ସମସ୍ୟା ଘେରରେ କୁମୁଲି
ଜୟପୁର, ୨୧ ଜୁନ୍ (ହି.ସ.)- କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର କୁମୁଲି। ଏହା କେବଳ ଗୋଟିଏ ଗାଁ ନୁହେଁ, ବରଂ ତିନୋଟି ଅଞ୍ଚଳର ହଜାର ହଜାର ଲୋକଙ୍କ ଜୀବନ ଜୀବିକାର କେନ୍ଦ୍ରସ୍ଥଳୀ। ବୋରିଗୁମ୍ମାର ୧୫ଟି, ଦଶମନ୍ତପୁରର ୩ଟି ଏବଂ ନବରଙ୍ଗପୁର ଜିଲ୍ଲାର ୩ଟି ପଞ୍ଚାୟତର ଲୋକ ବ୍ୟବସାୟ, ଶିକ୍ଷା, ଚିକିତ୍ସ
ସମସ୍ୟା ଘେରରେ କୁମୁଲି


ସମସ୍ୟା ଘରରେ କୁମୁଲି


ଜୟପୁର, ୨୧ ଜୁନ୍ (ହି.ସ.)- କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର କୁମୁଲି। ଏହା କେବଳ ଗୋଟିଏ ଗାଁ ନୁହେଁ, ବରଂ ତିନୋଟି ଅଞ୍ଚଳର ହଜାର ହଜାର ଲୋକଙ୍କ ଜୀବନ ଜୀବିକାର କେନ୍ଦ୍ରସ୍ଥଳୀ। ବୋରିଗୁମ୍ମାର ୧୫ଟି, ଦଶମନ୍ତପୁରର ୩ଟି ଏବଂ ନବରଙ୍ଗପୁର ଜିଲ୍ଲାର ୩ଟି ପଞ୍ଚାୟତର ଲୋକ ବ୍ୟବସାୟ, ଶିକ୍ଷା, ଚିକିତ୍ସା ଓ ଦୈନନ୍ଦିନ କାର୍ଯ୍ୟ ପାଇଁ କୁମୁଲି ଉପରେ ନିର୍ଭରଶୀଳ। କିନ୍ତୁ ଦୁଃଖର ବିଷୟ, ଏତେ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଆଜି ମୌଳିକ ସମସ୍ୟାରେ ଜର୍ଜରିତ। ଭାଙ୍ଗିପଡ଼ିଥିବା ରାସ୍ତା, ପାନୀୟ ଜଳ ସଙ୍କଟ ଏବଂ ଅପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ ସେବା ଲୋକଙ୍କ ଦୈନନ୍ଦିନ ଜୀବନକୁ ଦୁର୍ବିସହ କରିଦେଇଛି। ଦୀର୍ଘଦିନ ଧରି ଅଭିଯୋଗ ହେଉଥିଲେ ମଧ୍ୟ ସମାଧାନର ବାଟ ଫିଟୁନାହିଁ।

କୁମୁଲିର ମୁଖ୍ୟ ରାସ୍ତା। ଏହି ରାସ୍ତା ଉପରେ ପ୍ରତିଦିନ ହଜାର ହଜାର ଲୋକଙ୍କ ଯାତାୟାତ ନିର୍ଭର କରୁଥିବା ବେଳେ ଏହାର ଅବସ୍ଥା ଏବେ ଶୋଚନୀୟ। ପିଚୁ ସମ୍ପୂର୍ଣ୍ଣ ଉଠିଯାଇ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି ଏବଂ ତାହା ସହିତ ରାସ୍ତାର ଲୁହା ଛୋଡ ମଧ୍ୟ ବାହାରି ପଡି ଉପର ମୁହାଁ ହୋଇ ପଡିଛି ବର୍ଷା ହେଲେ ସେହି ଖାଲଗୁଡ଼ିକ ପାଣିରେ ଭରିଯାଇ ଦୁର୍ଘଟଣାର ଆଶଙ୍କା ଆହୁରି ବଢ଼ାଇ ଦେଉଛି। ବାଇକ୍ ଚାଳକ ହୁଅନ୍ତୁ କିମ୍ବା ଆମ୍ବୁଲାନ୍ସ, ସମସ୍ତଙ୍କ ପାଇଁ ଏହି ରାସ୍ତା ପାଲଟିଛି ବିପଦପୂର୍ଣ୍ଣ ପଥ। ପ୍ରାୟ ୧୫ ବର୍ଷ ହେବ ରାସ୍ତାର ସ୍ଥାୟୀ ମରାମତି ହୋଇନଥିବାରୁ ସ୍ଥାନୀୟ ଲୋକେ ଶୀଘ୍ର ନବୀକରଣ ଦାବି କରିଛନ୍ତି।

ରାସ୍ତା ପରେ କୁମୁଲିବାସୀଙ୍କ ସବୁଠାରୁ ବଡ଼ ସମସ୍ୟା ହେଉଛି ପାନୀୟ ଜଳ। ସରକାରଙ୍କ ମେଗା ପାନୀୟ ଜଳ ପ୍ରକଳ୍ପର କାମ ଦୀର୍ଘଦିନ ଧରି ଚାଲୁଥିଲେ ମଧ୍ୟ ଘରେ ଘରେ ପାଣି ପହଞ୍ଚି ପାରିନାହିଁ। ଖରାଦିନରେ ମହିଳାମାନଙ୍କୁ ପାଣି ସଂଗ୍ରହ ପାଇଁ ଦୂରକୁ ଯିବାକୁ ପଡ଼ୁଛି। ଏପଟେ ସ୍ୱାସ୍ଥ୍ୟ ସେବାର ଚିତ୍ର ମଧ୍ୟ ସମାନ ଉଦ୍ବେଗଜନକ। ଗାଁରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଥିଲେ ମଧ୍ୟ ବିଶାଳ ଅଞ୍ଚଳର ଚିକିତ୍ସା ଚାହିଦା ପୂରଣ କରିପାରୁନାହିଁ। ଦୀର୍ଘ ୪୦ ବର୍ଷ ଧରି ଏହାକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉନ୍ନତ କରିବାକୁ ଦାବି ହୋଇଆସୁଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନାହିଁ। ଫଳରେ ଗୁରୁତର ରୋଗୀଙ୍କୁ ବୋରିଗୁମ୍ମା କିମ୍ବା ଜୟପୁର ନେବାକୁ ପଡ଼ୁଛି, ଯାହା ସମୟ ଓ ଅର୍ଥ ଉଭୟ ଦୃଷ୍ଟିରୁ ସାଧାରଣ ଲୋକଙ୍କ ପାଇଁ ବଡ଼ ବୋଝ ପାଲଟିଛି। କୁମୁଲି ଭଳି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ରାସ୍ତା, ପାନୀୟ ଜଳ ଓ ସ୍ୱାସ୍ଥ୍ୟ ସେବା ଭଳି ମୌଳିକ ସମସ୍ୟାର ଶୀଘ୍ର ସମାଧାନ ପାଇଁ ସ୍ଥାନୀୟ ଲୋକେ ସରକାର ଓ ପ୍ରଶାସନଙ୍କ ହସ୍ତକ୍ଷେପ ଦାବି କରିଛନ୍ତି। ଏବେ ଦେଖିବାକୁ ବାକି ରହିଲା, ଲୋକଙ୍କ ଏହି ଦୀର୍ଘଦିନର ଦାବି କେବେ ପୂରଣ ହେଉଛି। ତେଣୁ ପ୍ରଶାସନ ସମସ୍ୟାକୁ ଗୁରୁତର ସହ ନେଇ ସମାଧାନ କରିବାକୁ ଦାବି ହୋଇଛି l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande