
ଖୋର୍ଦ୍ଧା, ୨୧ ଜୁନ୍ (ହି.ସ.)- ଦୈନନ୍ଦିନ ଜୀବନରେ ଯୋଗ ଅଭ୍ୟାସ ଏକାନ୍ତ ଜରୁରୀ l ପ୍ରତ୍ୟେକ ଦିନ ଆସନ, ପ୍ରାଣାୟମ କରିବା ଦ୍ୱାରା ବାର୍ଦ୍ଧକ୍ୟ ସମୟରେ ଶରୀର ସ୍ୱାସ୍ଥ୍ୟ ରହିଥାଏ l ବର୍ତ୍ତମାନ ଭାରତ ବର୍ଷରେ ୬୦ ବର୍ଷରୁ ଉର୍ଦ୍ଧ୍ବ ଲୋକ ବଢ଼ିବାକୁ ଲାଗିଛନ୍ତି l ମାନସିକ ଶାରୀରିକ ସୁସ୍ଥ ସହିତ ଶାନ୍ତି ଜୀବନ ଯାପନ ପାଇଁ ସମସ୍ତଙ୍କ ପାଇଁ ଯୋଗ ମୌଳିକ ଆବଶ୍ୟକତା ହୋଇଯାଇଛି l ଏଣୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଭାଷା ଓ ବୟସ ନିର୍ବିଶେଷରେ ସୁସ୍ଥ ଶରୀର ଓ ନିରାମୟ ଜୀବନ ଯାପନ ପାଇଁ ଯୋଗ ସମସ୍ତଙ୍କ ଧ୍ୟାନ ହେଉ ବୋଲି ଆଜି ବିଜୁପଟ୍ଟନାୟକ ବହୁମୁଖୀ ଇଣ୍ଡୋର୍ ଷ୍ଟାଡିୟମ, ଖୋର୍ଦ୍ଧା ଠାରେ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନରେ ମୁଖ୍ୟ ଅତିଥି ଭାବେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଓଡ଼ିଶା ସରକାର ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରି ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି l ସମ୍ମାନିତ ଅତିଥି ଭାବେ ବିଧାୟକ, ଖୋର୍ଦ୍ଧା ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦେବ ଯୋଗଦେଇ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଜଣାଇ କହିଲେ ଯୋଗ ସବୁ ଔଷଧ ଠାରୁ ଶ୍ରେଷ୍ଠ ଔଷଧ ଅଟେ l ଯୋଗ ଶରୀରକୁ ସୁସ୍ଥ ରଖିବା ସହ ଧ୍ୟାନ ଯୋଗ ଆତ୍ମା ପରମାତ୍ମାଙ୍କ ସହ ସଂଯୋଗ କରାଇଥାଏ ଯଦ୍ଵାରା ବିଶ୍ଵର କଲ୍ୟାଣ ସାଧିତ ହୁଏ l ଯୋଗକୁ ସମସ୍ତେ ଆପଣେଇଲେ ବିଶ୍ୱ ହସି ଉଠିବ ବୋଲି ସେ ବକ୍ତବ୍ୟ ରଖିଥିଲେ l ସଭାପତି ଭାଷଣରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ପ୍ରତାପ ଚନ୍ଦ୍ର ବେଉରା ଯୋଗଦେଇ କହିଲେ, ପ୍ରାଚୀନ ସଭ୍ୟତାର ମୁକ ସାକ୍ଷୀ ଯୋଗ ଅଟେ l ସେ ସମୟରେ ଯୋଗ ଓ ଧ୍ୟାନ ଦ୍ଵାରା ମୁନି ଋଷି ମାନେ ସମସ୍ତ ବିଷୟରେ ଅବଗତ ହୋଇ ପାରୁଥିଲେ l ମନୁଷ୍ୟ ସୁସ୍ଥ ରହିବା ପାଇଁ ଯୋଗ ସବୁଠାରୁ ବଡ଼ ଔଷଧ ବୋଲି ସେ ବକ୍ତବ୍ୟରେ ଉତ୍ଥାପନ କରି ସମସ୍ତେ ଓ ସବୁବର୍ଗର ଲୋକେ ଯୋଗ ଅଭ୍ୟାସ କରିବାକୁ ପରାମର୍ଶ ଦେଇଥିଲେ l ଜିଲ୍ଲା ଭାଜପା ସଭାପତି ବିଶ୍ବରଂଜନ ବଡ଼ଜେନା, ନିର୍ବାହୀ ଅଧିକାରୀ ଖୋର୍ଦ୍ଧା ପୌରପରିଷଦ, କାବେରୀ ମୁଦୁଲି, ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡା, ସାମ୍ବାଦିକ ରାମ ନାରାୟଣ ଦାଶ ମଞ୍ଚାସୀନ ଥିଲେ l ସେହିପରି ଉପଜିଲ୍ଲାପାଳ, ଖୋର୍ଦ୍ଧା, ସ୍ଵସ୍ତିକ ସଂକଳ୍ପ ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲ୍ଲୀପ ହିଆଳ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷା, କନକ ଲକ୍ଷ୍ମୀ ମହାନ୍ତି, ଯୋଗ ମହୋତ୍ସବ ସମିତି କର୍ମକର୍ତ୍ତା କେଦାର ନାଥ ସାହୁ ଯୋଗଦେଇଥିଲେ l ଯୋଗ ଗୁରୁ ବରୁଣ କୁମାର କବିରାଜ ଯୋଗାଭ୍ୟାସ କରାଇଥିବା ବେଳେ ଗୁରୁଜଙ୍ଗ ସରସ୍ଵତୀ ଶିଶୁ ମନ୍ଦିର ସହ ଆଚାର୍ଯ୍ୟ ସୌଦାମିନୀ ସାହୁ ସହଯୋଗ କରିଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ ଯୋଗ ପ୍ରେମୀ, ଛାତ୍ର ଛାତ୍ରୀ, ଯୁବକ ଯୁବତୀ, ବୃଦ୍ଧ ବୃଦ୍ଧା, ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ l ମୁଖ୍ୟ ଅତିଥି ସମସ୍ତଙ୍କୁ ଯୋଗ ଅଭ୍ୟାସ ଶପଥ ପାଠ କରାଇଥିଲେ l କ୍ରୀଡ଼ା ଓ ଯୁବ ସେବା ବିଭାଗ, ଓଡ଼ିଶା ସରକାର, ଯୋଗ ମହୋତ୍ସବ ସମିତି, ଓଡ଼ିଶା ସରକାର ଏବଂ ଜିଲ୍ଲା ପ୍ରଶାସନ, ଖୋର୍ଦ୍ଧାଙ୍କ ମିଳିତ ଆନୁକୁଲ୍ୟରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା l
ହିନ୍ଦୁସ୍ଥାନ ସମାଚାର / ରାକେଶ