
ଜୟପୁର, ୨୧ ଜୁନ୍ (ହି.ସ.)- ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ଓ ବିକ୍ରମ ଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ୧୧ତମ ଆନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଥିଲା। ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗର ମହତ୍ତ୍ୱ ଓ ସୁସ୍ଥ ଜୀବନଶୈଳୀ ଗଠନରେ ଏହାର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସିପିଜିସି ମଧ୍ୟ ଉପସ୍ଥିତ ରହି ଯୋଗ ଅଭ୍ୟାସର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଶ୍ୱବିଦ୍ୟାଳୟର ଏଲ୍–୨ କକ୍ଷରେ ସମସ୍ତ ଅଧ୍ୟାପକ, କର୍ମଚାରୀ, ଏନ୍ସିସି , ଏନ୍ଏସ୍ଏସ୍ ଓ ୱାଇଆର୍ସି ସ୍ୱେଚ୍ଛାସେବକମାନେ ଏକାଠି ହୋଇ ପ୍ରଧାନମନ୍ତ୍ରୀଙ୍କ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଉଦ୍ବୋଧନର ସିଧାସଳଖ ପ୍ରସାରଣ ଦେଖିଥିଲେ।
ପରବର୍ତ୍ତୀ ସମୟରେ ବିଶ୍ୱବିଦ୍ୟାଳୟ ଖେଳ ପଡ଼ିଆରେ ଯୋଗ ଅଭ୍ୟାସ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଯୋଗ ପ୍ରଶିକ୍ଷକ ଶ୍ରୀ ନିରଞ୍ଜନ ମିଶ୍ର ଓ ଶ୍ରୀ ଭାଗୀରଥୀ ପାଣିଙ୍କ ତତ୍ତ୍ୱାବଧାନରେ ଉପସ୍ଥିତ ସମସ୍ତେ ବିଭିନ୍ନ ଯୋଗାସନ, ପ୍ରାଣାୟାମ ଓ ଧ୍ୟାନ ଅଭ୍ୟାସ କରିଥିଲେ। ଯୋଗ ପ୍ରଶିକ୍ଷକମାନେ ପ୍ରତିଦିନ ଯୋଗାଭ୍ୟାସ କରିବା ଦ୍ୱାରା ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସୁସ୍ଥତା ବଜାୟ ରହିଥାଏ ବୋଲି ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇଥିଲେ।
ଏହି ଯୋଗ ଦିବସ ପାଳନ ଅବସରରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀ, ଏନ୍ସିସି, ଏନ୍ଏସ୍ଏସ୍ ଓ ୱାଇଆର୍ସିର ସ୍ୱେଚ୍ଛାସେବକମାନଙ୍କ ସହ ବିକ୍ରମ ଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ଯୋଗଦାନ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ କ୍ୟାପଟେନ୍ ଡଃ. ଲକ୍ଷ୍ମଣ ପାତ୍ର ସଫଳତାର ସହ ସମନ୍ୱୟ କରିଥିଲେ। ତାଙ୍କର ସୁପରିକଳ୍ପିତ ପରିଚାଳନା ଓ ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ଅତ୍ୟନ୍ତ ସୁଶୃଙ୍ଖଳ ଓ ସଫଳ ଭାବେ ସମାପ୍ତ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ପିକେପି