ଝାରସୁଗୁଡାରେ ସ୍ଵାବଲମ୍ବୀ ଯୁବା ସମୃଦ୍ଧ ଓଡ଼ିଶା ସମାବେଶ; ଯୁବଶକ୍ତି, ନିଯୁକ୍ତି, କୌଶଳ ବିକାଶ ଓ ଆତ୍ମନିର୍ଭରଶୀଳତା ମାଧ୍ୟମରେ ସମୃଦ୍ଧ ଓଡ଼ିଶା ଗଠନ କରିବାକୁ ଆହ୍ଵାନ
ଝାରସୁଗୁଡ଼ା, ୨୨ ଜୁନ୍ (ହି.ସ.)- ଝାରସୁଗୁଡା ପଞ୍ଚାୟତ ସମିତି ସ୍ତରୀୟ “ସ୍ୱାବଲମ୍ବୀ ଯୁବା ସମୃଦ୍ଧ ଓଡ଼ିଶା ସମାବେଶ” ସୋମବାର ସ୍ଥାନୀୟ ଏମସିଏଲ ଅଡିଟୋରିୟମ୍ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ
Samruddha odisha


ଝାରସୁଗୁଡ଼ା, ୨୨ ଜୁନ୍ (ହି.ସ.)- ଝାରସୁଗୁଡା ପଞ୍ଚାୟତ ସମିତି ସ୍ତରୀୟ “ସ୍ୱାବଲମ୍ବୀ ଯୁବା ସମୃଦ୍ଧ ଓଡ଼ିଶା ସମାବେଶ” ସୋମବାର ସ୍ଥାନୀୟ ଏମସିଏଲ ଅଡିଟୋରିୟମ୍ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସେ ନିଜ ବକ୍ତବ୍ୟରେ ଯୁବଶକ୍ତି, ନିଯୁକ୍ତି, କୌଶଳ ବିକାଶ ଓ ଆତ୍ମନିର୍ଭରଶୀଳତା ମାଧ୍ୟମରେ ସମୃଦ୍ଧ ଓଡ଼ିଶା ଗଠନ କରିବାକୁ ଆହ୍ୱାନ ଦେଇଥିଲେ। ଏଥିସହ ରାଜ୍ୟ ସରକାରଙ୍କ ଦୂରଦର୍ଶୀ ନେତୃତ୍ୱରେ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ମହିଳା ସଶକ୍ତିକରଣ, ଗ୍ରାମୀଣ ଭିତ୍ତିଭୂମି ଏବଂ ସାମାଜିକ ସୁରକ୍ଷା କ୍ଷେତ୍ରରେ ହୋଇଥିବା ବ୍ୟାପକ ପରିବର୍ତ୍ତନ ଓଡ଼ିଶାକୁ ବିକାଶର ନୂତନ ଦିଗନ୍ତକୁ ନେଇଯାଇଛି ବୋଲି ପ୍ରକାଶ କରିଥିଲେ।

ଲୋକଙ୍କ ଆଶା ଓ ଆକାଂକ୍ଷାକୁ କେନ୍ଦ୍ର କରି ଆଗେଇ ଚାଲିଥିବା ଏହି ବିକାଶଯାତ୍ରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ “ବିକଶିତ ଭାରତ” ସଂକଳ୍ପକୁ ସାକାର କରିବା ସହ “ବିକଶିତ ଓଡ଼ିଶା” ଗଠନରେ ଏକ ଦୃଢ଼ ପଦକ୍ଷେପ ବୋଲି ବିଧାୟକ କହିଛନ୍ତି। ଏହି ଅବସରରେ ଶ୍ରୀ ତ୍ରିପାଠୀ ବିଗତ ଦୁଇ ବର୍ଷ ମଧ୍ୟରେ ଯୁବ ସଶକ୍ତିକରଣ କ୍ଷେତ୍ରରେ ହୋଇଥିବା ଉଲ୍ଲେଖନୀୟ ସଫଳତା ଉପରେ ଆଲୋକପାତ କରିବା ସହ ଯୁବ ସମାଜକୁ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିବାକୁ ପରାମର୍ଶ ଦେଇଥିଲେ। ପରିବେଶ ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇ ସେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅତି କମରେ ୫ଟି ଗଛ ଲଗାଇବାକୁ ଏବଂ କେବଳ ମୁନିସିପାଲିଟି ଉପରେ ନିର୍ଭର ନକରି ନିଜ ନିଜ ପରିବେଶକୁ ସ୍ୱଚ୍ଛ ରଖିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଏହି ଅବସରରେ ଜିଲ୍ଲାର ବିଗତ ଦୁଇ ବର୍ଷର ବିକାଶମୂଳକ ସଫଳତାକୁ ନେଇ ଏକ ସ୍ୱତନ୍ତ୍ର ଡକ୍ୟୁମେଣ୍ଟାରୀ ଫିଲ୍ମ ମଧ୍ୟ ପ୍ରଦର୍ଶନ କରାଯାଇଥିଲା।

ଏହି ସମାବେଶରେ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କୁ ସହାୟତା, ରାସନ କାର୍ଡ, ଆୟୁଷ୍ମାନ କାର୍ଡ, ଶ୍ରମିକ କାର୍ଡ ଏବଂ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା। ‘ମୁଖ୍ୟମନ୍ତ୍ରୀ ଏମ.ଏସ.ଏମ.ଇ ସୁଧ ପ୍ରତିପୂରଣ ଯୋଜନା’ରେ ୩ ଜଣ, ପିଏମ୍-ଏଫଏମଇ ଯୋଜନାରେ ୨ ଜଣ, ପିଏମଇଜିପି ଯୋଜନାରେ ୩ ଜଣ ଏବଂ ନାନୋ ୟୁନିକର୍ଣ୍ଣ ଯୋଜନାରେ ୧୮ ଜଣ ହିତାଧିକାରୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଅନ୍ନପୂର୍ଣ୍ଣା ଯୋଜନାରେ ୪ ଜଣଙ୍କୁ କାର୍ଡ, ଷ୍ଟେଟ୍ ପ୍ଲାନ୍ ଇନପୁଟ୍ ସବସିଡି ମାଧ୍ୟମରେ ୪ ଜଣଙ୍କୁ ଚାରାଗଛ, ୫ ଜଣ ଅଙ୍ଗନବାଡି କର୍ମୀଙ୍କୁ ସ୍ମାର୍ଟ ମୋବାଇଲ ଫୋନ, ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ୨ ଜଣଙ୍କୁ ସ୍ୱାସ୍ଥ୍ୟ ବୀମା କାର୍ଡ ଏବଂ ଅନ୍ତ୍ୟୋଦୟ ଗୃହ ଯୋଜନା ଅଧୀନରେ ୨ ଜଣଙ୍କୁ କାର୍ଯ୍ୟାଦେଶ ପ୍ରଦାନ ସହ ‘ଲକ୍ଷପତି ଦିଦି’ ଯୋଜନା ଅନ୍ତର୍ଗତ ସହାୟତା ପ୍ରଦାନ କରାଯାଇଥିଲା। ଚଳିତ କାର୍ଯ୍ୟକ୍ରମର ଏକ ସ୍ୱତନ୍ତ୍ର ଓ ଆକର୍ଷଣୀୟ କେନ୍ଦ୍ରବିନ୍ଦୁ ଥିଲେ ଝାରସୁଗୁଡା ବ୍ଲକ ଅନ୍ତର୍ଗତ ହଂ. କଟାପାଲି ଗ୍ରାମର ଦିବ୍ୟାଙ୍ଗ ଶିଶୁ ଖୀଲେଶ ବେହେରା। ନିଜର ଅସାଧାରଣ ପ୍ରତିଭା ବଳରେ ସେ ଭଜନ ପରିବେଷଣ କରିବା ସହ ଚମତ୍କାର ମୃଦଙ୍ଗ ବାଦନ କରି ଉପସ୍ଥିତ ସମସ୍ତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ତାଙ୍କର ଏହି ଅଦ୍ଭୁତ ପ୍ରତିଭା ଦେଖି ବିଧାୟକ ଶ୍ରୀ ତ୍ରିପାଠୀ ଅତ୍ୟନ୍ତ ଆନନ୍ଦିତ ଓ ଗର୍ବିତ ହେବା ସହ ଖୀଲେଶଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରିଥିଲେ ଏବଂ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

ଏହି କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିମାନେ ବିଭିନ୍ନ ବିଭାଗ ପକ୍ଷରୁ ଆୟୋଜିତ ପ୍ରଦର୍ଶନୀ ଷ୍ଟଲ ବୁଲି ଦେଖିଥିବା ବେଳେ ଏଥିରେ ବହୁ ସଂଖ୍ୟକ ସରକାରୀ ଅଧିକାରୀ, ବୁଦ୍ଧିଜୀବୀ, ଯୁବକ-ଯୁବତୀ, ଛାତ୍ରଛାତ୍ରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର ଅରିନ୍ଦମ ପ୍ରଧାନ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନିଲ କୁମାର ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଝାରସୁଗୁଡା ଇଞ୍ଜିନିୟରିଂ ସ୍କୁଲର ହିତେଶ୍ୱର ଶତପଥୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜିଲ୍ଲା ଦକ୍ଷତା ବିକାଶ ତଥା କର୍ମନିଯୁକ୍ତି ଅଧିକାରୀ ସଙ୍ଗୀତା ମେହେର ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande