ଝାରସୁଗୁଡ଼ାରେ 'ଉଦ୍ୟମୀ ଓଡ଼ିଶା ଏମ୍ ଏସ ଏମ ଇ କାର୍ଯ୍ୟକ୍ରମ-୨୦୨୬' ପାଇଁ ପ୍ରସ୍ତୁତି ବୈଠକ
Msme preparatory meeting
Marking committee meeting


ଝାରସୁଗୁଡ଼ା, ୨୨ ଜୁନ୍ (ହି.ସ.)- ମୁଖ୍ୟମନ୍ତ୍ରୀଙ୍କ ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ ଦୃଷ୍ଟିକୋଣକୁ ସାକାର କରିବା ଦିଗରେ ଝାରସୁଗୁଡ଼ା ଜିଲ୍ଲା ଶିଳ୍ପ କେନ୍ଦ୍ର ନିରନ୍ତର ଭାବେ କାର୍ଯ୍ୟ କରୁଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ କଲେକ୍ଟୋରେଟ୍ ସ୍ଥିତ ଜିଲ୍ଲା ଖଣିଜ ପ୍ରତିଷ୍ଠାନ କନ୍ଫରେନ୍ସ ହଲ୍ ଠାରେ 'ଉଦ୍ୟମୀ ଓଡ଼ିଶା ଏମ୍ଏସ ଏମ ଇ କାର୍ଯ୍ୟକ୍ରମ-୨୦୨୬' ର ସଫଳ ଆୟୋଜନ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଜୁନ୍ ୨୭ ରୁ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଉଦ୍ୟୋଗୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଉତ୍ପାଦିତ ସାମଗ୍ରୀର ପ୍ରଦର୍ଶନୀ ଓ ବିକ୍ରୟ ପାଇଁ ୩୦ଟି ଷ୍ଟଲ୍ ବ୍ୟବସ୍ଥା କରାଯାଉଛି। ବୈଠକରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ଅରିନ୍ଦମ ପ୍ରଧାନଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଗତ ଦୁଇ ଆର୍ଥିକ ବର୍ଷରେ ଉଦ୍ୟୋଗ ବିକାଶ, ସ୍ୱରୋଜଗାର ସୃଷ୍ଟି ଏବଂ ଏମଏସଏମଇ ପ୍ରୋତ୍ସାହନ କ୍ଷେତ୍ରରେ ହାସଲ ହୋଇଥିବା ଉଲ୍ଲେଖନୀୟ ସଫଳତାର ସମୀକ୍ଷା କରାଯାଇଥିଲା। ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ ଅଧୀନରେ ୨୦୨୪-୨୫ ଓ ୨୦୨୫-୨୬ ଆର୍ଥିକ ବର୍ଷରେ ମୋଟ ୧୮୯ଟି ପ୍ରକଳ୍ପ ସ୍ୱୀକୃତ କରାଯାଇ ଉଦ୍ୟୋଗୀମାନଙ୍କୁ ପ୍ରାୟ ୬.୫୮ କୋଟି ଟଙ୍କାରୁ ଅଧିକ ମାର୍ଜିନ ମନି ସବସିଡି ପ୍ରଦାନ କରାଯାଇଛି। ସେହିପରି ପି ଏମ ଏଫ୍ ଏମ ଇ ଯୋଜନା ଅଧୀନରେ ଗତ ଦୁଇ ବର୍ଷରେ ୩୦ଟି ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପାଇଁ ପ୍ରାୟ ୨.୭୯ କୋଟି ଟଙ୍କା ଋଣ ସହ ୯୦.୮୦ ଲକ୍ଷ ଟଙ୍କାର ସବସିଡି ପ୍ରଦାନ କରାଯାଇ ଗ୍ରାମୀଣ ଅର୍ଥନୀତିକୁ ସଦୃଢ଼ କରାଯାଇଛି। ଔଦ୍ୟୋଗିକ ନୀତି ଏବଂ ଏମ୍ ଏସ ଏମ ଇ ଡି ନୀତି ଅଧୀନରେ ୨୦୨୪-୨୫ ବର୍ଷରେ ୧.୧୮ କୋଟି ଟଙ୍କା ଏବଂ ୨୦୨୫-୨୬ ବର୍ଷରେ ୪୧.୨୩ ଲକ୍ଷ ଟଙ୍କାର ସବସିଡି ସହ ମୁଖ୍ୟମନ୍ତ୍ରୀ ସୁଧ ପରିଶୋଧ ସହାୟତା ଯୋଜନା ମାଧ୍ୟମରେ ଦୁଇ ବର୍ଷରେ ଯଥାକ୍ରମେ ୪୭.୭୫ ଲକ୍ଷ ଓ ୫୮.୪୭ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଉଦ୍ୟୋଗୀମାନଙ୍କୁ ଯୋଗାଇ ଦିଆଯାଇଛି। ଜିଲ୍ଲା ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ମାଧ୍ୟମରେ ୨୦୨୪-୨୫ ରେ ୨୯୦ କୋଟି (୮୦୦ ନିଯୁକ୍ତି) ଏବଂ ୨୦୨୫-୨୬ ରେ ୩୧୫ କୋଟି ଟଙ୍କାରୁ ଅଧିକ ବିନିଯୋଗ ପ୍ରସ୍ତାବ ଅନୁମୋଦନ କରାଯାଇ ୧୦୪୭ ଜଣଙ୍କ ପାଇଁ ନୂତନ ରୋଜଗାର ସୁଯୋଗ ସୃଷ୍ଟି କରାଯାଇଛି। ଏହି ସମୀକ୍ଷା କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଏମଏସଏମଇ ସୁଧ ପ୍ରତିପୂରଣ ଯୋଜନା ସମେତ ବିଭିନ୍ନ ସରକାରୀ ଯୋଜନାରେ ସଫଳତା ଅର୍ଜନ କରିଥିବା ୩ ଜଣ ପ୍ରମୁଖ ହିତାଧିକାରୀଙ୍କୁ ସେମାନଙ୍କର ସଫଳତା ପାଇଁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧନା କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande