
ଭୁବନେଶ୍ୱର, 21 ଜୁନ (ହି.ସ.) ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏକ ସୁସ୍ଥ, ସନ୍ତୁଳିତ ଓ ସାମଞ୍ଜସ୍ୟପୂର୍ଣ୍ଣ ଜୀବନଶୈଳୀ ଅପନାଇବାକୁ ଆହ୍ୱାନ କରିଛନ୍ତି।
ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ନିଜ ବାର୍ତ୍ତାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଯୋଗ ଭାରତର ପ୍ରାଚୀନ ଓ ଚିରନ୍ତନ ଜ୍ଞାନ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଂଶ, ଯାହା ଆଜି ସମଗ୍ର ମାନବ ସମାଜକୁ ଶାରୀରିକ ସୁସ୍ଥତା, ମାନସିକ ଦୃଢତା ଓ ଆଭ୍ୟନ୍ତରୀଣ ଶାନ୍ତି ଦିଗରେ ପ୍ରେରଣା ଦେଇଆସୁଛି।
ସେ କହିଛନ୍ତି, “ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଆସନ୍ତୁ, ଆମେ ସମସ୍ତେ ଏକ ସୁସ୍ଥ, ସନ୍ତୁଳିତ ଓ ସାମଞ୍ଜସ୍ୟପୂର୍ଣ୍ଣ ଜୀବନଯାପନ ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନର୍ବାର ସୁଦୃଢ଼ କରିବା। ଭାରତର ଶାଶ୍ୱତ ଜ୍ଞାନ ପରମ୍ପରାରେ ନିହିତ ଯୋଗ ଆଜି ମଧ୍ୟ ମାନବତାକୁ ଶାରୀରିକ କଲ୍ୟାଣ, ମାନସିକ ଦୃଢତା ଓ ଆତ୍ମିକ ଶାନ୍ତିର ପଥରେ ପ୍ରେରିତ କରୁଛି।”
ଶ୍ରୀ ପ୍ରଧାନ କହିଛନ୍ତି ଯେ, ଯୋଗ କେବଳ ଏକ ବ୍ୟାୟାମ ପଦ୍ଧତି ନୁହେଁ, ବରଂ ଜୀବନକୁ ସକାରାତ୍ମକ, ଶୃଙ୍ଖଳିତ ଓ ସନ୍ତୁଳିତ କରିବାର ଏକ ପ୍ରଭାବଶାଳୀ ମାଧ୍ୟମ। ସେ ଯୋଗକୁ ଦୈନନ୍ଦିନ ଜୀବନର ଅଂଶ କରିବା ସହ ଏକ ସୁସ୍ଥ ସମାଜ ଗଠନରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ