
ଝାରସୁଗୁଡ଼ା, ୨୨ ଜୁନ୍ (ହି.ସ.)- ବ୍ରଜରାଜନଗର ଠାରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ସେମାନଙ୍କର ବିଭିନ୍ନ ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ବିଷୟରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ଜିଲ୍ଲାପାଳ ସମସ୍ତ ଅଭିଯୋଗକୁ ଶୁଣିବା ସହ ଏହାର ତୁରନ୍ତ ଏବଂ ସମୟଭିତ୍ତିକ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଭିଯୋଗ ଶୁଣାଣି ଶିବିରରେ ଝାରସୁଗୁଡ଼ା ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା ଏବଂ ବ୍ରଜରାଜନଗର ପୌରପାଳିକାର ନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଶିବିରରେ ମୋଟ ୩୨ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ୨୧ଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିବା ବେଳେ ୧୧ଟି ସାମୂହିକ ଅଭିଯୋଗ ରହିଥିଲା। ଏହା ସହିତ ହିତାଧିକାରୀଙ୍କୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୨୦,୦୦୦ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା। ଏହି ଶିବିରରେ ମୁଖ୍ୟତଃ ସ୍ଥାନୀୟ ଅଞ୍ଚଳର ପାନୀୟ ଜଳ ସମସ୍ୟା, ଜମି ଜମା ବିବାଦ, ଟ୍ରକ ପାର୍କିଂ ସମସ୍ୟା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା, ରାସ୍ତା ନିର୍ମାଣ ଏବଂ ବିଭିନ୍ନ ଭତ୍ତା ବା ପେନସନ ମାମଲା ଭଳି ବିଷୟଗୁଡ଼ିକ ଉପରେ ଆଲୋଚନା ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ