


ପୁରୀ, ୨୩ ଜୁନ୍ (ହି.ସ.)- ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଜୁଲାଇ ୧୬ ତାରିଖ । ଏଥିପାଇଁ ଚଳଚଞ୍ଚଳ ରଥଖଳା । ରଥଖଳାରେ ଦ୍ରୁତ ଗତିରେ ଆଗେଇ ଚାଲିଛି ତିନିରଥର ନିର୍ମାଣ କାର୍ଯ୍ଯ । ମଙ୍ଗଳବାର ରଥ ନିର୍ମାଣର ୬୪ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ମଙ୍ଗଳବାର ତିନିରଥର ପ୍ରଭା ଫ୍ରେମରେ ଖିଲଣ କଟିଙ୍ଗ ଶେଷ ହୋଇଛି । ସୋମବାର ସୁଦ୍ଧା ତିନିରଥର ୪ ଗୋଟି ଲେଖାଏଁ ଦୁଆର ବେଢ଼ା ନିର୍ମାଣ ଶେଷ ହେବା ସହ ତିନିରଥର ବେଦୀ ଚତୁର୍ପାର୍ଶ୍ୱରେ ପାରୁଷ ପଟା ବାଡ଼ିଆ ଶେଷ ହୋଇଥିଲା । ଆଜି ମହାରଣା ସେବକ ମାନେ ତିନିରଥର ପ୍ରଭା ଫ୍ରେମ୍ ପ୍ରସ୍ତୁତି ପୂର୍ବକ ଫ୍ରେମରେ ପଟା ପକାଇ ଖିଲଣ କଟିଙ୍ଗ ଶେଷ କରିଛନ୍ତି। ଏଥିସହ ଫ୍ରେମ୍ ରେ ପଟାପଡ଼ି ରୂପ ଖୋଦେଇ ପାଇଁ ପ୍ରଭାରେ ବାଙ୍କ କଟିଙ୍ଗ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।ଏଥିସହ ଶେଷ ହୋଇଛି ତିନିରଥର ବଡ କଳସରେ ସିଲଭର ଚଦର ଫିଟିଙ୍ଗ କାର୍ଯ୍ୟ। ଘୋଡ଼ା ଫିଟିଙ୍ଗ ପାଇଁ ତିନିରଥରେ ସଂଯୋଗ ହୋଇଥିବା 'ଚାର ପରିଛା 'କୁ ମୁଣ୍ଡାଇ ରଖିବାକୁ ୫ ଗୋଟି ଲେଖାଏଁ ଚାର ପରିଛା ଗୁଣ୍ଠୀ ବାଡ଼ିଆ ଶେଷ ହୋଇଛି। ରୂପକାର ସେବକମାନେ ତିନିରଥର ୨୪ ଗୋଟି ନାଟ ଗୋଡ଼ରୁ ବାକି ୧୨ ଗୋଟି ନାଟ ଗୋଡ଼ ଗୁଡ଼ିକରେ କନ୍ଦର୍ପ ରୂପ ଖୋଦେଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ସେଥି ମଧ୍ୟରୁ ଶେଷ ହୋଇଥିବା ନାଟ ଗୋଡ଼ ଗୁଡ଼ିକରେ ପଲିସ୍ କାର୍ଯ୍ୟ ସହ ରୂପରେ ଅଳଙ୍କାର ପକା କାର୍ଯ୍ୟ ଜାରୀ ରହିଛି। ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା କମାର ସେବକମାନେ ତିନିରଥର ବେଦୀ ସିଂହାସନ ନିର୍ମାଣ ପାଇଁ ଜଗତପୃଷ୍ଠ ସେଣୀ କଣ୍ଟା, ଦୁଆର ବେଢ଼ା ପାଇଁ ଚଉରସ ଅଗ ପାତେଳି କଣ୍ଟା, ଧୂଳି ଦଣ୍ଡା ଆଗ ପାତେଳି କଣ୍ଟା ନିର୍ମାଣ ସହ ନିର୍ମାଣ ଶେଷ ହୋଇଥିବା ପୋଟଳ ଜଙ୍ଘା ଏବଂ ଓଲଟ ଶୁଆ ପାଇଁ ନରାଜ କଣ୍ଟା ଗୁଡ଼ିକର ମଠା କାର୍ଯ୍ୟ ଶେଷ କରିଛନ୍ତି । ଚିତ୍ରକାର ସେବକମାନେ ତିନିରଥର ପାର୍ଶ୍ୱ ଦେବ ଦେବୀ ମାନଙ୍କ ପ୍ରତିମାରେ ରଙ୍ଗ କାର୍ଯ୍ୟ ସହ ତିନିରଥର ହଂସ ପଟା, ଓଲଟ ଶୁଆ ଏବଂ ନାଟ ଗୋଡ଼ରେ ରଙ୍ଗ କାର୍ଯ୍ୟ ସହ ତିନିରଥର ବାହ୍ୟ ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି। ଦୋଳବେଦୀ ଠାରେ ପାହି ମହାରଣା ମାନେ ରଥଯାତ୍ରାରେ ମହାପ୍ରଭୁଙ୍କ ସେବା ପୂଜା ନୀତି ପାଇଁ ଆବଶ୍ୟକୀୟ କାଠ ନିର୍ମିତ ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି। ତିନିରଥର ମହାରଣା ସେବକ ୭୮ ଜଣ, ଭୋଇ ସେବକ ୭୫ ଜଣ, କରତୀ ସେବକ ୪ ଜଣ, ରୂପକାର ସେବକ ୨୧ ଜଣ, ଓଝା କମାର ସେବକ ୨୦ ଜଣ, ତୁମ୍ବ ବିନ୍ଧ କାରୀଗର ୨ ଜଣ, ପାହି ମହାରଣା ୨ ଜଣ, ଚିତ୍ରକାର ୩୦ ଜଣ ଓ ରଥଖଳା ସହାୟକ ୧ ଜଣ ମୋଟ ୨୩୩ ଜଣ ସେବକ ମହାପ୍ରଭୁଙ୍କ ତିନିରଥ ନିର୍ମାଣ କାର୍ଯ୍ଯରେ ନିମଗ୍ନ ରହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ବିଜୟ