
କନ୍ଧମାଳ, ୨୨ ଜୁନ୍ (ହି.ସ.)- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ ପଞ୍ଚାୟତ ପିକରଡ଼ି ଛକ ନିକଟରେ ଦୁଇ ବାଇକ ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଏକ ବାଇକ ଆରୋହୀ ଗୁରୁତର ହୋଇଥିବା ଜଣାପଡିଛି l
ପ୍ରାପ୍ତ ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ପ୍ରାୟ ସାତଟା ସମୟରେ ବନ୍ଧଗଡ଼ ପଟୁ ନିଜ ଗ୍ରାମ ସାରଙ୍ଗଡ଼ ଥାନା ଅଧୀନ ବଣ୍ଡଗୁଡା ଗାଁକୁ ନିଜ ବାଇକରେ ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ ସହ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଦୁଇ ବାଇକ ରେ ଯାଉଥିବା ଦୁଇ ଜଣ ଆରୋହୀ ଗୁରୁତର ଅବସ୍ଥାରେ ପଡ଼ି ରହିଥିଲେ l କିଛି ଲୋକେ ଏହି ଘଟଣା ଦେଖିବା ପରେ ଫିରିଙ୍ଗିଆ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଭୟ ଆହତଙ୍କୁ ଫିରିଙ୍ଗିଆ ମେଡିକାଲ ପହଞ୍ଚାଇଥିବା ବେଳେ ମେଡିକାଲରେ ଜଣକର ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ l ଅନ୍ୟ ଜଣକୁ ତୁରନ୍ତ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା l ତେବେ ମୃତ ବ୍ୟକ୍ତି ଜଣକ ସାରଙ୍ଗଡ଼ ଥାନା ଅଧୀନ ବଣ୍ଡଗୁଡା ଗାଁ ର ଜୟସେନ ଦଳ ବେହେରା ଏବଂ ତାଙ୍କ ବୟସ ୪୫ ବର୍ଷ ହୋଇଥିବା ବେଳେ ସେ କୌଣସି କାମରେ ଫିରିଙ୍ଗିଆ ଆସି କାମ ସାରି ନିଜ ଗ୍ରାମକୁ ଫେରୁଥିବା ସୂଚନା ମିଳିଛି। ଅନ୍ୟପଟେ ଏହି ଘଟଣାରେ ଅନ୍ୟ ବାଇକ ଆରୋହୀ ବର୍ତମାନ ମେଡିକାଲରେ ଚିକତ୍ସାଧୀନ ଥିବାବେଳେ ଆହତଙ୍କ ପ୍ରକୃତ ସୂଚନା ମିଳି ପାରିନାହିଁ l ମେଡିକାଲରେ ଫିରିଙ୍ଗିଆ ପୋଲିସ ପହଞ୍ଚି ଶବକୁ ବ୍ୟବଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ ଏକ ଦୁର୍ଘଟଣାଜନିତ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲୁ ରହିଥିବା ଫିରିଙ୍ଗିଆ ଥାନା ଅଧିକାରୀ ମୁରଲୀ ଧର ସାହୁ ସୂଚନା ଦେଇଛନ୍ତି I
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ