
ପୁରୀ, ୨୧ ଜୁନ୍ (ହି.ସ.)- ପୁରୀ ପୋଲିସର ଅନବରତ ପ୍ରୟାସରେ ସାମାଜିକ ବହିଷ୍କାରର ଅବସାନ ଘଟିଛି | ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅଧୀନ ନନ୍ଦଳା ଗ୍ରାମର ବିଶ୍ୱରଞ୍ଜନ ନାୟକଙ୍କ ଉପରୁ ଗ୍ରାମବାସୀମାନେ ସାମାଜିକ ବାସନ୍ଦ ଉଠାଇ ସଫଳ ସାମାଜିକ ପୁନର୍ବାସ ପାଇଁ ଅନୁମତି ଦେଇଛନ୍ତି | ପୁଣି ପୁରୁଣା ଦିନ ପରି ଗ୍ରାମବାସୀ ହସଖୁସିରେ ଚଳିବେ | ଦୀର୍ଘଦିନ ଧରି ଚାଲିଆସୁଥିବା ସାମାଜିକ ବାସନ୍ଦର ଅବସାନ ଘଟାଇବା ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦେଶ କ୍ରମେ କୃଷ୍ଣପ୍ରସାଦ ପୋଲିସ ନିରନ୍ତର ଉଦ୍ୟମ କରିଆସୁଥିଲା | ଗ୍ରାମର ବୁଦ୍ଧିଜୀବୀ, ମୁରବୀ ଓ ସାଧାରଣ ଲୋକଙ୍କ ସହଯୋଗ କରିଥିଲେ |
ଏହି ଅବସରରେ ଗ୍ରାମର ସଭାପତି ଧ୍ରୁବ ଚରଣ ପ୍ରଧାନ, ସମ୍ପାଦକ ଛଇଳ ନାୟକ ଓ ବରିଷ୍ଠ ମୁରବୀମାନଙ୍କୁ ସାମାଜିକ ସହାବସ୍ଥାନ ଏବଂ ମାନବିକ ମୂଲ୍ୟବୋଧକୁ ପ୍ରୋତ୍ସାହନ ଦେବାରେ ସେମାନଙ୍କ ଉଲ୍ଲେଖନୀୟ ଭୂମିକା ପାଇଁ ପୁରୀ ପୋଲିସ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୁରୀ ପୋଲିସ ବିଶ୍ୱାସ କରେ ଯେ, ନନ୍ଦଳା ଗ୍ରାମର ଏହି ଉଦାହରଣ ସାମାଜିକ ବାସନ୍ଦ ଭଳି କୁପ୍ରଥା ବିରୋଧରେ ଏକ ସକାରାତ୍ମକ ବାର୍ତା ପ୍ରଦାନ କରିବ | ଅନ୍ୟ ଗ୍ରାମମାନଙ୍କୁ ମଧ୍ୟ ମାନବିକତା, ସହନଶୀଳତା ଓ ସାମାଜିକ ସମାବେଶର ପଥରେ ଅଗ୍ରସର ହେବା ପାଇଁ ପ୍ରେରଣା ଦେବ। ସାମାଜିକ ବହିଷ୍କାର ନୁହେଁ, ସାମାଜିକ ସମାବେଶ ହିଁ ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜର ପରିଚୟ ବୋଲି ପୁରୀ ପୋଲିସ କହିଛି |
ହିନ୍ଦୁସ୍ଥାନ ସମାଚାର / ବିଜୟ