



ବଲାଙ୍ଗିର, 21 ଜୁନ୍ (ହି.ସ.)ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ତଥା ଛତିଶଗଡ଼ର ରାୟପୁର ସ୍ଥିତ କଳିଙ୍ଗ ୟୁନିଭରସିଟି ସହଯୋଗରେ ଆଜି ସ୍ଥାନୀୟ ସିଭିଲ କୋର୍ଟ ବାର୍ ହଲ୍ ଠାରେ 'ସାଇବର୍ ଲ ଆଣ୍ଡ ଡିଜିଟାଲ ଗଭର୍ଣ୍ଣେସ୍' ଶୀର୍ଷକ ବିଷୟବସ୍ତୁ ଉପରେ ଏକ ସାରଗର୍ଭକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବରିଷ୍ଠ ଆଇନଜୀବୀ ତଥା ସେମିନାର କମିଟିର ଆବାହକ ଜୟକୃଷ୍ଣ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ସାଇବର ଲ’ ର ବିଭିନ୍ନ ଆଇନଗତ ପର୍ଯ୍ୟାୟ ଓ ପ୍ରୟୋଗ ଉପରେ ଆଲୋକପାତ କରିଥିଲେ। ମଂଚାସୀନ ବକ୍ତା ଭାବରେ କଳିଙ୍ଗ ୟୁନିଭରସିଟି ର ଏସୋସିଏଟ୍ ପ୍ରଫେସର ଡ. ପାୟଲ ବୋହିରା ଯୋଗ ଦେଇ ସାଂପ୍ରତିକ ଡିଜିଟାଲ ଯୁଗରେ ସଇବର୍ କ୍ରାଇମ୍ ବୃଦ୍ଧି ପାଉଥିବା ବେଳେ ଜନସାଧାରଣ ସଚେତନତାପୂର୍ବକ ଏହାଠାରୁ କିପରି ନିଜକୁ ସୁରକ୍ଷିତ ରଖି ପାରିବେ ଏବଂ ଏ ନେଇ କଣ ସବୁ ପ୍ରଚଳିତ ଆଇନ ରହିଛି ସେ ସଂପର୍କରେ ବିସ୍ତୃତ ବୁଝାଇଥିଲେ। ଆଜିର ଯୁଗରେ ମେନୁଆଲ୍ ସିଷ୍ଟମ ପରିବର୍ତ୍ତେ ପ୍ରତ୍ୟକ କାର୍ଯ୍ୟ ପାଇଁ ଲୋକେ ଏ.ଆଇ, ଚାର୍ଜ ଜିପିଟି, ଗୁଗୁଲ ଆଦି ଆପ୍ ଉପରେ ଭରସା କରୁଥିବା ବେଳେ ମଣିଷ ଡିଜାଇନ୍ କରିଥିବା ଓ ଡାଟା ଫିଡ଼୍ କରିଥିବା ଏହି ଯନ୍ତ୍ର ଗଡୁକ ସୁବୁବେଳେ ଭରସାଯୋଗ୍ୟ ହୋଇନଥାଏ । ମଣିଷର ବିବେକ, ବିଚାର ଏବଂ ଭବିକା ଶକ୍ତି ଏହା ଭିତରେ ନଥାଏ। ବ୍ୟାଙ୍କିଙ୍ଗ୍ ସେବା ହେଉ କି ବ୍ୟବସାୟ, ଯେକୌଣସି କ୍ଷେତ୍ରରେ ମଧ୍ୟ ଜଣେ ସଇବର୍ ଠକାମୀର ଶୀକାର ହେଲେ ସଇବର୍ ସେଲ୍ କିମ୍ବା ପୋଲିସ ଠାରେ ଅଭିଯୋଗ କରିବାର ଆଇନ ଥିବା ବେଳେ ଲୋକେ ଆଇନକୁ ଠିକ ଭାବରେ ତର୍ଜମା କରିବାକୁ ହେବ ବୋଲି ବୁଝାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆଇନଜୀବୀ ଅନିମେଶ ପଣ୍ଡା, ସୁରମା ବହିଦାର ପ୍ରମୁଖ ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମରେ ଭାଗ ନେଇ ମୁଖ୍ୟବକ୍ତା ପ୍ରଫେସର ଡ. ପାୟଲ ବୋହିରାଙ୍କ ଠାରୁ ସାଇବର ଲ' ଓ ଡିଜିଟାଲ୍ ଗଭର୍ଣ୍ଣେସ୍ ର କାର୍ଯ୍ୟାବିଧିର ବିଭିନ୍ନ ଦିଗ ଉପରେ ଅବଗତ ହୋଇଥିଲେ। ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀର ଜିଲ୍ଲା ଦୌରା ଜଜ୍ ଡ. ହୀରନ୍ମୟ ବିଶୋଇ ଯୋଗ ଦେଇ ନିଜର ଧନ ସଂପତ୍ତିର ସୁରକ୍ଷା ପାଇଁ ଡିଜିଟାଲ ଫ୍ରଡ୍ ମାନଙ୍କ୍ ପ୍ରତି ସାବଧାନ ହେବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ସଭାପତି ବାସୁଦେବ ରଥଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରକୁ କଳିଙ୍ଗ ୟୁନିଭରସିଟିର ଡେପୁଟି ମେନେଜର୍ ମିସ୍ ବନଜା ଦଲାଇ ସଂଯୋଜନା କରିଥିବା ବେଳେ ଶେଷରେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ସଂପାଦକ ଅଶିତ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନାଚକ୍ରରେ ଜିଲ୍ଲା ଓକିଲ ସଂଘର ବହୁ ସଭ୍ୟ ଯୋଗ ଦେଇ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ