କିର୍ମିରା ବ୍ଲକରେ ବିଭିନ୍ନ ଗମନାଗମନ ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ ଟଙ୍କଧର ତ୍ରିପାଠୀ
Foundation stone for projects
Foundation stone


ଝାରସୁଗୁଡ଼ା, ୨୨ ଜୁନ୍ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାର କିର୍ମିରା ବ୍ଲକ ଅଞ୍ଚଳରେ ଯୋଗାଯୋଗ ଏବଂ ଭିତ୍ତିଭୂମିର ଉନ୍ନତି ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଦ୍ୱାରା କିର୍ମିରା ବ୍ଲକର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ସ୍ଥାନୀୟ ଜନସାଧାରଣଙ୍କ ଦୀର୍ଘଦିନର ଦାବିକୁ ପୂରଣ କରିବା ସହ ଅଞ୍ଚଳରେ ଗମନାଗମନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଏହି ପ୍ରକଳ୍ପଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଧାୟକ ପ୍ରକାଶ କରିଛନ୍ତି। କିର୍ମିରା ବ୍ଲକ ଅଧୀନରେ ୪ଟି ପ୍ରମୁଖ ରାସ୍ତା ନିର୍ମାଣ ଓ ସମ୍ପ୍ରସାରଣ କାର୍ଯ୍ୟର ଶିଳାନ୍ୟାସ କରାଯାଇଛି।

ଏହି ଅବସରରେ ଆର.ଡି. ବିଭାଗ ଅଧୀନରେ ପ୍ରାୟ ୪ଟି ପ୍ରମୁଖ ରାସ୍ତାର ପ୍ରଶସ୍ତିକରଣ ଓ ଦୃଢ଼ୀକରଣ କରାଯିବ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଜୁନାପାଲିରୁ ଜାମକାନି ରାସ୍ତା, ରାଜ୍ୟ ଯୋଜନା ଅଧୀନରେ ଝାରମାଲରୁ କିର୍ମିରା ଭାୟା ବିଦମାଲ ରାସ୍ତା, କୋଲାପଡ଼ାରୁ ଭୀମଜୋର ଆର.ଡି. ରାସ୍ତା ଭାୟା ସୁୟାନପଡ଼ା ଏବଂ ଠାକୁରପଡ଼ାରୁ ଲୁଢ଼ାପଡ଼ା ରାସ୍ତାର ଉନ୍ନତିକରଣ କାର୍ଯ୍ୟ ସାମିଲ ରହିଛି। ଏହି ସମସ୍ତ ରାସ୍ତା ନିର୍ମାଣ ହେବା ଫଳରେ ସ୍ଥାନୀୟ ଗ୍ରାମାଞ୍ଚଳର ବହୁ ଲୋକ ଉପକୃତ ହେବେ। ଆଜିର ଏହି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ବହୁ ବିଭାଗୀୟ ଅଧିକାରୀ ଓ ନେତୃବୃନ୍ଦ ଉପସ୍ଥିତ ଥିଲେ। ଏଥିରେ ବିଭାଗୀୟ ଅଧିକାରୀ ଜେ. କେ. ମେହେର, ଏସ.ଡି.ଓ ବନମାଳୀ ନାଏକ ପ୍ରମୁଖ ଉପସ୍ଥିତ ରହି ପ୍ରକଳ୍ପର ରୂପରେଖ ସମ୍ପର୍କରେ ଆଲୋଚନା କରିଥିଲେ।

ଏହା ସହିତ ମଣ୍ଡଳ ସଭାପତି ଉଦ୍ଧବ ସିଂ ନାଏକ, ବିଶିଷ୍ଟ ନେତା ବାବୁଲା କିସାନ, ଝସକେତନ ପ୍ରଧାନ, ଯାମିନୀକାନ୍ତ ନାଏକ, ସନ୍ଦୀପ ପଟେଲ, ପ୍ରଦୀପ କିସାନ, ଶୁଭମ ସାହୁ, ବିକ୍ରମ କିସାନ, ପବନ ଶର୍ମା, ବିକି ଶର୍ମା, ହେମନ୍ତ ଜାମଧୁଳିଆ, ନିରଞ୍ଜନ ପ୍ରଧାନ, ଦଶରତ ନାଏକ, ଅନିଲ ଖଡିଆ, ଯଶୋବନ୍ତି କିସାନ ଏବଂ କବିତା ଜୟପୁରିଆଙ୍କ ସମେତ ସ୍ଥାନୀୟ ବହୁ ବ୍ୟକ୍ତି ଓ ଶତାଧିକ ଗ୍ରାମବାସୀ ଉପସ୍ଥିତ ରହିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande