ଭୋଟର ସଚେତନତା ପ୍ରତିଯୋଗିତା; ବିଜେତାଙ୍କ ପାଇଁ ରହିଛି ଆକର୍ଷଣୀୟ ନଗଦ ପୁରସ୍କାର
Voter awareness competition
Voter awareness


ଝାରସୁଗୁଡ଼ା, ୨୦ ଜୁନ୍ (ହି.ସ.)- ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ଅବସରରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ବୃହତ ପ୍ରୟାସ ଆରମ୍ଭ ହୋଇଛି। କୌଣସି ଯୋଗ୍ୟ ମତଦାତା ଯେପରି ବାଦ୍ ନପଡ଼ନ୍ତି ଶୀର୍ଷକକୁ ନେଇ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ, ଝାରସୁଗୁଡ଼ା ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ଭୋଟର ସଚେତନତା ପ୍ରତିଯୋଗିତା ଆୟୋଜନ କରାଯାଉଛି। ଏହି ପ୍ରତିଯୋଗିତାଟି ରାଜ୍ୟସ୍ତରୀୟ ଭାବେ ଚଳିତ ମେ ୩୦ରୁ ଆରମ୍ଭ ହୋଇସାରିଥିବା ବେଳେ ଆସନ୍ତା ୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୁଖ୍ୟତଃ ତିନୋଟି ବିଭାଗ ଯଥା– ସ୍ଲୋଗାନ ପ୍ରତିଯୋଗିତା, ସ୍କିଟ୍ (ନାଟିକା) ପ୍ରତିଯୋଗିତା ଏବଂ ରିଲ୍ ମେକିଂ ପ୍ରତିଯୋଗିତା ଅନ୍ତର୍ଭୁକ୍ତ କରାଯାଇଛି।

ଏହି ଅଭିଯାନକୁ ସଫଳ କରିବା ପାଇଁ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ, ଇଲେକ୍ଟୋରାଲ ଲିଟରେସି କ୍ଲବ୍ ଏନ୍ଏସ୍ଏସ୍, ଏନସିସି ଏବଂ ଯୁବକ-ଯୁବତୀମାନଙ୍କୁ ଏଥିରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଅନୁରୋଧ କରାଯାଇଛି। ପ୍ରତିଯୋଗିତାର ମୁଖ୍ୟ ବିଷୟବସ୍ତୁ ମତଦାତାଙ୍କ ଅଧିକାର ଓ ଦାୟିତ୍ୱ, ସ୍ୱତନ୍ତ୍ର ସଘନ ସଂଶୋଧନର ଗୁରୁତ୍ୱ, ଗଣନା ଫର୍ମ ପୂରଣ ପ୍ରକ୍ରିୟା ଏବଂ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତି ସମ୍ପର୍କିତ ବିଷୟ ଉପରେ ଆଧାରିତ ହେବ। ଏହି ପ୍ରତିଯୋଗିତା ସମ୍ବନ୍ଧୀୟ ସମସ୍ତ ବିସ୍ତୃତ ନିର୍ଦ୍ଦେଶାବଳୀ ଏବଂ ନିୟମାବଳୀ ଜିଲ୍ଲାପାଳଙ୍କ ଅଫିସିଆଲ୍ ୱେବସାଇଟ୍ *https://jharsuguda.odisha.gov.in* ଏବଂ *ceoodisha.nic.in* ରେ ଉପଲବ୍ଧ ରହିଛି।

ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆଗ୍ରହୀ ଅଂଶଗ୍ରହଣକାରୀମାନେ ନିଜର ନାମ, ଠିକଣା ଓ ମୋବାଇଲ ନମ୍ବର ସହିତ ପ୍ରସ୍ତୁତ ସମସ୍ତ ଏଣ୍ଟ୍ରିକୁ *distelectionjsg@gmail.com ଇ-ମେଲ୍ ମାଧ୍ୟମରେ ପ୍ରେରଣ କରିପାରିବେ। ଏହା ବ୍ୟତୀତ ସେମାନେ ନିଜର ସମ୍ପୃକ୍ତ ଶିକ୍ଷାନୁଷ୍ଠାନ କିମ୍ବା ଇଲେକ୍ଟୋରାଲ୍ ରେଜିଷ୍ଟ୍ରେସନ ଅଫିସରଙ୍କ ମାଧ୍ୟମରେ ମଧ୍ୟ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ, ଝାରସୁଗୁଡ଼ାକୁ ଏହା ପଠାଇପାରିବେ। ସ୍କିଟ୍ ଏବଂ ରୀଲ୍ ପ୍ରତିଯୋଗିତା ପାଇଁ ନିଜ ପ୍ରସ୍ତୁତ ଭିଡିଓଗୁଡ଼ିକୁ ସୋସିଆଲ ମିଡିଆ ପ୍ରୋଫାଇଲରେ ପୋଷ୍ଟ କରିବା ସହ ଅଫିସିଆଲ୍ ହ୍ୟାଣ୍ଡେଲ @OdishaCeo* ଏବଂ *@dm_jharsuguda* କୁ ନିଶ୍ଚିତ ଭାବେ ଟ୍ୟାଗ୍ କରିବେ।

କୃତୀ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆକର୍ଷଣୀୟ ନଗଦ ପୁରସ୍କାରର ବ୍ୟବସ୍ଥା କରାଯାଇଛି। ସ୍ଲୋଗାନ ପ୍ରତିଯୋଗିତାର ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ବିଜେତାଙ୍କୁ କ୍ରମଶଃ ୩,୦୦୦ ଟଙ୍କା, ୨,୫୦୦ ଟଙ୍କା ଓ ୨,୦୦୦ ଟଙ୍କା ପ୍ରଦାନ କରାଯିବ। ସେହିପରି ସ୍କିଟ୍ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ୩୦,୦୦୦ ଟଙ୍କା, ଦ୍ୱିତୀୟ ପୁରସ୍କାର ୨୦,୦୦୦ ଟଙ୍କା ଏବଂ ତୃତୀୟ ପୁରସ୍କାର ୧୦,୦୦୦ ଟଙ୍କା ରହିଥିବା ବେଳେ ରିଲ୍ ମେକିଂ ପ୍ରତିଯୋଗିତାରେ ବିଜେତାମାନଙ୍କୁ କ୍ରମଶଃ ୨୦,୦୦୦ ଟଙ୍କା, ୧୦,୦୦୦ ଟଙ୍କା ଓ ୫,୦୦୦ ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରାଯିବ। ଜିଲ୍ଲାର ସମସ୍ତ ଯୋଗ୍ୟ ଛାତ୍ରଛାତ୍ରୀ ଏବଂ ଯୁବବର୍ଗଙ୍କୁ ଏହି ସୁଯୋଗର ସଦୁପଯୋଗ କରି ଅଧିକରୁ ଅଧିକ ସଂଖ୍ୟାରେ ଅଂଶଗ୍ରହଣ କରିବା ପାଇଁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି।.

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande