
ଚମ୍ପୁଆ, ୨୧ ଜୁନ୍ (ହି.ସ.)- ଝାଡଖଣ୍ଡ ପ୍ରଦେଶର ପଶ୍ଚିମ ସିଂହଭୂମି ଜିଲ୍ଲାର ଓଡ଼ିଆ ଅଧ୍ଯୁଷିତ ଜୟନ୍ତୀଗଡ ଠାରେ ୧୯୮୫/୮୬ ଶିକ୍ଷା ବର୍ଷରେ ଉତ୍କଳମଣି ଓଡ଼ିଆ ମଧ୍ୟ ବିଦ୍ୟାଳୟ ସ୍ଥାପିତ ହୋଇଥିଲେ ମଧ୍ୟ ବିଦ୍ୟାଳୟକୁ ଜମି, ଜାଗା, ଘର, ଛାତ୍ର/ଛାତ୍ରୀଙ୍କୁ ଛାତ୍ରବୃତ୍ତି, ଶିକ୍ଷକଙ୍କୁ ଦରମା ମିଳି ପାରି ନାହିଁ । ଏହାରି ଭିତରେ ଦୀର୍ଘ ୪୧ ବର୍ଷ ଅତିବାହିତ ହୋଇ ଯାଇଛି। ବିଦ୍ୟାଳୟରେ ବର୍ତ୍ତମାନ ୯୭ ଛାତ୍ର/ଛାତ୍ରୀ ୫ ଜଣ ଶିକ୍ଷକ ଅଧ୍ୟୟନରତ । ବିଦ୍ୟାଳୟ ସମ୍ପର୍କରେ ଜାତୀୟ ସଂଖ୍ୟାଲଘୁ କମିଶନର, ଭାରତର ମାନ୍ୟବର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଜିଲ୍ଲା ଶିକ୍ଷା ଅଧି କାରୀ, ଚାଇଁବସାଙ୍କୁ ଲିଖିତ ଭାବରେ ସମସ୍ୟା ଜଣାଇ ଦିଆଯାଇଥିଲେ ମଧ୍ୟ ଝାଡଖଣ୍ଡ ସରକାର ବିଦ୍ୟାଳୟକୁ ବନ୍ଦ କରି ଦେବାକୁ ଷଡଯନ୍ତ୍ର କରୁଥିବା ଜଣାପଡିଛି । ଏଣୁ ଏହି ଦୀର୍ଘ ୪୧ ବର୍ଷ ଭିତରେ ବିଦ୍ୟାଳୟ ପକ୍ଷରୁ କେନ୍ଦ୍ର ତଥା ଝାଡଖଣ୍ଡ ସରକାରଙ୍କ ନିକଟକୁ ପଠାଯାଇଥିବା ପତ୍ରର ନକଲ, ନୂଆଦିଲ୍ଲୀସ୍ଥ 'ଜାତୀୟ ଲୋକ ଅଦାଲତ ସଂସ୍ଥା' ର ମାନ୍ୟବର ଅଧ୍ଯକ୍ଷଙ୍କ ନିକଟକୁ ଜନସାଧାରଣଙ୍କ ସ୍ବାକ୍ଷର ସହିତ ପଠାଯାଇଥିବା ଜଣାଯାଇଛି । ଏହି ସ୍ମାରକ ପତ୍ରରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଶ୍ରୀ ସୁଭାଷ ଚନ୍ଦ୍ର ବେହେରା ସ୍ବାକ୍ଷର କରିଥିବା ଜଣାଯାଇଛି ।
ସେହିପରି ' ସୀମାନ୍ତ ଓଡ଼ିଆ ପାଠାଗାର' ଜୟନ୍ତୀଗଡ ପକ୍ଷରୁ ଜାମସେଦପୁର, ରାଞ୍ଚି ଚାଇଁବସା ଆକାଶବାଣୀ କେନ୍ଦ୍ରରୁ ଓଡ଼ିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାକୁ ଦାବି କରାଯାଇଛି । ଝାଡଖଣ୍ଡ ପ୍ରଦେଶ ଓଡ଼ିଆ ସମାଜ 'ସର୍ବଭାରତୀୟ ଓଡ଼ିଆ ସମାଜ ' ଚମ୍ପୁଆ ପକ୍ଷରୁ ଓଡ଼ିଆ ଶିକ୍ଷକ ନିଯୁକ୍ତି ଓ ବେସରକାରୀ ଓଡ଼ିଆ ବିଦ୍ୟାଳୟ ମାନଙ୍କୁ ଆର୍ଥିକ ଅନୁଦାନ ପ୍ରଦାନ ପାଇଁ ଦାବି କରାଯାଇଛି ।
ଓଡ଼ିଶା ବାହାରେ ଓଡ଼ିଶାର ବିଚ୍ଛିନ୍ନାଞ୍ଚଳ ଆନ୍ଧ୍ର ପ୍ରଦେଶ, ଛତିଶଗଡ, ପଶ୍ଚିମବଙ୍ଗ, ଝାଡଖଣ୍ଡ ପ୍ରଦେଶର ଓଡ଼ିଆ ବହୁଳ ଅଞ୍ଚଳରେ ଓଡ଼ିଆ ବିଦ୍ୟାଳୟ, ପାଠାଗାର, ଓଡ଼ିଶୀ ନୃତ୍ୟକେନ୍ଦ୍ର ସ୍ଥାପନ ନିମନ୍ତେ ଜାତୀୟ ଅନୁଷ୍ଠାନ, 'ସର୍ବଭାରତୀୟ ଓଡ଼ିଆ ସମାଜ ' ଚମ୍ପୁଆ ପକ୍ଷରୁ ମାନ୍ୟବର ଅଧ୍ଯକ୍ଷ ଜାତୀୟ ଲୋକ ଅଦାଲତ, ନୂଆଦିଲ୍ଲୀଙ୍କ ନିକଟରେ ଆବେଦନ କରାଯାଇଛି । ଏହି ସ୍ମାରକ ପତ୍ରରେ 'ଓଡ଼ିଆ ସମାଜ' ପକ୍ଷରୁ ସଦସ୍ୟ ଉତ୍କଳ କେଶରୀ ବେହେରା ସ୍ବାକ୍ଷର କରିଥିବା ଜଣାଯାଇଛି । ଜାତୀୟ ସଂଖ୍ୟାଲଘୁ କମିଶନର, ଆହ୍ଲାବାଦଙ୍କ ପତ୍ର ସଂଖ୍ୟା - ୩୮/୧/୦୩-୪୦ ତା ୨୨-୧-୨୦୦୪ଙ୍କ ପତ୍ର ସଂଖ୍ୟା ଅନୁଯାୟୀ ମୁଖ୍ୟ ସଚିବ, ଝାଡଖଣ୍ଡ ସରକାର, ଓଡ଼ିଆ ଶିକ୍ଷକ ନିଯୁକ୍ତି ନିମନ୍ତେ କୌଣସି ପଦକ୍ଷେପ ନେଇ ନଥିବାରୁ ଏହି ମର୍ମରେ ଜାତୀୟ ଅନୁଷ୍ଠାନ 'ସର୍ବଭାରତୀୟ ଓଡ଼ିଆ ସମାଜ ' ଚମ୍ପୁଆ ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟର ଜାତୀୟ ଅନୁଷ୍ଠାନ 'ଜାତୀୟ ଲୋକ ଅଦାଲତ ' (ନେସନାଲ ଲିଗାଲ ସର୍ଭିସ ଅଥରିଟି) ନୂଆଦିଲ୍ଲୀଙ୍କ ନିକଟରେ ରିଟ୍ ଆବେଦନ କରାଯାଇଅଛି । ଏହି ପତ୍ରରେ 'ଓଡ଼ିଆ ସମାଜ ପକ୍ଷରୁ ଉତ୍କଳ କେଶରୀ ବେହେରା ସ୍ବାକ୍ଷର କରିଥିବା ଜଣାଯାଇଛି ।
ଏହି ସବୁ ଜନସ୍ବାର୍ଥ ମାମଲା ପତ୍ରରେ ବିଶ୍ବନାଥ ବେହେରା, ବିଶକେଶନ ମହାନ୍ତ, ରଜନୀ ଲୌହାର, ରାମ ଲଖନ ପ୍ରଧାନ, ଦମୟନ୍ତୀ ନାଏକ, ରବୀନ୍ଦ୍ର ନାଏକ, ପରିଚାଳନା କମିଟିର ସଭାପତି ପ୍ରତାପ ନାଏକ, ଅନିଲ ଦାଶ, ଶରତ ନାଏକ, ବସନ୍ତ କୁମାର ମହାପାତ୍ର, ଯଶୋଦା ମହାକୁଡ, ଲଳିତା ନାଏକ, ସନ୍ତୋଷ ଗୋପ, ଲକ୍ଷ୍ମଣ ଗୋପ, ସନୁ ଦାସ, ମମିତା ବାରିକ, ପ୍ରମିଳା ବାରିକ, ଯଯାତି କେଶରୀ ବେହେରା, ପ୍ରଭୃତି ବହୁ ଓଡ଼ିଆ ସ୍ବାକ୍ଷର କରିଥିବା ଜଣାଯାଇଛି ।
ହିନ୍ଦୁସ୍ଥାନ ସମାଚାର / Trinath Mahanta