

୩ ଲକ୍ଷ ଟଙ୍କାର କାମ ୩ ମାସରେ ଭାଙ୍ଗିଗଲା, ବିକାଶର ଧାରା, ପଇସା ଲୁଟି ଖାଇବା ସାରା
ଭୁବନ, ୨୩ ଜୁନ୍(ହି.ସ.) – ଢ଼େଙ୍କାନାଳ ଜିଲ୍ଲା ଭୁବନ ପଂଚାୟତ ସମିତି ରାଜ୍ୟ ସରକାରଙ୍କ ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନାରେ ୨୦୨୫-୨୬ ବର୍ଷ ସମୁଦାୟ ୨ କୋଟି ୫୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ଦ୍ଧାରିତ ସମୟ ମଧ୍ୟରେ(ସମୟ ସୀମା ପୂର୍ବରୁ) ୬୮ଟି ଉନ୍ନୟନ ମୂଳକ କାର୍ଯ୍ୟ ଶେଷ କରିଥିବାରୁ ସରକାରଙ୍କ ଠାରୁ ବେଶ୍ ପ୍ରଶଂସା ପାଇଥିଲେ। ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକୁ ତ୍ୱରାନ୍ୱିତ କରାଇଥିବା ଯୋଗୁ ସ୍ଥାନୀୟ ବିଧାୟକ ଶତ୍ରୁଘ୍ନ ଜେନାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ୬୮ଟି କାର୍ଯ୍ୟର ସମସ୍ତ ବିଲ୍ ପାସ୍ କରି ବ୍ଲକ ପ୍ରଶାସନ ପ୍ରଶଂସା ପାଇଥିବାବେଳେ ୩ ଲକ୍ଷ ଟଙ୍କାର ପାଚେରୀ ତିନି ମାସ ନପୁରୁଣୁ ଭାଙ୍ଗିଯିବା ପରେ ଏବେ ସତ ପଦାକୁ ଆସିଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଭୁବନ ବ୍ଲକ ଅନ୍ତର୍ଗତ ଧଳପଡ଼ା ପଂଚାୟତ ଅନଳ ଗ୍ରାମର ମା’ ବ୍ରାହ୍ମଣୀ ଦେବୀ ପୀଠରେ, ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାରେ ୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ପାଚେରୀଟି ଗତ ସପ୍ତାହରେ ଭୁଶୁଡ଼ି ପଡ଼ିଥିଲା। ସୂଚନା ଫଳକରେ ଏହି କାର୍ଯ୍ୟ ଆରମ୍ଭ ତାରିଖ ୨୩ ଜୁନ୍ ୨୦୨୫ ଏବଂ କାର୍ଯ୍ୟ ନିର୍ବାହୀ ସଂସ୍ଥା- ପଂଚାୟତ ସମିତି ଭୁବନ ବୋଲି ଉଲ୍ଲେଖ ରହିଥିବାବେଳେ ଅଦ୍ୟାବଧି କାର୍ଯ୍ୟ ଶେଷ ତାରିଖ ଲେଖା ହୋଇନାହିଁ। ବାସ୍ତବରେ ଏହି କାର୍ଯ୍ୟ ଗତ ମାର୍ଚ୍ଚ ମାସରେ ଅତ୍ୟନ୍ତ ତରବରିଆ ଭାବେ ପୁରୁଣା ପାଚେରୀ(ମାଙ୍କଡ଼ ପଥର) ଉପରେ ସିମେଂଟ ଇଟା ଯୋଡ଼େଇ କରି ରଙ୍ଗମାରି ବିଲ୍ ପାସ୍ କରିଦିଆଯାଇଥିବା ସ୍ପଷ୍ଟ ହୋଇଛି। ନହେଲେ ସାମାନ୍ୟ ବର୍ଷାରେ ପାଚେରୀ ଭୁଶୁଡ଼ି ପଡ଼ିଲା କେମିତି? ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିବା ନ୍ୟାୟରେ ଏହି ବ୍ଲକରେ ୨ କୋଟି ୫୮ ଲକ୍ଷ ଟଙ୍କା ବ୍ୟୟରେ ୬୮ଟି କାମ କେମିତି ହୋଇଛି ତାହା ସହଜରେ ଅନୁମେୟ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଡବଲ ଇଞ୍ଜିନ ସରକାରରେ ଡବଲ ପିସି ଦରକାର ବୋଲି କୁହାଯାଉଛି। ବିକାଶର ଧାରା, ପଇସା ଲୁଟି ଖାଇବା ସାରା’ ବୋଲି ହାଟ ବଜାରରେ ଚର୍ଚ୍ଚା ହେଉଛି। ବିକଶିତ ଗାଁ, ବିକଶିତ ଓଡ଼ିଶା ଅଧିନରେ ସମସ୍ତ ୬୮ଟି ଯାକ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ କରାଯିବାକୁ ଜନ ସାଧାରଣରେ ଦାବି ହେଉଛି। ତେବେ ଏ ସମ୍ପର୍କରେ ବିଡ଼ିଓ ଶ୍ରୀମତୀ ଆୟୁଷି ମହାପାତ୍ରଙ୍କୁ ଯୋଗାଯୋଗ କରିବାରୁ ଏ ସମ୍ପର୍କରେ କୌଣସି ଅଭିଯୋଗ ମିଳିନି। ଅଭିଯୋଗ ମିଳିଲେ ତଦନ୍ତ ହେବ ବୋଲି ପ୍ରକାଶ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ