
ଦୟନୀୟ ଅବସ୍ଥାରେ କୁଟାରୀପଶି ପଂଚାୟତ ଲତା ବୁଦାରେ ପରିପୂର୍ଣ୍ଣ କାର୍ଯ୍ୟାଳୟ ପରିସର ଚା ଭୂତକୋଠି ସାଜିଛି ପ୍ରାଣୀ ଚିକିତ୍ସା ଓ କୃଷକ ପରାମର୍ଶ କେନ୍ଦ୍ର
ଚମ୍ପୁଆ, ୨୨ ଜୁନ୍(ହି.ସ.) – କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ କୁଟାରୀପଶି ପଂଚାୟତ କାର୍ଯ୍ୟାଳୟଟି ଏବେ ବିଭିନ୍ନ ଅବ୍ୟବସ୍ଥା ଓ ପ୍ରଶାସନିକ ଅବହେଳାର ପେଣ୍ଠସ୍ଥଳ ପାଲଟିଛି। ଏହି ପଂଚାୟତଟି ଏକ ଉପାନ୍ତ ଅଂଚଳ ହୋଇଥିବାରୁ ଏଥିପ୍ରତି ନା ବ୍ଲକ ପ୍ରଶାସନର ନଜର ଅଛି, ନା ଅଛି ପଂଚାୟତ ପ୍ରଶାସନର ଆନ୍ତରିକତା। ଅଧିକାରୀମାନେ ବ୍ଲକ କାର୍ଯ୍ୟାଳୟକୁ ଆବୋରି ଚମ୍ପୁଆ ବଜାର ଛାଡ଼ିପାରୁ ନାହାନ୍ତି। କେବେ ଇଚ୍ଛା ହେଲେ କାଁ ଭାଁ ଯାଇ ଗେଟ୍ ସମ୍ମୁଖରୁ ଫେରି ଆସୁଥିବା ଅଭିଯୋଗ ହେଉଛି। ଫଳରେ କାର୍ଯ୍ୟାଳୟ ପରିସରରେ ଅନାବନା ଗଛ, ଲତା, ବୁଦା ମାଡ଼ି ରହିଛି। ଏହି ପଂଚାୟତ କାର୍ଯ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖ ଦୀର୍ଘଦିନ ହେବ ଅନାବନା ଘାସ ଏବଂ ଲତାବୁଦାରେ ପରିପୂର୍ଣ୍ଣ ହୋଇରହିଛି। କାର୍ଯ୍ୟାଳୟର ମୁଖ୍ୟ ଗେଟ୍ ଦୀର୍ଘ ଦିନରୁ ଭାଙ୍ଗି ପଡ଼ିଥିଲେ ବି ମରାମତି ପାଇଁ ଦୃଷ୍ଟି ଦେଉନାହାନ୍ତି କର୍ତୃପକ୍ଷ। ପରିସର ମଧ୍ୟରେ ଥିବା ପେଭରବ୍ଲକ ଉପରେ ଏବେ ଘାସର ଆସ୍ତରଣ ଚରିଗଲାଣି।
୨୦୦୨ ମସିହାରେ କୁଟାରୀପଶି ପଂଚାୟତ ସ୍ଥାପିତ ହେବାପରେ କାର୍ଯ୍ୟାଳୟ ପରିସର ଭିତରେ ଏକ ପ୍ରାଣୀ ଚିକିତ୍ସା ସହାୟତା କେନ୍ଦ୍ର ନିର୍ମାଣ କରାଯାଇଥିଲା। ନିର୍ମାଣ ହେବା ଦିନ ଠାରୁ ଏଠାରେ କୌଣସି କର୍ମଚାରୀ ରହୁ ନଥିବାରୁ ଗୃହଟି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ଫଳରେ ସ୍ଥାନୀୟ ଲୋକେ ନିଜ ଗୋଧନର ଚିକିତ୍ସା ପାଇଁ କୋଦଗାଡ଼ିଆ ପଂଚାୟତର ଚିମିଳା ସ୍ଥିତ କେନ୍ଦ୍ର ଉପରେ ନିର୍ଭର କରୁଛନ୍ତି। ବୈତରଣୀ ନଦୀ ପାର ହୋଇ ଦୀର୍ଘ ୧୦ କିଲୋମିଟର ରାସ୍ତା ଅତିକ୍ରମ କରିବା ପରେ ଯାଇ ପଶୁ ଚିକିତ୍ସା ସେବା ପାଇପାରୁଛନ୍ତି। ଚାଷୀଙ୍କ ସହାୟତା ଓ ପରାମର୍ଶ ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କୃଷକ ପରାମର୍ଶ କେନ୍ଦ୍ର ଉପରେ ମଧ୍ୟ ଏବେ ଜଙ୍ଗଲ ମାଡ଼ି ଗଲାଣି। ଲୋକଙ୍କ ସ୍ୱାସ୍ଥ୍ୟସେବା ପାଇଁ ତିଆରି ହୋଇଥିବା ଆରୋଗ୍ୟ କେନ୍ଦ୍ରର ଚାରିପାଖ ଏତେ ଅସ୍ୱାସ୍ଥ୍ୟକର ପରିବେଶରେ ଘେରି ରହିଛି ଯେ, ସେଠାରେ ରୋଗୀ କିଭଳି ସେବା ପାଉଥିବେ ତାହା ସହଜରେ ଅନୁମାନ କରାଯାଇପାରେ।
ପଂଚାୟତ କାର୍ଯ୍ୟାଳୟ ପରିସର ବଗିଚା ସାଜସଜ୍ଜା ପାଇଁ ଆର୍ôଥକ ବର୍ଷ ୨୦୨୪-୨୫ରେ ୨ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରାଯାଇଛି। ଏହି କାମର କାର୍ଯ୍ୟାଦେଶ ଖୋଦ ଗ୍ରାମପଂଚାୟତ କୁଟାରୀପଶି ନାମରେ ରହିଥିବାବେଳେ ବଗିଚାର ରକ୍ଷଣାବେକ୍ଷଣ ଅଭାବରୁ ଏହା ମଧ୍ୟ ଅନାବନା ଘାସ, ଲତାରେ ପରିପୂର୍ଣ୍ଣ ହୋଇପଡ଼ିଛି।
ପଂଚାୟତରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଏକ ସ୍ୱତନ୍ତ୍ର ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। କିନ୍ତୁ ଏହି କେନ୍ଦ୍ରଟି ଏଭଳି ଘଂଚ ଲତାବୁଦା ମଧ୍ୟରେ ପୋତି ହୋଇ ରହିଛି ଯେ, ସେଠାକୁ ମଣିଷ ତ ଦୂରର କଥା, ପଶୁପକ୍ଷୀ ମଧ୍ୟ ପଶିବା ସମ୍ଭବପର ନୁହେଁ। ସରକାରୀ ଯୋଜନାର ଏଭଳି ଅପବ୍ୟୟ ଏବଂ ପଂଚାୟତ କାର୍ଯ୍ୟାଳୟର ଏହି ଦୟନୀୟ ସ୍ଥିତିକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ କୁଟାରିପଶୀ ପଂଚାୟତ ଅଧିକାରୀ ବିଜନ ମୁଣ୍ଡାଙ୍କୁ ଯୋଗାଯୋଗ କରିବାରୁ ସେ କାର୍ଯ୍ୟାଳୟ ପରିସର ସଫା କରିଥିଲୁ କିନ୍ତୁ ଆଉଥରେ ନଟା ହୋଇଯାଇଛି। ଖୁବ୍ଶୀଘ୍ର ସଫା କରି ଦିଆଯିବ ବୋଲି ସଫେଇ ଦେଇଥିଲେ।
ଉପାନ୍ତ କୁଟାରୀପଶି ପଂଚାୟତକୁ ଏହି ଅବ୍ୟବସ୍ଥା ଘେରରୁ ମୁକ୍ତ କରିବା ସହ ପରିତ୍ୟକ୍ତ ସେବା କେନ୍ଦ୍ରଗୁଡ଼ିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଉଚ୍ଚ କର୍ତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଅଂଚଳବାସୀ ଦୃଢ଼ ଦାବି କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / Trinath Mahanta