


କନ୍ଧମାଳ , ୨୧ ଜୁନ୍ (ହି.ସ.) ଆଜି ସକାଳର କୋମଳ ସୂର୍ଯ୍ୟକିରଣ ମଧ୍ୟରେ ଫୁଲବାଣୀର ଗୋପବନ୍ଧୁ ଛକ ପାଲଟିଥିଲା ଏକ ବିଶାଳ ଯୋଗ ପ୍ରାଙ୍ଗଣରେ। ଏକାସାଙ୍ଗରେ ହଜାରରୁ ଅଧିକ ଲୋକଙ୍କ ଯୋଗାଭ୍ୟାସ, ପ୍ରାଣାୟାମ ଓ ସୁସ୍ଥ ଜୀବନର ସଂକଳ୍ପ ମଧ୍ୟରେ ଭବ୍ୟ ଭାବେ ପାଳିତ ହୋଇଥିଲା ଅନ୍ତର୍ଜାତୀୟ ଯୋଗ ଦିବସ। ଜିଲ୍ଲା ପ୍ରଶାସନ, କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଯୋଗ ମହୋତ୍ସବ ସମିତିର ମିଳିତ ଆୟୋଜନରେ ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ପ୍ରାୟ ୧୨୦୦ରୁ ଊର୍ଦ୍ଧ୍ୱ ଲୋକ ସାମିଲ ହୋଇଥିଲେ। ଛାତ୍ରଛାତ୍ରୀ, ସରକାରୀ କର୍ମଚାରୀ, ଅଧିକାରୀ, ଯୋଗପ୍ରେମୀ ଏବଂ ସହରବାସୀଙ୍କ ଉପସ୍ଥିତି ଯୋଗ ଦିବସକୁ ଏକ ଗଣଆନ୍ଦୋଳନର ରୂପ ଦେଇଥିଲା।ଚଳିତ ବର୍ଷର ଥିମ୍ “ସ୍ୱାସ୍ଥ୍ୟକର ବାର୍ଦ୍ଧକ୍ୟ ନିମନ୍ତେ ଯୋଗ”କୁ ଆଧାର କରି ଯୋଗ ଗୁରୁ ପ୍ରଶାନ୍ତ ଦାସଙ୍କ ନେତୃତ୍ୱରେ ତାଡାସନ, ବଜ୍ରାସନ, ଭୁଜଙ୍ଗାସନ, ମକରାସନ ଏବଂ ପବନମୁକ୍ତାସନ ସମେତ ବିଭିନ୍ନ ଯୋଗାସନ ଓ ପ୍ରାଣାୟାମ ଅଭ୍ୟାସ କରାଯାଇଥିଲା। ଏକକାଳୀନ ଭାବେ ଶତାଧିକ ଲୋକଙ୍କ ଯୋଗାଭ୍ୟାସ ଦୃଶ୍ୟ ସମଗ୍ର ପରିବେଶକୁ ଉତ୍ସାହିତ କରିଥିଲା। କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗକୁ ଭାରତର ଅମୂଲ୍ୟ ଐତିହ୍ୟ ବୋଲି ବର୍ଣ୍ଣନା କରିଥିଲେ। ଜିଲ୍ଲାପାଳ ବେଦଭୂଷଣ ନିଜ ବକ୍ତବ୍ୟରେ ନିୟମିତ ଯୋଗାଭ୍ୟାସ ଦ୍ୱାରା ଶରୀର ଓ ମନକୁ ସୁସ୍ଥ ରଖିବା ସମ୍ଭବ ବୋଲି କହିଥିବାବେଳେ ଆରକ୍ଷୀ ଅଧିକ୍ଷକ ରାମେନ୍ଦ୍ର ପ୍ରସାଦ ଯୋଗ ମାନସିକ ଦୃଢତା ଓ ସକାରାତ୍ମକ ଜୀବନଶୈଳୀ ଗଠନରେ ସହାୟକ ବୋଲି ମତ ପ୍ରକାଶ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ କୁଶଲ ଚନ୍ଦ୍ର ନାଏକ, ଉପ-ଜିଲ୍ଲାପାଳ ଭିକାରି ସାହୁ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀଣ କୁମାର ବାଣୁଆଙ୍କ ସମେତ ଜିଲ୍ଲାର ବହୁ ବରିଷ୍ଠ ଅଧିକାରୀ ଏଥିରେ ଉପସ୍ଥିତ ଥିଲେ।ଅତିଥିମାନେ “ନିୟମିତ ଯୋଗ କରନ୍ତୁ, ସୁସ୍ଥ ରୁହନ୍ତୁ” ବାର୍ତ୍ତା ଦେଇ ଯୋଗକୁ ଦୈନନ୍ଦିନ ଜୀବନର ଅଂଶ କରିବା ପାଇଁ ଆହ୍ୱାନ ଜଣାଇଥିଲେ। କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମନୋମୁଗ୍ଧକର ନୃତ୍ୟ ପରିବେଷଣ ଉପସ୍ଥିତ ଦର୍ଶକଙ୍କ ମନ ଜିଣିନେଇଥିଲା। ଶେଷରେ ଜିଲ୍ଲାପାଳ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ବିଶ୍ୱ ଶାନ୍ତି ଓ ମାନବ କଲ୍ୟାଣ କାମନା କରିଥିଲେ। ଯୋଗ, ସ୍ୱାସ୍ଥ୍ୟ ଓ ସଚେତନତାର ଏହି ମହାମିଳନ ଫୁଲବାଣୀ ସହରବାସୀଙ୍କ ମନରେ ଏକ ସ୍ମରଣୀୟ ଅନୁଭୂତି ଛାଡ଼ି ଯାଇଛି।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ