
କନ୍ଧମାଳ, ୨୨ ଜୁନ୍ (ହି.ସ.)- କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ସୁଡ୍ରୁକୁମ୍ପା ପଞ୍ଚାୟତର ବଡମାସ୍କା ଗାଁ ରେ ଘଟିଛି ଏକ ଅଭବନୀୟ ଘଟଣା। ପିଲାମାନଙ୍କ କଳିକୁ କେନ୍ଦ୍ର କରି ଆକ୍ରମଣରୁ ଜଣେ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ହିଁ ମୃତ୍ଯୁ ଘଟିଛି। ଏହି ଘଟଣାରେ ଆଉ ତିନି ଜଣ ଗୁରୁତର ଭାବେ ଆହତ ହୋଇ ଫୁଲବାଣୀ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ସୁଡ୍ରୁକୁମ୍ପା ପଞ୍ଚାୟତର ବଡମାସ୍କା ଗାଁ ରେ ପିଲାମାନଙ୍କ ମଧ୍ୟରେ କୌଣସି କାରଣବଶତଃ ଝଗଡା ଓ ମାରପିଟ ହୋଇଥିଲା । ଆଜି ଘଟଣାର ବୁଝାମଣା କରିବା ପାଇଁ ଗୋଟିଏ ପରିବାର ସଦସ୍ୟ ଓ ସଦସ୍ୟା ମାନେ ବଡମାସ୍କା ଗାଁ ରେ ପହଞ୍ଚିଥିଲେ। ସେମାନଙ୍କୁ ଦେଖି ଅପରପକ୍ଷର କିଛି ଯୁବକ ଟାଙ୍ଗିଆ ଏବଂ ଅନ୍ୟାନ୍ୟ ଧାରୁଆ ଅସ୍ତ୍ରରେ ସେମାନଙ୍କ ଉପରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ବୁଝାମଣା କରିବାକୁ ଆସିଥିବା ପରିବାରର ଅକ୍ରୁର ବେହେରାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ଓ ବାଇଧର ବେହେରା, ସୁଜାତା ବେହେରା ଓ ଗାୟତ୍ରୀ ବେହେରା ଗୁରୁତର ଭାବେ ଆହତ ହୋଇଥିଲେ। ଆହତ ମାନଙ୍କୁ ଗାଁ ଲୋକଙ୍କ ସହାୟତାରେ ଫୁଲବାଣୀ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ଫୁଲବାଣୀ ସଦର ଥାନା ପୁଲିସ ଏକ ମାମଲା ରୁଜୁ କରିଛି। ଫୁଲବାଣୀ ଏସଡିପିଓ ଶୁଭ୍ରଜିତ ବିଶ୍ଵାଳ ବଡମାସ୍କା ଗାଁ କୁ ଯାଇ ଘଟଣାର ସରଜମିନ୍ ତଦନ୍ତ କରିଛନ୍ତି । ପୋଲିସ ମୃତକଙ୍କ ଶବକୁ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ