
ଜୟପୁର, ୨୨ ଜୁନ୍ (ହି.ସ.)- ଗ୍ରାମ କମିଟି ନେଇଥିବା ନିଷ୍ପତି ନମାନିବାରୁ ଗୋଟିଏ ପରିବାର ଗାଁ ରୁ ବାସନ୍ଦ l ପରିବାର ଲୋକଙ୍କୁ ଗାଁ ପର୍ବ ପର୍ବାଣୀରେ ସାମିଲ କରାଗଲା ନାହିଁ, ସୁଖ ଦୁଃଖରେ କେହି ଆସିଲେ ନାହିଁ, ଏମିତିକି ପାଣି ମଧ୍ୟ ଦିଆ ଯାଉନାହିଁ l ଏଭଳି ଅଭିଯୋଗ ନେଇ ପରିବାର ଲୋକେ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେବା ପରେ ଗାଁ ରେ ଆଜି ପହଁଚିଛି ପ୍ରଶାସନ l ଏଭଳି ଘଟଣା କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଖିଲଗୁଡାରେ ଦେଖିବାକୁ ମିଳିଛି l କୋରାପୁଟ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଜୟପୁର ଉପ ଜିଲ୍ଲାପାଳ ଯଦୁମଣି ନାୟକ, ଜୟପୁର ଏସଡିପିଓ ଅର୍ଚ୍ଚିତା ମିତ୍ତଲ ଏବଂ ବ୍ଲକ ପ୍ରଶାସନ ତରଫରୁ ବିଡ଼ିଓ ସୁବ୍ରତ ସାହୁ, ଅତିରିକ୍ତ ତହସିଲଦାର ଝାଡେଶ୍ବର ସଉରା, ସରପଞ୍ଚ ସୂର୍ଯ୍ୟମଣି ନାୟକ, ବୈପାରିଗୁଡା ଥାନା ଓଆଇସି ଡମ୍ବରୁଧର ବାତ୍ରିଆ ପ୍ରମୁଖ ଖିଲଗୁଡାରେ ପହଂଚି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି l
ବୈପାରୀଗୁଡା ବ୍ଲକ ଖିଲଗୁଡା ଗାଁ ରେ ମୋଟ ଷାଠିଏଟି ପରିବାର ବସବାସ କରନ୍ତି l ହେଲେ ସାମାନ୍ୟ ବଚସା କୁ ନେଇ ଗୋଟିଏ ପରିବାରକୁ ବାସନ୍ଦ କରାଯାଇଛି l ସାମାଜିକ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଆରମ୍ଭ ହେଲା ଝଗଡା l ଛୋଟ ଛୋଟ କଥାରେ ମନମାଳିନ୍ୟ ହେବା ପରେ ଗାଁ କମିଟି ବୈଠକ ଡକାଇଲା l ହେଲେ ଉକ୍ତ ପରିବାର ଲୋକେ ଗାଁ ଲୋକଙ୍କୁ ସହଯୋଗ କଲେ ନାହିଁ l ଶେଷରେ ଗ୍ରାମ କମିଟି ନେଇଥିବା ନିଷ୍ପତି ନମାନିବାରୁ ପରିବାରକୁ ବାସନ୍ଦ କରାଯାଇଛି l ପୀଡିତ ପରିବାର ଲୋକଙ୍କ ସୁଖ ଦୁଃଖରେ ଗାଁ ଲୋକେ କେହି ଗଲେ ନାହିଁ l ଏପରିକି ଛୋଟ ଛୁଆଙ୍କ ସହ ମଧ୍ୟ କଥାବାର୍ତ୍ତା ହେଉନାହାନ୍ତି l ଫଳରେ ସମ୍ପୃକ୍ତ ପରିବାର ଅନେକ ଅସୁବିଧାର ସମ୍ମୁଖୀନ ହେଲେ l ଦୀର୍ଘ ମାସ ଧରି ଏକଘରିଆ କରିଦିଆଯାଇଛି ବୋଲି ପୀଡିତ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି l ଏହାକୁ ନେଇ ପରିବାରର ସମସ୍ତ ସଦସ୍ୟ କୋରାପୁଟ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ l ଅଭିଯୋଗକୁ ଆଧାର କରି କୋରାପୁଟ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଖିଲଗୁଡା ଗାଁ ରେ ପ୍ରଶାସନ ପହଂଚି ସ୍ଥିତି ଅନୁଧ୍ୟାନ କରିଛି l ସାମାଜିକ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଗାଁରେ ଝଗଡା ହୋଇଥିବା ଜାଣିବାକୁ ପାଇଲେ l ଗ୍ରାମବାସୀ, ସମ୍ପୃକ୍ତ ପରିବାର ଏବଂ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ। ଆଲୋଚନା ପରେ ଉଭୟ ପକ୍ଷ ମଧ୍ୟରେ ବୁଝାମଣା ସୃଷ୍ଟି ହୋଇଥିଲା ଏବଂ ବାସନ୍ଦ କରାଯାଇଥିବା ପରିବାରକୁ ପୁଣିଥରେ ଗ୍ରାମ ସମାଜ ସହ ମିଶାଇ ଦିଆଯାଇଥିଲା l ପ୍ରଶାସନର ମଧ୍ୟସ୍ଥତା ଏବଂ ଉଭୟ ପକ୍ଷର ସହଯୋଗ ଫଳରେ ଖିଲଗୁଡା ଗ୍ରାମର ଏହି ବିବାଦର ସୁଖଦ ସମାପ୍ତି ଘଟିଛି। ଆଗାମୀ ଦିନରେ ଗ୍ରାମରେ ଶାନ୍ତି ଓ ସାମାଜିକ ସମ୍ପ୍ରୀତି ବଜାୟ ରହିବ ବୋଲି ଆଶା କରାଯାଉଛି। ଆଜିକା ଡିଜିଟାଲ ଯୁଗରେ ଏଭଳି ମାନସିକତାକୁ ନେଇ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି l
ହିନ୍ଦୁସ୍ଥାନ ସମାଚାର / ପିକେପି