
ଝାରସୁଗୁଡ଼ା, ୨୨ ଜୁନ୍ (ହି.ସ.)- ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ହସ୍ତଶିଳ୍ପ କ୍ଷେତ୍ରର ସାମଗ୍ରିକ ବିକାଶ ନିମନ୍ତେ ଏକ ଜିଲ୍ଲା ସ୍ତରୀୟ ମନିଟରିଂ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାର ପାରମ୍ପରିକ ହସ୍ତଶିଳ୍ପର ପ୍ରସାର, ଶିଳ୍ପୀମାନଙ୍କ ଜୀବିକାର ଉନ୍ନତି ଏବଂ ବିଭିନ୍ନ ସରକାରୀ ପ୍ରୋତ୍ସାହନ ଯୋଜନାର ସଫଳ କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ବୈଠକରେ ଜିଲ୍ଲା ହସ୍ତଶିଳ୍ପ ଅଧିକାରୀ ମୋନାଲିସା ପଟେଲ ଉପସ୍ଥିତ ରହି ଜିଲ୍ଲାରେ ଜାରି ରହିଥିବା ବିଭିନ୍ନ ହସ୍ତଶିଳ୍ପ ଭିତ୍ତିକ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ। ଏହା ସହିତ ହସ୍ତଶିଳ୍ପ ଶିଳ୍ପୀ ସର୍ଭେ ଡାଟାବେସର ବାର୍ଷିକ ଅପଡେଟ୍ ନିମନ୍ତେ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ଅଧ୍ୟକ୍ଷତାରେ ଜିଲ୍ଲା ମୂଲ୍ୟାଙ୍କନ କମିଟି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା।
ଏହି ବୈଠକରେ ଜିଲ୍ଲାର ସଠିକ୍ ହସ୍ତଶିଳ୍ପୀଙ୍କ ଚିହ୍ନଟ ପ୍ରକ୍ରିୟା ଏବଂ ସେମାନଙ୍କ ସୂଚନାର ସଂଶୋଧନ ତଥା ନବୀକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା, ଯେପରି କୌଣସି ଯୋଗ୍ୟ ଶିଳ୍ପୀ ସରକାରୀ ସହାୟତାରୁ ବଞ୍ଚିତ ହେବେ ନାହିଁ। ଉକ୍ତ ବୈଠକରେ ଜିଲ୍ଲାପାଳ ଶ୍ରୀ ଚହ୍ବାଣ ହସ୍ତଶିଳ୍ପ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ତଦାରଖ କରିବା ସହ ସ୍ଥାନୀୟ କଳା ଓ କାରିଗରୀକୁ ଆହୁରି ବ୍ୟାପକ ବଜାର ସୁଯୋଗ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶେଷରେ ଜିଲ୍ଲା ହସ୍ତଶିଳ୍ପ କାର୍ଯ୍ୟାଳୟ ପକ୍ଷରୁ ଉପସ୍ଥିତ ସମସ୍ତ କମିଟି ସଦସ୍ୟ ଓ ବିଭାଗୀୟ ଅଧିକାରୀମାନଙ୍କୁ ସେମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ