
ଝାରସୁଗୁଡ଼ା, ୨୨ ଜୁନ୍ (ହି.ସ.)- ବ୍ରଜରାଜନଗର ପୌରପାଳିକା ଅଞ୍ଚଳରେ ଜାରି ରହିଥିବା ବିଭିନ୍ନ ଜନକଲ୍ୟାଣକାରୀ ଓ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ । ଏହି ସମୀକ୍ଷା ସମୟରେ ବ୍ରଜରାଜନଗର ପୌରପାଳିକାର ନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁ ଉପସ୍ଥିତ ଥିଲେ। ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଏବଂ ସମ୍ପୂର୍ଣ୍ଣ ସ୍ୱଚ୍ଛତା ସହ ଶେଷ କରିବା ଉପରେ ଜିଲ୍ଲାପାଳ ବିଶେଷ ଗୁରୁତ୍ୱ ଦେଇଛନ୍ତି ।
ଜିଲ୍ଲାପାଳ ଶ୍ରୀ ଚହ୍ବାଣ ଅମ୍ବିକା ନର୍ସରୀ ଏବଂ ପାୱାରହାଉସ ପଡ଼ା ଅଞ୍ଚଳରେ ଚାଲୁ ରହିଥିବା ବର୍ଷା ଜଳ ନିଷ୍କାସନ ଡ୍ରେନେଜ୍ ପ୍ରକଳ୍ପର କାର୍ଯ୍ୟ ସମୀକ୍ଷା କରିଥିଲେ । ଆଗାମୀ ଦିନରେ ଯେପରି ସ୍ଥାନୀୟ ଅଞ୍ଚଳରେ କୃତ୍ରିମ ଜଳବନ୍ଦୀ ସମସ୍ୟା ସୃଷ୍ଟି ନହୁଏ, ସେଥିପାଇଁ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରି ଏହି ଡ୍ରେନେଜ୍ କାର୍ଯ୍ୟକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ନିର୍ମାଣ ସମୟରେ ସୁରକ୍ଷା ବ୍ୟବସ୍ଥା ପ୍ରତି ସତର୍କ ଦୃଷ୍ଟି ଦେବାକୁ ଯନ୍ତ୍ରୀମାନଙ୍କୁ କୁହାଯାଇଛି ।
ଏହା ସହିତ ବ୍ରଜରାଜନଗର ଓପିଏମ କଲୋନୀଠାରେ ନିର୍ମାଣଧୀନ ବୃଦ୍ଧାଶ୍ରମର କାର୍ଯ୍ୟର ଅଗ୍ରଗତି ନେଇ ମଧ୍ୟ ଜିଲ୍ଲାପାଳ ସମୀକ୍ଷା କରିଥିଲେ । ଏହି ଆଶ୍ରମ ଦ୍ୱାରା କିଭଳି ଅଧିକରୁ ଅଧିକ ବରିଷ୍ଠ ନାଗରିକ ଉପକୃତ ହୋଇପାରିବେ, ସେଥିପାଇଁ ଏକ ଚୂଡ଼ାନ୍ତ ଯୋଜନା ପ୍ରସ୍ତୁତ କରିବାକୁ ସେ ପୌର ନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରକଳ୍ପର କାର୍ଯ୍ୟକୁ ଦ୍ରୁତ ଗତିରେ ଆଗେଇ ନେବା ସହ ଏହାର ଗୁଣବତ୍ତା ବଜାୟ ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ