
ନୂଆପଡ଼ା,୨୨ ଜୁନ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଚାଲିଥିବା ସମୟରେ ବାହାରେ ମଣ୍ଡି ଅବ୍ୟବସ୍ଥାକୁ ନେଇ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଧାନ ବିକ୍ରି, ଟୋକନ ସମସ୍ୟା, ଧାନ ଉଠାଣରେ ବିଳମ୍ବ ଏବଂ ମଣ୍ଡି ପରିଚାଳନାରେ ଅବ୍ୟବସ୍ଥା ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ବିକ୍ଷୋଭକାରୀ ଚାଷୀମାନେ ଅଭିଯୋଗ କରିଥିଲେ ଯେ, ଦୀର୍ଘ ଦିନ ଧରି ମଣ୍ଡିରେ ଧାନ ପଡ଼ି ରହିଥିଲେ ମଧ୍ୟ ଠିକ୍ ସମୟରେ ଉଠାଣ ହେଉନାହିଁ। ଏହା ସହିତ ଟୋକନ ପାଇଥିବା ଚାଷୀମାନେ ମଧ୍ୟ ଧାନ ବିକ୍ରି କରିବାରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରତିବାଦରେ ସେମାନେ ଶୁଣାଣି ଶିବିର ସ୍ଥଳ ବାହାରେ ଏକତ୍ରିତ ହୋଇ ନାରାବାଜି କରି ନିଜ ଦାବି ଉପସ୍ଥାପନ କରିଥିଲେ। ଖଡ଼ିଆଳ ବ୍ଲକର ୯ ଟି ମଣ୍ଡିର ଶତାଧିକ ଚାଷୀ ଏହି ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିଲେ। ବରିଷ୍ଠ କଂଗ୍ରେସ ନେତା କମଳ ଚରଣ ତାଣ୍ଡିଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ