ନୃସିଂହ ପ୍ରସାଦ ପତ୍ରୀ, ଅନନ୍ତ ଚରଣ କର, ରଞ୍ଜନ କୁମାର ପୃଷ୍ଟି, ଅକ୍ଷୟ ମେକାପ, ଟୁକୁ ପତ୍ରୀ, ଉମାକାନ୍ତ ବଳ, ରଘୁନାଥ ମହାରଣା, ପୁପୁନ ସ୍ୱାଇଁ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି