୩ ବର୍ଷରେ ଜରାଜୀର୍ଣ୍ଣ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ, ନିମ୍ନମାନର କାମ ନେଇ ଉଠିଲା ପ୍ରଶ୍ନ
Demand to construction of road
Road damage


ଝାରସୁଗୁଡ଼ା, ୨୧ ଜୁନ୍ (ହି.ସ.) - ଝାରସୁଗୁଡ଼ା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର କୋଲାବିରା ସେକ୍ସନ ଅଧୀନରେ ସମାସିଂହାରୁ କୁସୁମଡିହି ପର୍ଯ୍ୟନ୍ତ ନିର୍ମିତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କର ମାନକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି। ନିର୍ମାଣର ମାତ୍ର ୩ ବର୍ଷ ମଧ୍ୟରେ ରାସ୍ତାର ଅନେକ ସ୍ଥାନରୁ ପିଚୁ ଉଠିଯାଇ ମେଟାଲ ଓ ବଜରି ବାହାରକୁ ଦେଖାଯାଉଥିବା ବେଳେ କଂକ୍ରିଟ ଅଂଶରେ ମଧ୍ୟ ଚିପ୍ସ ବାହାରି ପଡ଼ୁଥିବା ଅଭିଯୋଗ ହୋଇଛି।

ବିଭାଗୀୟ ସୂଚନା ଫଳକ ଅନୁଯାୟୀ, ଏହି ସଡ଼କର ନିର୍ମାଣ କାର୍ଯ୍ୟ ୯ ସେପ୍ଟେମ୍ବର ୨୦୨୨ରେ ଶେଷ ହୋଇଥିବା ଦର୍ଶାଯାଇଛି। ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପ୍ରକୃତରେ ୨୦୨୩ ମସିହାରେ କାମ ସମ୍ପୂର୍ଣ୍ଣ ହୋଇଥିଲା। ୩.୪ କିଲୋମିଟର ଲମ୍ବା ଏହି ରାସ୍ତା ନିର୍ମାଣ ପାଇଁ ପ୍ରାୟ ୧ କୋଟି ୩୬ ଲକ୍ଷ ଟଙ୍କା ବ୍ୟୟ ହୋଇଥିଲା। ଏଥିମଧ୍ୟରୁ ୨.୫୩ କିଲୋମିଟର ବିଟୁମିନ୍ (ପିଚୁ) ରାସ୍ତା ଓ ୦.୮୭ କିଲୋମିଟର କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଥିଲା।

ସ୍ଥାନୀୟ ଅଂଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ନିର୍ମାଣ ସମୟରେ ନିମ୍ନମାନର ମେଟାଲ ଓ ଚିପ୍ସ ବ୍ୟବହାର କରାଯାଇଥିଲା। ଏହାସହ ଏଷ୍ଟିମେଟ ଅନୁଯାୟୀ ପିଚୁ ପକାଯାଇ ନଥିବାରୁ କେବଳ ଉପର ଭାଗରେ ପତଳା ଆବରଣ ଦିଆଯାଇଥିବା ଅଭିଯୋଗ ହୋଇଛି। ଫଳରେ ଅଳ୍ପ ସମୟ ମଧ୍ୟରେ ରାସ୍ତାର ଅବସ୍ଥା ବିଗିଡ଼ି ଯାଇଛି।

ଅନ୍ୟପକ୍ଷରେ, ବିଭାଗୀୟ ସୂଚନା ଅନୁସାରେ ଏହି ରାସ୍ତାର ଗ୍ୟାରେଂଟି ଅବଧି ସେପ୍େଟମ୍ବର ୨୦୨୭ ପର୍ଯ୍ୟନ୍ତ ରହିଛି। ଏହି ସମୟ ମଧ୍ୟରେ ମରାମତି ପାଇଁ ପ୍ରାୟ ୯.୮୭ ଲକ୍ଷ ଟଙ୍କାର ବ୍ୟବସ୍ଥା ମଧ୍ୟ ରହିଛି। କିନ୍ତୁ ନିର୍ମାଣ ଶେଷ ହେବା ପରଠାରୁ ଆଜି ପର୍ଯ୍ୟନ୍ତ କୌଣସି ମରାମତି କାର୍ଯ୍ୟ କରାଯାଇ ନଥିବା ନେଇ ଅଂଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ରାସ୍ତା ନିର୍ମାଣରେ ନିମ୍ନମାନର କାର୍ଯ୍ୟ କରାଯାଇଥିବା ସହ ଠିକାଦାର ଓ ସମ୍ପୃକ୍ତ ବିଭାଗୀୟ ଯନ୍ତ୍ରୀଙ୍କ ମଧ୍ୟରେ ମିଳିଭଗତ ହୋଇ ସରକାରୀ ଅର୍ଥ ହଡ଼ପ ହୋଇଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ଏନେଇ ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।ତେବେ ଏ ନେଇ ବିଭାଗୀୟ ଅଧିକାରୀଙ୍କ ସହିତ ଯୋଗାଯଗ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande