
କେନ୍ଦ୍ରାପଡ଼ା, ୨୧ ଜୁନ୍(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଓ କ୍ରୀଡ଼ା ଓ ଯୁବସେବା ମିଳିତ ଆନୁକୁଲ୍ୟରେ ଯୋଗ ମହୋତ୍ସବ ସମିତି ଓଡ଼ିଶା ସହଯୋଗରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଯୋଗଦିବସ ୨୦୨୬ ମହାସମାରୋହରେ ପାଳିତ ହୋଇଯାଇଛି। ଚଳିତ ବର୍ଷ “ସୁସ୍ଥ ବାର୍ଦ୍ଧକ୍ୟ ନିମନ୍ତେ ଯୋଗ” ବିଷୟବସ୍ତୁକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗର ଆବଶ୍ୟକତା, ଉପକାରୀତା ଏବଂ ଦୈନନ୍ଦିନ ଜୀବନରେ ଏହାର ପ୍ରୟୋଗ ଉପରେ ବିଶେଷ ଆଲୋକପାତ କରାଯାଇଥିଲା। କାର୍ଯ୍ୟକ୍ରମରେ ମହାକାଳପଡ଼ା ବିଧାୟକ ଦୁର୍ଗାପ୍ରସନ୍ନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତର ପ୍ରାଚୀନ ପରମ୍ପରାର ଏକ ଅମୂଲ୍ୟ ଦାନ ଯାହା ଆଜି ବିଶ୍ୱବ୍ୟାପୀ ସ୍ୱୀକୃତି ଲାଭ କରିଛି। ନିୟମିତ ଯୋଗାଭ୍ୟାସ ଦ୍ୱାରା ଶାରିରୀକ, ମାନସିକ ଓ ଆଧ୍ୟାତ୍ମିକ ବିକାଶ ସମ୍ଭବ ହୋଇଥାଏ ଏବଂ ଏହା ଏକ ସୁସ୍ଥ ଓ ସକାରାତ୍ମକ ସମାଜ ଗଠନରେ ସହାୟକ ହୋଇଥାଏ। ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ସାଂସଦଙ୍କ ପ୍ରତିନିଧି ଶଶାଙ୍କ ଶେଖର ସେଠୀ, ଜିଲ୍ଲାପାଳ ରଘୁରାମ୍.ଆର୍. ଆୟାର, ଅତିରିକ୍ତ ଜିଲ୍ଲାପାଳ ନବକ୍ରୀଷ୍ଣ ଜେନା, ରବିନ୍ଦ୍ର କୁମାର ମଲ୍ଲିକ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଯୋଗ ଶିକ୍ଷକମାନଙ୍କ ତତ୍ୱାବଧାନରେ ସାଧାରଣ ଯୋଗ ପୋଟ୍ରୋକଲ୍ ଅନୁଯାୟୀ ବିଭିନ୍ନ ଯୋଗାସନ, ପ୍ରାଣାୟାମ ଓ ଧ୍ୟାନ ପ୍ରଦର୍ଶନ କରାଯାଇଥିଲା। ଉପସ୍ଥିତ ଥିବା ଅତିଥି, ଅଧିକାରୀ ଓ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ୫ଶହରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀ ପରିଚାଳନା କରିଥିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି