
ସୁବର୍ଣ୍ଣପୁର, ୨୨ ଜୁନ୍(ହି.ସ.) – ଟାଟା ପାୱାରର ଖାମଖିଆଲି ନୀତି ଯୋଗୁଁ ଆଜି ଏକ ଗର୍ଭିଣୀ ଗାଈର ମୃତ୍ୟୁ ଘଟିଛି। ସୁବର୍ଣ୍ଣପୁର ସହର ଉପକଣ୍ଠ ସୋନପୁର ବିନିକା ରାସ୍ତାର ପାଣିସିଆଲି ପେଟ୍ରୋଲ ପମ୍ପ ସାମନାରେ ଟାଟା ପାୱାର କମ୍ପାନୀର ଖାମଖିଆଲି ନୀତି ଯୋଗୁଁ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଯାଇଛି। ଦୀର୍ଘଦିନ ହେବ ଖୁଂଟରୁ ଛିଣ୍ଡି ତଳେ ପଡିଥିବା କେବୁଲର ସଂସ୍ପର୍ଶରେ ଆସି ଗର୍ଭିଣୀ ଗାଈର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୋନପୁର ସୂତାକଳ ନିକଟସ୍ଥ ଡି କଲୋନୀର ରାମଗୋପାଳ ସାହୁଙ୍କ ଏକ ଗର୍ଭିଣୀ ଗାଈ ସହ ଆଉ କିଛି ଗାଈ ଚରୁଥିବା ସମୟରେ ଟାଟା ପାୱାର ଦ୍ୱାରା ଲଗାଯାଇଥିବା ବିଦ୍ୟୁତ ଖୁଂଟରୁ ଛିଣ୍ଡି ପଡିଥିବା ତାର ସଂସ୍ପର୍ଶରେ ଆସିଯାଇ ଛଟପଟ ହୋଇଥିଲେ। ସୌଭାଗ୍ୟବସତଃ ଘଟଣାସ୍ଥଳରୁ ୨ ଗୋଟି ଗାଈ ଛିଟିକି ପଡି ବଂଚିଯାଇଥିବାବେଳେ ଏକ ଗର୍ଭିଣୀ ଗାଈ ମୃତ୍ୟୁବରଣ କରିଛି। କିଛି ମାସ ପୂର୍ବରୁ ଗୋରୁ ମାଲିକ ରାମଗୋପାଳ ଉକ୍ତ ଗାଈକୁ ୩୦ ହଜାର ଟଙ୍କା ଦେଇ ଗୃପ୍ ଲୋନ୍ କରି କିଣିଥିବାବେଳେ ଉକ୍ତ ଗାଈହିଁ ତାଙ୍କର ପୁଞ୍ଜି ଥିଲା। ହେଲେ ତାଙ୍କର ଏକମାତ୍ର ଭରସାଥିବା ଗାଈଟିର ମୃତ୍ୟୁ ପରେ ସେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଓ ଟାଟା ପାୱାରର ଦାୟିତ୍ୱହିନତାକୁ ଦାୟୀ କରି ଶୀଘ୍ର କ୍ଷତି ପୂରଣ ଦେବାକୁ ଦାବି କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ