
ମାଲକାନଗିରି , ୨୨ ଜୁନ୍ (ହି.ସ.) ସ୍ୱଦେଶୀ ଚେତନାକୁ ଆଧାର କରି ସ୍ଵାବଲମ୍ବୀ ଜିଲ୍ଲା ଓ ସ୍ଵାବଲମ୍ବୀ ଭାରତ ଗଠନ ପାଇଁ ଯୁବ ସମାଜ, ମହିଳା ଉଦ୍ୟୋଗୀ ଓ କୁଟୀର ଉଦ୍ୟୋଗୀମାନଙ୍କୁ ସ୍ୱରୋଜଗାର ଦିଗରେ ଆଗ୍ରହୀ କରିବା ଆବଶ୍ୟକ ବୋଲି ବକ୍ତାମାନେ ମତ ପ୍ରକାଶ କରିଛନ୍ତି I ସ୍ୱଦେଶୀ ଜାଗରଣ ମଞ୍ଚ – ସ୍ଵାବଲମ୍ବୀ ଭାରତ ଅଭିଯାନ,ମାଲ୍ୟବନ୍ତଗିରି ଜିଲ୍ଲା ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଓ ବିଚାର ବର୍ଗର ସମାରୋହରେ ଏହି ଆହ୍ୱାନ ଦିଆଯାଇଛି ।
ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସଭାପତି ରବୀନ୍ଦ୍ର ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ I ସ୍ୱଦେଶୀ ଜାଗରଣ ମଞ୍ଚର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ଵଦେଶୀ ଆଧାରିତ ଅର୍ଥନୀତି ଓ ସ୍ଵରୋଜଗାର ମାଧ୍ୟମରେ ଦେଶକୁ ସ୍ୱାବଲମ୍ବୀ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ I
ସେହିପରି ସଂଘର କୋରାପୁଟ ବିଭାଗ ପ୍ରଚାରକ ମହେଶ୍ୱର ଭତ୍ରା ଏବଂ ପ୍ରାନ୍ତ ପୂର୍ଣ୍ଣକାଳୀନ ଅଭୟ ପ୍ରସାଦ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ଵଦେଶୀ ଉତ୍ପାଦର ବ୍ୟବହାର, ସ୍ଥାନୀୟ ସମ୍ପଦର ସଦୁପଯୋଗ ଏବଂ ଯୁବ ପିଢ଼ୀଙ୍କ ମଧ୍ୟରେ ସ୍ଵରୋଜଗାର ପ୍ରତି ଆଗ୍ରହ ବୃଦ୍ଧି କରିବା ଦିଗରେ ଆହ୍ଵାନ ଜଣାଇଥିଲେ I
ସଂଯୋଜକ ପ୍ରଫୁଲ୍ଲ କୁମାର ମହାରଣା ଓ ସଦସ୍ୟ ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହ – ସଂଯୋଜକ ମନୋଜ ଦଳେଇ, ଭାଜପା ଜିଲ୍ଲା ଉପସଭାପତି ସମୀର ମିସ୍ତ୍ରୀ ଓ ଜିଲ୍ଲା ମହିଳା ସଭାନେତ୍ରୀ ବେଣୀ କାର୍ତ୍ତୁଲ ପ୍ରମୁଖ ଉପସ୍ଥିତ ଥିଲେ I
ଏହି ଅବସରରେ ସଂଗଠନର ବିଭିନ୍ନ ଦାୟିତ୍ୱ ପାଇଁ କାହ୍ନୁ ଛିଟିକିଙ୍କୁ ଜିଲ୍ଲା ଯୁବ ପ୍ରମୁଖ, ପ୍ରୀତିମୟୀ ପରିଡାଙ୍କୁ ଜିଲ୍ଲା ମହିଳା ପ୍ରମୁଖ, ରାମକୃଷ୍ଣ ଚୌଧୁରୀଙ୍କୁ ଜିଲ୍ଲା ସମ୍ପର୍କ ପ୍ରମୁଖ, ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କୁ ଜିଲ୍ଲା ପ୍ରଚାର ପ୍ରମୁଖ, ଦ୍ରୌପଦୀ ପଟ୍ଟନାୟକ ଓ ଜ୍ୟୋତିରାଣୀ ପଣ୍ଡାଙ୍କୁ ମାଲକାନଗିରି ଓ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ମହିଳା ପ୍ରମୁଖ, ସବିତା ପଟ୍ଟନାୟକଙ୍କୁ ନଗର ସହ– ମହିଳା ପ୍ରମୁଖ, ବେଣୀ କାର୍ତ୍ତୁଲଙ୍କୁ ମହିଳା ସମନ୍ୱୟକ, ମଞ୍ଜୁ କଞ୍ଜିଲାଲଙ୍କୁ ସୁଭଦ୍ରା ଶକ୍ତି ସ୍ଵୟଂ ସହାୟିକା ସଂଯୋଜିକା ଏବଂ ସୁଧାପ୍ରିୟା ପାଙ୍ଗୀଙ୍କୁ ସାମାଜିକ ଗଣମାଧ୍ୟମ ସଂଯୋଜିକା ଭାବେ ମନୋନୀତ କରାଯାଇଥିଲା Iଶେଷରେ ଶାନ୍ତି ପାଠ ସହିତ କାର୍ଯ୍ୟକ୍ରମର ସମାପନ ହୋଇଥିଲା I
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ