ରାଜ୍ୟକୁ ନୂତନ ଦିଗ ଦେବା ପାଇଁ ଆମ ସରକାର ପ୍ରତିବଦ୍ଧ : ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ରାଇରଙ୍ଗପୁର/ଭୁବନେଶ୍ୱର, ୨୦ ଜୁନ (ହି.ସ.) : ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଜନକଲ୍ୟାଣ, ସୁଶାସନ, ଶିଳ୍ପ ବିକାଶ ଓ ସାମାଜିକ ନ୍ୟାୟ ମାଧ୍ୟମରେ ରାଜ୍ୟକୁ ଏକ ନୂତନ ଦିଗ ପ୍ରଦାନ କରିବା ପାଇଁ ତାଙ୍କ ସ
mohan majhi


ରାଇରଙ୍ଗପୁର/ଭୁବନେଶ୍ୱର, ୨୦ ଜୁନ (ହି.ସ.) : ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଜନକଲ୍ୟାଣ, ସୁଶାସନ, ଶିଳ୍ପ ବିକାଶ ଓ ସାମାଜିକ ନ୍ୟାୟ ମାଧ୍ୟମରେ ରାଜ୍ୟକୁ ଏକ ନୂତନ ଦିଗ ପ୍ରଦାନ କରିବା ପାଇଁ ତାଙ୍କ ସରକାର ଦୃଢ଼ ପ୍ରତିବଦ୍ଧ। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିବସ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିକୁ ସେ ଓଡ଼ିଶା ପାଇଁ ଏକ ଐତିହାସିକ ଓ ଗୌରବମୟ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି ।

ନିଜର ସ୍ୱାଗତ ଅଭିଭାଷଣରେ ମୁଖ୍ୟମନ୍ତ୍ରୀରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତାଙ୍କ ୬୮ତମ ଜନ୍ମଦିବସ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ କହିଥିଲେ ଯେ, ତାଙ୍କ ଜୀବନ ତ୍ୟାଗ, ସେବା ଓ ସମର୍ପଣର ଏକ ଅଦ୍ୱିତୀୟ ଉଦାହରଣ। ମୟୂରଭଞ୍ଜ ଜିଲ୍ଲାର ଏକ ସାଧାରଣ ଆଦିବାସୀ ଗ୍ରାମରୁ ଜୀବନ ଯାତ୍ରା ଆରମ୍ଭ କରି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ହେବା ତାଙ୍କର କର୍ମନିଷ୍ଠା, ଜନସେବା ପ୍ରତି ନିଷ୍ଠା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଅଟୁଟ ବିଶ୍ୱାସର ପ୍ରତିଫଳନ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଦେଶର କୋଟି କୋଟି ମହିଳାଙ୍କ ପାଇଁ ପ୍ରେରଣାର ଏକ ଉଜ୍ୱ୍ଠଳ ଉତ୍ସ ବୋଲି ଅଭିହିତ କରିବା ସହ ତାଙ୍କର ଦୀର୍ଘାୟୁ, ସୁସ୍ଥ ଓ ସୁଖମୟ ଜୀବନ କାମନା କରିଥିଲେ।

ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱାଗତ ଜଣାଇ କହିଥିଲେ ଯେ, ଓଡ଼ିଶା ପ୍ରତି ତାଙ୍କର ବିଶେଷ ସ୍ନେହ, ଭରସା ଓ ସହଯୋଗ ରାଜ୍ୟର ସବୁଠାରୁ ବଡ଼ ପୁଞ୍ଜି। ସେ କହିଥିଲେ ଯେ, ରାଜ୍ୟ ସରକାରଙ୍କ ଶପଥ ଗ୍ରହଣ ସମାରୋହଠାରୁ ଆରମ୍ଭ କରି ପ୍ରଥମ ଓ ଦ୍ୱିତୀୟ ବର୍ଷପୂର୍ତ୍ତି ଅବସର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆଠ ଥର ଓଡ଼ିଶା ଗସ୍ତ କରିଛନ୍ତି ଏବଂ ପ୍ରତ୍ୟେକ ଗସ୍ତରେ ରାଜ୍ୟ ପାଇଁ ବିକାଶର ନୂତନ ଉପହାର ନେଇ ଆସିଛନ୍ତି।

ସେ କହିଥିଲେ ଯେ, ଗତ ୧୨ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ସେବା, ସୁଶାସନ ଓ ଜନକଲ୍ୟାଣର ଏକ ନୂତନ ସଂଜ୍ଞା ସୃଷ୍ଟି କରିଛନ୍ତି। ୨୦୧୪ ପରଠାରୁ ଆରମ୍ଭ ହୋଇଥିବା ବିଭିନ୍ନ ଜନହିତକର ଯୋଜନାର ସୁଫଳ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ନିକଟରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତାର ଉଲ୍ଲେଖ କରି ସେ କହିଥିଲେ ଯେ, ଆଜି ଦେଶର ପ୍ରତ୍ୟେକ ନାଗରିକଙ୍କ ଜୀବନରେ ବିକାଶ ଓ ପରିବର୍ତ୍ତନର ସ୍ପଷ୍ଟ ଛାପ ପରିଲକ୍ଷିତ ହେଉଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାର ଗତ ଦୁଇ ବର୍ଷ ମଧ୍ୟରେ ଦ୍ରୁତ ଗତିରେ କାର୍ଯ୍ୟ କରି ମହିଳା, କୃଷକ, ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ ଏବଂ ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରେ ସୁଭଦ୍ରା ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା, କୃଷକ ସମୃଦ୍ଧି ଯୋଜନା, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା, ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ଏବଂ ଆୟୁଷ୍ମାନ ଭାରତ ଯୋଜନା ପ୍ରମୁଖ।

ସେ ସୂଚନା ଦେଇଥିଲେ ଯେ, ରାଜ୍ୟ ସରକାର ନିକଟରେ କିଣ୍ଡରଗାର୍ଟେନ (କେଜି) ଠାରୁ ସ୍ନାତକୋତ୍ତର (ପିଜି) ସ୍ତର ପର୍ଯ୍ୟନ୍ତ ଶିକ୍ଷାକୁ ସମ୍ପୂର୍ଣ୍ଣ ନିଃଶୁଳ୍କ କରିବା ପାଇଁ ଏକ ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ଏଭଳି ପଦକ୍ଷେପ ନେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହେବା ଦିଗରେ ଅଗ୍ରସର ହେଉଛି। ସେ ଆହୁରି କହିଥିଲେ ଯେ, ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗଙ୍କ ପାଇଁ ଦୀର୍ଘ ଦିନ ଧରି ଅପେକ୍ଷିତ ଥିବା ସଂରକ୍ଷଣ ବ୍ୟବସ୍ଥାକୁ ମଧ୍ୟ କାର୍ଯ୍ୟକାରୀ କରାଯାଇଛି, ଯାହାର ସୁଫଳ ସାଧାରଣ, ବୈଷୟିକ ଏବଂ ଚିକିତ୍ସା ଶିକ୍ଷା ଅନୁଷ୍ଠାନଗୁଡ଼ିକରେ ମଧ୍ୟ ମିଳିବ।

ମୁଖ୍ୟମନ୍ତ୍ରୀ ମାଝୀ କହିଥିଲେ ଯେ, ରାଜ୍ୟ ସରକାର ଶିଳ୍ପ ବିକାଶକୁ ପ୍ରାଥମିକତା ଦେଉଛନ୍ତି ଏବଂ ଓଡ଼ିଶା ଆଜି ଦେଶର ନିବେଶକମାନଙ୍କ ପ୍ରଥମ ପସନ୍ଦର ରାଜ୍ୟ ଭାବେ ଉଭୟ ହେଉଛି। ସେ ସୂଚନା ଦେଇଥିଲେ ଯେ, ‘ଉତ୍କର୍ଷ ଓଡ଼ିଶା–ମେକ୍ ଇନ୍ ଓଡ଼ିଶା’ ପ୍ରୟାସ ମାଧ୍ୟମରେ ରାଜ୍ୟରେ ଶିଳ୍ପ ବିକାଶର ଏକ ନୂତନ ଯୁଗ ଆରମ୍ଭ ହୋଇଛି, ଯାହା ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ପୂରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ।

ସେ କହିଥିଲେ ଯେ, ଏପର୍ଯ୍ୟନ୍ତ ରାଜ୍ୟରେ ୩.୧୧ ଲକ୍ଷ କୋଟି ଟଙ୍କାର ନିବେଶ ସହିତ ସମ୍ବନ୍ଧିତ ୧୫୨ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ପ୍ରାୟ ଅଢ଼େଇ ଲକ୍ଷ ରୋଜଗାର ସୁଯୋଗ ସୃଷ୍ଟି ହୋଇଛି। ଏହା ସହିତ ସରକାରୀ କ୍ଷେତ୍ରରେ ମଧ୍ୟ ୪୪ ହଜାରରୁ ଅଧିକ ନିଯୁକ୍ତି ଦିଆଯାଇଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଆମର ୩୦ଟି ଜିଲ୍ଲା ମଧ୍ୟରୁ ୨୯ଟି ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ହେଉଛି। ଆମର ଏହି ଶିଳ୍ପାୟନ ଅଭିଯାନ ସମ୍ପୂର୍ଣ୍ଣ ରୂପେ ଏକ ସମାବେଶୀ ପ୍ରକ୍ରିୟା ଅଟେ।ସେ ବିଶ୍ୱାସ ପ୍ରକାଶ କରିଥିଲେ ଯେ, ଆଗାମୀ ବର୍ଷଗୁଡ଼ିକରେ ରୋଜଗାର ସନ୍ଧାନରେ ଓଡ଼ିଶାରୁ ଲୋକମାନଙ୍କ ପ୍ରବାସ ବନ୍ଦ ହେବ, ତଥା ବିପରୀତରେ ଅନ୍ୟ ରାଜ୍ୟର ଲୋକମାନେ ଚାକିରି ପାଇଁ ଓଡ଼ିଶାକୁ ଆସିବେ।

ସେ କହିଥିଲେ ଯେ, କେନ୍ଦ୍ର ଏବଂ ରାଜ୍ୟରେ ସମାନ ଚିନ୍ତାଧାରାର ସରକାର ଥିବାରୁ ଓଡ଼ିଶାକୁ ବ୍ୟାପକ ଲାଭ ମିଳିଛି। ସେ ସୂଚନା ଦେଇଥିଲେ ଯେ, ରାଜ୍ୟକୁ ପ୍ରାୟ ୯୦ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ, ୪୦ ହଜାର କୋଟି ଟଙ୍କାର ସଡ଼କ ପ୍ରକଳ୍ପ, ୨୫ ହଜାର କୋଟି ଟଙ୍କାର ବନ୍ଦର ପ୍ରକଳ୍ପ ଏବଂ ୨୫ ହଜାର କୋଟି ଟଙ୍କାର ଜାହାଜ ନିର୍ମାଣ ଓ ମରାମତି କ୍ଲଷ୍ଟରର ଉପହାର ମିଳିଛି।

ସେ କହିଥିଲେ ଯେ, ପାରାଦୀପରେ ୮୦ ହଜାର କୋଟି ଟଙ୍କାର ଖର୍ଚ୍ଚରେ ଏକ ପେଟ୍ରୋକେମିକାଲ ପ୍ରକଳ୍ପ ବିକାଶ କରାଯାଉଛି। ଏହା ସହିତ ଭୁବନେଶ୍ୱର–କଟକ–ପୁରୀ–ପାରାଦୀପ ଆର୍ôଥକ କରିଡର ପାଇଁ ପ୍ରାୟ ୫ ହଜାର କୋଟି ଟଙ୍କାର ନିବେଶ କରାଯାଉଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ପ୍ରାୟ ୫୦ ହଜାର କୋଟି ଟଙ୍କାର ବିଭିନ୍ନ ବିକାଶ ପ୍ରକଳ୍ପର ଶୁଭାରମ୍ଭ ରାଜ୍ୟର ଉଜ୍ଜ୍ୱଳ ଭବିଷ୍ୟତର ସଙ୍କେତ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଗତ ଦୁଇ ବର୍ଷ ମଧ୍ୟରେ ସରକାର ମହିଳା, ଗରିବ, କୃଷକ, ଯୁବବର୍ଗ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗଙ୍କ କଲ୍ୟାଣ ପାଇଁ ଅନେକ ନୂତନ ଯୋଜନା ଆରମ୍ଭ କରିଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ, ଜୀବିକା ଓ ଶିଳ୍ପ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଦେଖାଯାଇଛି।

ସେ କହିଥିଲେ ଯେ, ରାଜ୍ୟ ସରକାର ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ପୂରଣ ପାଇଁ ପୂର୍ଣ୍ଣ ପ୍ରତିବଦ୍ଧତା ସହିତ କାର୍ଯ୍ୟ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ଜନସାଧାରଣଙ୍କ ସହଯୋଗରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ପାଇବ ଏବଂ ବିକଶିତ ଭାରତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବ।

କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟପାଳ ଡା. ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସହିତ ଅନେକ ମନ୍ତ୍ରୀ, ସାଂସଦ ଏବଂ ଜନପ୍ରତିନିଧି ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande