
ଭୁବନେଶ୍ୱର,୨୦ ଜୁନ୍ (ହି.ସ.) - ଓଡ଼ିଶାରେ ମହିଳା ଅତ୍ୟାଚାର, ଦୁଷ୍କର୍ମ ଓ ହତ୍ୟା ବୃଦ୍ଧିକୁ ଅଣଦେଖା କରୁଥିବା ଭାରତର ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ବିରୋଧ କରି ଶନିବାର ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଂଟିନ ଛକ ଠାରେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ଅନଶନ କରାଯାଇଥିଲା । ପ୍ରଦେଶ ମହିଳା କଂଗ୍ରେସ ନେତ୍ରୀ, ମହିଳା କଂଗ୍ରେସ ରାଜ୍ୟ କର୍ମକର୍ତା, ଜିଲ୍ଲା ସଭାପତି ଓ କର୍ମୀଙ୍କୁ ମିଶାଇ ୨୦୦୦ ରୁ ଉର୍ଦ୍ଧ୍ୱ ମହିଳା ଆଜି ଏହି ଅନଶନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ କହିଥିଲେ ଯେ, ରାଜ୍ୟର ନାରୀଙ୍କ ପ୍ରତି ଅତ୍ୟାଚାର ସୀମା ଲଙ୍ଘନ କରି ଯାଇଛି, ଯାହା ତ ନାରୀଙ୍କ ଉପରେ ଅତ୍ୟାଚାର ହେଉଛି ଆଜି ନାରୀଙ୍କୁ ସର୍ବସମ୍ମୁଖରେ ବିବସ୍ତ୍ର କରି ଦିଆଯାଇଛି, ରାୟଗଡା କଲ୍ୟାଣସିଂପୁର କାନ୍ଦୁଲଗୁଡା ଗ୍ରାମରେ ଯେଉଁ ଘଟଣା ଘଟିଛି ତାହା ଦେଖିଲେ ନିଜ ମଣିଷପଣିଆକୁ ଧିକ୍କାର ଆସୁଛି । ସରକାର ଯଦି ବିରୋଧୀଙ୍କ କଥା ଶୁଣି ନାରୀ ସୁରକ୍ଷା ପାଇଁ ହାଉସ କମିଟି ଗଠନ କରିଥାନ୍ତେ ତେବେ ଆଜି ନାରୀଙ୍କୁ ଏତେ ଅତ୍ୟାଚାରିତ ଓ ଅସମ୍ମାନିତ ହେବାକୁ ପଡି ନ ଥାନ୍ତା । ଉଭୟ ମୋଦି ଓ ମୋହନ ସରକାର ନାରୀ ଜାତିକୁ ଅପମାନିତ ଓ ଲାଂଛିତ କରୁଛନ୍ତି । ଡବଲ ଇଞ୍ଜିନ ସରକାରର ନାରୀ ଜାତି ପ୍ରତି ସମ୍ମାନ ଓ ଶ୍ରଦ୍ଧା ନାହିଁ । ନାରୀଙ୍କୁ ସୁରକ୍ଷା ଓ ରୋଜଗାର ଦେବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିବା ପରେ ଏବେ ଓଡ଼ିଶାରେ ମହିଳାମାନଙ୍କ ପ୍ରତାରିତ କରାଯାଉଛି । ମୋଦି ଓଡ଼ିଶା ଆସୁଛନ୍ତି ଯାଉଛନ୍ତି କିନ୍ତୁ ଓଡ଼ିଶାର ମହିଳାଙ୍କ ଦୁଃଖ, ଦୁର୍ଦ୍ଦଶା ଓ ଦୟନୀୟ ପରିସ୍ଥିତିକୁ ବୁଝିବାକୁ ମୋଦିଙ୍କ ପାଖରେ ସମୟ ନାହିଁ । ମହିଳା କଂଗ୍ରେସ ମୋଦିଙ୍କର ଗସ୍ତକୁ ନେଇ ଆଜି ଯେଉଁ ଅନଶନ କରିଛନ୍ତି ତାହାର ବାର୍ତା ଓଡ଼ିଶାର ଘରେ ଘରେ ପହଂଚବା ଦରକାର । ଉଭୟ ମୋଦି ସରକାର ଓ ମୋହନ ସରକାର ମହିଳା ବିରୋଧି ।
ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତି ଆହ୍ୱାନ ଦେଇଥିଲେ ଯେ ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ ସମସ୍ତ ମହିଳା କଂଗ୍ରେସ କର୍ମୀ ଅତ୍ୟାଚାରିତା ମହିଳାମାନଙ୍କ ଲଢ଼େଇରେ ସାମିଲ ହୁଅନ୍ତୁ । ରାୟଗଡାରେ ମହିଳାମାନଙ୍କୁ ଅସଦାଚରଣ, ଗୋପାଳପୁର ସମୁଦ୍ର କୁଳରେ ମହିଳାଙ୍କୁ ଗଣଦୁଷ୍କମ, ଭାପୁର ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ, କେନ୍ଦୁଝରର ଆଦିବାସୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା, ବ୍ରହ୍ମଗିରିରେ ନାବାଳିକାକୁ ଦୁଷ୍କର୍ମ, ଚାନ୍ଦବାଲିରେ ନାବାଳିକାକୁ ଦୁଷ୍ମର୍ମ ଓ ହତ୍ୟା ପ୍ରଭୃତି ଲୋମ ଟାଙ୍କୁରା ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ମୋହନ ସରକାର ସଂପୁର୍ଣ୍ଣ ନିଷ୍କ୍ରିୟ ହୋଇବସିଛନ୍ତି ।
ପ୍ରଦେଶ ମହିଳା କଂଗ୍ରେସର ନେତ୍ରୀ ଓ କର୍ମୀମାନେ ମହିଳା ସ୍ୱାର୍ଥ ବିରୋଧି ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ବିରୋଧ କରି ଆଖିରେ କଳା ପଟି ବାନ୍ଧି ଧାରଣା ଦେଇଛନ୍ତି । ଧାରଣା ଶେଷରେ ମହିଳା କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଂଟନ ଛକରେ ଏକ ରାଲି ହୋଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା